• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସମାଜବାଦୀ ପାର୍ଟି ଛାଡି ବିଜେପିରେ ଯୋଗ ଦେଇଛନ୍ତି ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ତଥା ଅଖିଳେଶ ।ଯାଦବଙ୍କ ଭାଇ ବୋହୂ ଅପର୍ଣ୍ଣା ଯାଦବ । ଯାଦବ ପରିବାରରେ ସମାଜବାଦୀ ପାର୍ଟି ବିରୋଧରେ ଅପର୍ଣ୍ଣା ହିଁ ବିଦ୍ରୋହ ଆରମ୍ଭ କରିଛନ୍ତି । ଯାଦବ ପରିବାରରେ ଯେ ସବୁ ଠିକଠାକ୍ ଚାଲିନାହିଁ , ଏହା ଏଥିରୁ ସ୍ପଷ୍ଟ ହୋଇଛି ।

ଅପର୍ଣ୍ଣା ଯାଦବ କିଏ ?

ଅପର୍ଣ୍ଣା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପୁଅ ପ୍ରତୀକ ଯାଦବଙ୍କ ପତ୍ନୀ । ପ୍ରତୀକ ମୁଲାୟାମ ସିଂ ଯାଦବଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପୁଅ । 2011 ମସିହାରେ ପ୍ରତୀକ ଓ ଅପର୍ଣ୍ଣାଙ୍କ ବିବାହ ହୋଇଥିଲା । ତାଙ୍କର ଗୋଟିଏ ଝିଅ ଅଛି ।

2017 ମସିହାରେ ଅପର୍ଣ୍ଣା ଲକ୍ଷ୍ନୌ କ୍ୟାଣ୍ଟନମେଣ୍ଟ ବିଧାନ ସଭା ଆସନରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଥିଲେ । ସେ ବିଜେପିର ରୀତା ବହୁଗୁଣା ଯୋଶୀଙ୍କ ଠାରୁ ପରାସ୍ତ ହୋଇଥିଲେ ।

ଅପର୍ଣ୍ଣାଙ୍କ ବାପା ଅରବିନ୍ଦ ସିଂ ବିଷ୍ଟ ଜଣେ ସାମ୍ୱାଦିକ । ସେ ଏବେ ଉତ୍ତରପ୍ରଦେଶ ରାଜ୍ୟ ସୂଚନା କମିଶନର ଅଛନ୍ତି । ତାଙ୍କ ମାଆ ଅମ୍ୱି ବିଷ୍ଟ ଏବେ ଲକ୍ଷ୍ନୌ ମହାନଗର ନିଗମରେ ଜଣେ ଅଧିକାରୀ ଭାବେ କାମ କରୁଛନ୍ତି। ସେ ଅନ୍ତର୍ଜାତୀୟ ସଂପର୍କ ଓ ରାଜନୀତିରେ ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପାସ୍ କରିଛନ୍ତି। ଅପର୍ଣ୍ଣା ସମାଜବାଦୀ ପାର୍ଟିରେ ଥାଇ ବି ଏନଆରସିକୁ ସମର୍ଥନ କରିଥିଲେ । ସେ 370 ଧାରା ଉଚ୍ଛେଦ ସପକ୍ଷରେ ମଧ୍ୟ ମତ ଦେଇଥିଲେ । 

ଅପର୍ଣ୍ଣା ବିଜେପିରେ କାହିଁକି ?

ଯାଦବ ପରିବାରର ଜଣେ ସଦସ୍ୟଙ୍କୁ ଦଳରେ ମିଶାଇ ବିଜେପି ସମାଜବାଦୀ ପାର୍ଟିକୁ ଏକ ଝଟକା ଦେଇଛି । ଏହି ଘଟଣା ଉତ୍ତରପ୍ରଦେଶ ରାଜନୀତି ଉପରେ ଢେର୍ ପ୍ରଭାବ ପକାଇଛି ।  ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ବରିଷ୍ଠ ନେତା ସୌମ୍ୟ ପ୍ରକାଶ ମୌର୍ଯ୍ୟ, ଦାରା ସିଂ ଚୌହାନ ଓ ଧରମ ସିଂ ସାଇନି   ଦଳ ଛାଡି ଚାଲିଯାଇଛନ୍ତି । ଏମାନେ ଦଳ ଛାଡି ସମାଜବାଦୀ ପାର୍ଟି ମୁହାଁ ହୋଇଛନ୍ତି । ତେଣୁ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ ତିକ୍ତତା ବହୁତ ବଢିଯାଇଛି । ଏହି ତିକ୍ତତାର ପରିଣାମ ସ୍ୱରୂପ ଅପର୍ଣ୍ଣାଙ୍କୁ ବିଜେପିରେ ମିଶାଇବା ପାଇଁ ଦଳୀୟ ନେତାମାନେ ଉଦ୍ୟମ କରିଥିଲେ । ତାହା ସଫଳ ହୋଇଛି ।

ଅପର୍ଣ୍ଣା 2017 ମସିହାରେ ନିର୍ବାଚନ ଲଢିଥିଲେ । ତାଙ୍କର ରାଜନୀତିରେ ଉଚ୍ଚ ଅଭିଳାଷ ରହିଛି । ସେ ଲକ୍ଷ୍ନୌ କ୍ୟାଣ୍ଟନମେଣ୍ଟ ଆସନରୁ ବିଜେପି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଛି । ତେବେ ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀ ତାଙ୍କ ପୁଅ ମୟଙ୍କଙ୍କୁ ଏହି ଆସନରେ ପ୍ରାର୍ଥୀ କରାଇବାକୁ ଚାହୁଁଛନ୍ତି ।  

ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ହୋଇଛନ୍ତି । ଏହା ପୂର୍ବରୁ ସେ ଏନଆରସିକୁ ସମର୍ଥନ କରିଥିଲେ । 370 ଧାରାର ଉଚ୍ଛେଦ ଯୁକ୍ତିଯୁକ୍ତ ବୋଲି ଖୋଲାଖୋଲି କହିଥିଲେ ।  ଏପରିକି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ସେ 11 ଲକ୍ଷ ଟଙ୍କା ଦାନ କରିଥିଲେ ।