Kiwi cultivation started by farmers in J&K;’s Udhampur on an experimental basis
କିମିଆ କରିବ କାଶ୍ମୀର କିୱି । ଭାରତରେ ଉତ୍ପାଦନ ହେବ, ଆଉ ସାରା ଦେଶରେ ଛାଇ ଯିବ ଏହି ସୁସ୍ୱାଦୁ ବିଦେଶୀ ଫଳ । ଏଭଳି ଆଶା ସୃଷ୍ଟି ହୋଇଛି ଭାରତର ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରରେ କିୱି ଫଳ ଚାଷ ସଫଳ ହୋଇଛି। ପ୍ରଚୁର ପରିମାଣରେ ସେଓ ଫଳୁଥିବା ରାଜ୍ୟରେ ଏବେ ପେନ୍ଥା ପେନ୍ଥା ହୋଇ କିୱି ଝୁଲୁଥିବା ଦେଖିବାକୁ ମିଳିଛି।
ଭୂସ୍ୱର୍ଗ କାଶ୍ମୀର। ବରଫ, ଘୋଡା, ସୁଉଚ୍ଚ ଗିରିଶୃଙ୍ଗ, ଚିରସବୁଜ ଉପତ୍ୟକା, ସୁଦୃଶ ଚିନ୍ନାର ବୃକ୍ଷ ସାଙ୍ଗକୁ ଟ୍ୟୁଲିପ୍ ବଗିଚା। ଅପରୂପ ସୌନ୍ଦର୍ଯ୍ୟରେ ଭରପୁର ଜମ୍ମୁ ଓ କାଶ୍ମୀରର ପାଣିପାଗ ବି ବେଶ ମନୋଲୋଭା। ଏଠିକାର ଅନ୍ୟତମ ଆକର୍ଷଣ ହେଉଛି ଫଳ ବଗିଚା। ଅନୁକୁଳ ଜଳବାୟୁ ହେତୁ ଏଠାରେ ସେଓ ଓ ନାସପାତି ଭଳି ନାନା ଜାତିର ଫଳ ଚାଷ କରାଯାଏ।
ପର୍ଯ୍ୟଟନ ସହିତ ଫଳଚାଷ ଏଠାକାର ଅର୍ଥନୀତିର ମୂଳଦୁଆ। ଦେଶ ବିଦେଶରେ କାଶ୍ମୀର ସେଓର ବେଶ୍ ଚାହିଦା ବି ରହିଛି। ତେବେ ପାରମ୍ପରିକ ଫଳଚାଷ ଧାରାରେ ପରିବର୍ତ୍ତନ ଆଣିବା ସହ ଚାଷକୁ ଅଧିକ ଲାଭଦାୟକ କରିବା ଲାଗି ପ୍ରୟାସ ଆରମ୍ଭ କରିଛି ସେଠାକାର ପ୍ରଶାସନ। କୃଷି ବିଭାଗ ସହାୟତାରେ ଏଠାରେ ପରୀକ୍ଷାମୂଳକ ଭାବେ କିୱି ଫଳ ଚାଷ ଆରମ୍ଭ ହୋଇଛି। ଉଧମପୁର ଜିଲ୍ଲାରୁ ଏହାର ଶୁଭାରମ୍ଭ କରାଯାଇଥିବା ବେଳେ ପ୍ରଥମ ପ୍ରୟାସରୁ ବେଶ୍ ଉତ୍ସାହଜନକ ଫଳ ମିଳିଛି।
ଟିକେ ଖଟା, ଟିକେ ମିଠା ହେଉଛି କିୱିର ସ୍ୱାଦ । ଦାମୀ ବିଦେଶୀ ଫଳ ହେଉଛି କିୱି। କିୱି ଫଳ ସାଧାରଣତଃ ନ୍ୟୁଜିଲ୍ୟାଣ୍ଡ ଓ ୟୁରୋପୀୟ ଦେଶରେ ଚାଷ ହୁଏ। ଭାରତକୁ ଆମଦାନୀ ହେଉଥିବାରୁ ଆମ ଦେଶରେ ଏହାର ଦର ସବୁ ସମୟରେ ଉଚ୍ଚା ଥାଏ। ତେବେ କାଶ୍ମୀର ପାଣିପାଗ କିୱି ଚାଷ ଲାଗି ଅନୁକୁଳ ବୋଲି ପ୍ରମାଣିତ ହୋଇଛି। ଫଳରେ ଏହାର ଚାଷ ବଢ଼ିବା ସହ ଚାଷୀ ଲାଭବାନ ଓ ଘରୋଇ ବଜାରରେ ଦର ବି ହ୍ରାସ ପାଇବ ବୋଲି ଚାଷୀ ଆଶା ରଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695455566.jpg)