ଉଚ୍ଚଶିକ୍ଷିତଙ୍କୁ ବ୍ୟବସାୟ ନିଶା; ସଫ୍ଟୱେୟାର ଚାକିରି ଛାଡ଼ି ବିକୁଛନ୍ତି ଗଧ କ୍ଷୀର

ଆଇଟି ଜବ୍ ଛାଡ଼ି ଗଧ କ୍ଷୀର ବ୍ୟବସାୟ କରୁଛନ୍ତି ଉଚ୍ଚଶିକ୍ଷିତ । ସଫ୍ଟୱେୟାର କମ୍ପାନୀ ଚାକିରୀ ଛାଡ଼ିଥିବା ଯୁବକଙ୍କ ଅଜବ ପେଶା । ଚାକିରୀ ଛାଡ଼ି ଗଧ କ୍ଷୀର ଫାର୍ମ ହାଉସ କରିଛନ୍ତି କର୍ଣ୍ଣାଟକର ଯୁବକ । ୩୦ ମିଲିଲିଟର କ୍ଷୀରକୁ ବିକୁଛନ୍ତି ୧୫୦ ଟଙ୍କାରେ । ପ୍ୟାକେଟ୍ କରି ବିଭିନ୍ନ ସପିଂ ମଲ୍, ଦୋକାନ ଓ ସୁପରମାର୍କେଟକୁ ଦେଉଛନ୍ତି ।

Donkey MIlk Buisness

କରୋନା ମହାମାରୀ ପରଠୁ ଚାକିରୀ ଅପେକ୍ଷା ନିଜର ଷ୍ଟାର୍ଟଅପ୍ ଉପରେ ଆଜିକାଲି ଫୋକସ କରୁଛନ୍ତି ଯୁବପୀଢ଼ି । ତେବେ ଏମିତି ଏକ ଖବର ସମସ୍ତଙ୍କ ସାମ୍ନାକୁ ଆସିଛି, ଯାହା ହୁଏତ ଆପଣଙ୍କୁ ଆଶ୍ଚଯର୍ୟ କରିପାରେ । ହେଲେ ଅନେକଙ୍କୁ ଏହା ପ୍ରେରଣା ମଧ୍ୟ ଯୋଗାଇବ । ଆଇଟି ଜବ୍ ଛାଡ଼ି ଗଧ କ୍ଷୀର ବ୍ୟବସାୟ କରୁଛନ୍ତି କର୍ଣ୍ଣାଟକର ଜଣେ ଉଚ୍ଚଶିକ୍ଷିତ ତଥା ସଫ୍ଟୱେୟାର କମ୍ପାନୀ ଚାକିରୀ କରିଥିବା ଜଣେ ଯୁବକ । ଯାହାଙ୍କ ନାଁ ଶ୍ରୀନିବାସ ଗୌଡ଼ା । 

୪୨ ବର୍ଷିୟ ଶ୍ରୀନିବାସ ପ୍ରଥମେ କ୍ଷେତରେ ଚାଷବାସ କରିବା ସହ କୁକୁଡ଼ା ଚାଷ ଆରମ୍ଭ କରିଥିଲେ । ଏହାପରେ ଧିରେ ଧିରେ ଗଧ ପାଳିବା ଆରମ୍ଭ କରିଥିଲେ । ଏଥିପାଇଁ ତାଙ୍କୁ ନାନା ଟାହିଟାପରା ସହିବା ସହ ଲୋକେ ଉପହାସ ମଧ୍ୟ କରୁ୍ଥିଲେ । କିନ୍ତୁ ଗଧ କ୍ଷୀରର ଉପକାରିତା ଏବଂ ଗୁଣ ସମ୍ପର୍କରେ ଜାଣିପାରିଥିଲେ ଶ୍ରୀନିବାସ । ତେଣୁ ସେ ଲୋକଙ୍କ କଥାକୁ ଅଣଦେଖା କରି ଗଧ ପାଳନରେ ମନ ଦେଲେ । 

ଗ୍ରାଜୁଏସନ୍ ପାସ୍ କରିବା ପରେ ଶ୍ରୀନିବାସ ଗୌଡ଼ା ଏକ ସଫ୍ଟୱେୟାର କମ୍ପାନୀରେ କାର୍ଯ୍ୟ କରୁଥିଲେ । ଏହାପରେ ୨୦୨୦ରେ ଚାକିରୀ ଛାଡ଼ି ୨ ଏକର ୩ ଡିସିମିଲ ଜମିରେ ପ୍ରଥମେ ୨୦ଟି ଗଧ ଆଣି ସେମାନଙ୍କର ପାଳିବା ଆରମ୍ଭ କରିଥିଲେ । ଶ୍ରୀନିବାସ ଗୌଡ଼ା ଏବେ ୩୦ ମିଲିଲିଟର କ୍ଷୀରକୁ ୧୫୦ ଟଙ୍କାରେ ବିକ୍ରି କରୁଛନ୍ତି । ସେ ଏହାକୁ ପ୍ୟାକେଟ୍ ତିଆରି କରି ବିଭିନ୍ନ ସପିଂ ମଲ୍, ଦୋକାନ ଏବଂ ସୁପରମାର୍କେଟକୁ ଯୋଗାଉଛନ୍ତି । ଗଧ କ୍ଷିର ବିଭିନ୍ନ ବ୍ୟୁଟି ପ୍ରଡ଼କ୍ଟ ସହ ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀନିବାସଙ୍କ ପାଖକୁ ଏବେ ୧୭ ଲକ୍ଷ ଟଙ୍କାର ଅର୍ଡର ଆସିଛି ।