ଜଷ୍ଟିସ ୟୁ ୟୁ ଲଳିତ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିବା ଜଷ୍ଟିସ ଏନ୍. ଭି. ରମନ୍ନା ଆସନ୍ତା ୨୬ ତାରିଖରେ ଅବସର ଗ୍ରହଣ କରିବେ । ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଜଷ୍ଟିସ ୟୁ ୟୁ ଲଳିତଙ୍କ ନାଁ ସୁପାରିସ କରିଛନ୍ତି ଜଷ୍ଟିସ ଏନ୍. ଭି. ରମନ୍ନା ।
ଚଳିତ ମାସ ୨୬ ତାରିଖରେ ଜଷ୍ଟିସ ରମନ୍ନା ଅବସର ନେଉଥିବାରୁ ଲଳିତ ତାଙ୍କ ସ୍ଥାନ ନେବେ । ଏନେଇ ପ୍ରଧାନ ବିଚାରପତି ବ୍ୟକ୍ତିଗତ ଭାବେ ଲଳିତଙ୍କୁ ଉତ୍ତରାଧିକାରୀ ପାଇଁ ସୁପାରିସ ପତ୍ର ପ୍ରଦାନ କରିଛନ୍ତି । ତେବେ ଜଷ୍ଟିସ ଲଳିତ ମାତ୍ର ୭୪ ଦିନ ପାଇଁ ପ୍ରଧାନ ବିଚାରପତି ପଦରେ ରହିବେ । ସେ ଆସନ୍ତା ନଭେମ୍ବର ୮ ତାରିଖରେ ଅବସର ଗ୍ରହଣ କରିବେ । ଲଳିତ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ଶୁଣାଇଛନ୍ତି ।
ତେବେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୫ ଜଣିଆ ବେଞ୍ଚରେ ତାଙ୍କୁ ସାମିଲ କରାଯାଇଥିଲା । ହେଲେ ପୂର୍ବରୁ ସେ ଅଯୋଧ୍ୟା ବିବାଦରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ପାଇଁ କେଶ୍ ଲଢ଼ିଥିବାରୁ ଏନେଇ ଅଭିଯୋଗ ଆସିବା ପରେ ଜଷ୍ଟିସ ଲଳିତ ସେତେବେଳେ ଏହି ୫ ଜଣିଆ ବେଞ୍ଚରୁ ନିଜ ଆଡୁ ଓହରି ଯାଇଥିବା ଜଣାପଡିଛି ।