Astrospeak
  • Live TV
  • Read In English

ପଞ୍ଜାବ ନିର୍ବାଚନ ପୂର୍ବରୁ ଅଡୁଆରେ ଅରବିନ୍ଦ କେଜ୍ରିଓ୍ୱାଲ : ସାଂଘାତିକ ଅଭିଯୋଗ ଆଣିଲେ ପୁରୁଣା ସହଯୋଗୀ

କୁମାରଙ୍କ ଏହି ସାଂଘାତିକ ଅଭିଯୋଗ ପରେ ସୃଷ୍ଟି ହୋଇଛି ରାଜନୈତିକ ଝଡ଼ । କୁମାର ବିଶ୍ୱାସ ଏତେ ଦିନ ଧରି କାହିଁକି ଚୁପ୍ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ଆପ ମୁଖପାତ୍ର ରାଘବ ଚଢା । କେଜ୍ରିୱାଲଙ୍କ ଭଳି ଜଣେ ସଚ୍ଚୋଟ ନେତାଙ୍କ ରାସ୍ତା ରୋକିବାକୁ ଏହା ଅସାଧୁ ଶକ୍ତିଙ୍କ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି ।

Kumar Vishwas and Delhi chief minister Arvind Kejriwal.
Kumar Vishwas and Delhi chief minister Arvind Kejriwal.

News Summary

କେଜ୍ରିଓ୍ୱାଲଙ୍କୁ ପୁରୁଣା ସହଯୋଗୀ କୁମାର ବିଶ୍ୱାସଙ୍କ ଟାର୍ଗେଟ

ଖଲିସ୍ତାନ ପ୍ରଧାନମନ୍ତ୍ରୀ ହେବା ଲାଗି କେଜ୍ରିଓ୍ୱାଲଙ୍କ ଅଭିଳାଷ

ଦୁଇ ଦିନ ପରେ ପଞ୍ଜାବ ବିଧାନସଭା ଭୋଟ୍ । ତେବେ ତାପୂର୍ବରୁ ଅଡୁଆରେ ଆମ୍ ଆଦମି ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । କେଜ୍ରିଓ୍ୱାଲଙ୍କୁ ଟାର୍ଗେଟ କରିଛନ୍ତି ପୁରୁଣା ସହଯୋଗୀ କୁମାର ବିଶ୍ୱାସ । ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କବିରୁ ନେତା ବନିଥିବା ବିଶ୍ୱାସ । ପୁରୁଣା ବାର୍ତ୍ତାଳାପ ପ୍ରସଙ୍ଗ ଉଠାଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ନଚେତ୍ ଏକ ସ୍ୱାଧୀନ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ହେବେ ବୋଲି ତାଙ୍କୁ କହିଥିଲେ କେଜ୍ରିଓ୍ୱାଲ । ଅର୍ଥାତ୍ ଖଲିସ୍ତାନ ପ୍ରଧାନମନ୍ତ୍ରୀ ହେବା ଲାଗି କେଜ୍ରିଓ୍ୱାଲଙ୍କ ଅଭିଳାଷ ଥିବା କୁମାର ବିଶ୍ୱାସ ପ୍ରକାଶ କରିବା ପରେ ସୃଷ୍ଟି ହୋଇଛି ରାଜନୈତିକ ଝଡ଼ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଜ୍ରିଓ୍ୱାଲଙ୍କ ଉପରେ ବର୍ଷିଥିବା ବେଳେ କଂଗ୍ରେସ ବି ଜୋରଦାର ସମାଲୋଚନା କରିଛି ।

ନିଜର ପୂର୍ବତନ ଘନିଷ୍ଠ ସହଯୋଗୀ କୁମାର ବିଶ୍ୱାସଙ୍କ ଏହି ମନ୍ତବ୍ୟକୁ ନେଇ ଅଡୁଆରେ ଆପ୍ ମୁଖ୍ୟ । ପଞ୍ଜାବରେ ଆପ୍ କ୍ଷମତା ଦଖଲ କରିବା ସମ୍ଭାବନା ଭିତରେ ତାଙ୍କ ନାଁରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ବିଶ୍ୱାସ । କେଜ୍ରିଓ୍ୱାଲ କେତେ କ୍ଷମତା ଲୋଭି ତାର ଉଦାହରଣ ଦେବାକୁ ଯାଇ କୁମାର କହିଛନ୍ତି ଯେ ପଞ୍ଜାବର ମୁଖ୍ୟମନ୍ତ୍ରୀ ନଚେତ୍ ସ୍ୱାଧୀନ ରାଷ୍ଟ୍ର ଖଲିସ୍ତାନର ପ୍ରଧାନମନ୍ତ୍ରୀ ହେବା ଲାଗି ରହିଥିଲା କେଜ୍ରିୱାଲଙ୍କ ଅଭିଳାଷ । ତାଙ୍କ ସହ କଥାବାର୍ତ୍ତା ସମୟରେ କେଜ୍ରିଓ୍ୱାଲ ନିଜ ଇଛା ତାଙ୍କ ଆଗରେ ପ୍ରକାଶ କରିଥିବା ଅଭିଯୋଗ ଆଛନ୍ତି ।

କୁମାରଙ୍କ ଏହି ସାଂଘାତିକ ଅଭିଯୋଗ ପରେ ସୃଷ୍ଟି ହୋଇଛି ରାଜନୈତିକ ଝଡ଼ । କୁମାର ବିଶ୍ୱାସ ଏତେ ଦିନ ଧରି କାହିଁକି ଚୁପ୍ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ଆପ ମୁଖପାତ୍ର ରାଘବ ଚଢା । କେଜ୍ରିୱାଲଙ୍କ ଭଳି ଜଣେ ସଚ୍ଚୋଟ ନେତାଙ୍କ ରାସ୍ତା ରୋକିବାକୁ ଏହା ଅସାଧୁ ଶକ୍ତିଙ୍କ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି । ପଞ୍ଜାବରେ ଦଳର ବିଜୟ ସମ୍ଭାବନାକୁ ଦେଖି କେଜ୍ରିଓ୍ୱାଲଙ୍କ ନାଁରେ ମିଥ୍ୟାପ୍ରଚାର କରାଯାଉଥିବା ସେ କହିଛନ୍ତି । ତେବେ ସେ ଯାହା କହିଛନ୍ତି ତାହା ସଂପୂର୍ଣ୍ଣ ସତ ବୋଲି କହିଛନ୍ତି କୁମାର ବିଶ୍ୱାସ ।

ପଞ୍ଜାବରେ ଏଥର ବହୁମୁଖୀୟ ନିର୍ବାଚନ ହେବାକୁ ଯାଉଥିବା ବେଳେ କୁମାର ବିଶ୍ୱାସଙ୍କ ଅଭିଯୋଗ କେଜ୍ରିଓ୍ୱାଲଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି । ବିଜେପି ଓ କଂଗ୍ରେସ ସମେତ ଅକାଳୀ ଦଳ, ଆମ୍ ଆଦମି ପାର୍ଟି ଓ କେଜ୍ରିଓ୍ୱାଲଙ୍କୁ ଜୋରଦାର ସମାଲୋଚନା କରିଛନ୍ତି । କେଜ୍ରିଓ୍ୱାଲଙ୍କ ବିଚ୍ଛିନ୍ନବାଦୀ ଚିନ୍ତାଧାରାର ଉଦାହରଣ ଦେଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯନ୍ତ୍ରଣା ଅସହ୍ୟ ହେବାକୁ କୁମାର ବିଶ୍ୱାସ ମୁହଁ କୋଲିଥିବା କହି ମୋଦି ତାଙ୍କୁ ପ୍ରଶଂସା କରିଛନ୍ତି ।

ପୂର୍ବତନ ସହଯୋଗୀ କୁମାର ବିଶ୍ୱାସ କେଜ୍ରିଓ୍ୱାଲଙ୍କ ପୋଲ ଖୋଲିବା ପରେ ବିଜେପି ଓ କଂଗ୍ରେସ ଟାର୍ଗେଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଏଭଳି ଆଭିମୁଖ୍ୟ ଅତି ଭୟଙ୍କର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେଜ୍ରିୱାଲଙ୍କ ପୁରୁଣା ସାଥୀ ତାଙ୍କର ଯେଉଁ ଚରିତ୍ରକୁ ପଦାରେ ପକାଇଛନ୍ତି । ତାକୁ ପ୍ରତ୍ୟେକ ମତଦାତା ଗମ୍ଭୀର ତାର ସହ ନେବା ଲାଗି ନିର୍ବାଚନ ରାଲିରେ ମୋଦି ଭୋଟରଙ୍କୁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ କେଜ୍ରିଓ୍ୱାଲଙ୍କ ମନ୍ତବ୍ୟର ତଦମନ୍ତ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ କେଜ୍ରିୱାଲଙ୍କୁ ସମାଲୋଚନା କରିବା ସହ ଏହା ଆମ ଆଦମୀ ପାର୍ଟିର ପଞ୍ଜାବ ପାଇଁ ଅସଲି ଉଦ୍ଦେଶ୍ୟ ଓ ଯୋଜନା ବୋଲି ଟୁଇଟ୍ କରି କଟାକ୍ଷ କରିଛନ୍ତି। ପଞ୍ଜାବ ରାଜନୀତିରେ କଂଗ୍ରେସ, ବିଜେପି ଓ ଅକାଳୀ ଦଳର ଆଧିପତ୍ୟ ରହିଥିବା ବେଳେ ଆମ ଆଦମୀ ପାର୍ଟି ଏଥର ରାଜ୍ୟରେ କ୍ଷମତା ଦଖଲ କରିବା ସମ୍ଭାବନା ରହିଛି । ତେବେ ତାପୂର୍ବରୁ ପୁରୁଣା ସହଯୋଗୀ କୁମାର ବିଶ୍ୱାସ ଯେଉଁ ବିସ୍ଫୋରକ ବୟାନ ଦେଇଛନ୍ତି ଭୋଟରଙ୍କ ଉପରେ ତାର ପ୍ରଭାବ ପଡୁଛି ନା ନାହିଁ ତାହା ଦେଖିବା କଥା ।