ରସୁଣ ମସଲା ନା ପରିବା ? ବିବାଦ ବଢ଼ିବା ପରେ କୋର୍ଟ ଶୁଣାଇଲେ ରାୟ

କୋର୍ଟ ଶୁଣାଇଲେ ରସୁଣ ରାୟ । ମସଲା ନା ପରିବା ନେଇ ହେଉଥିଲା ବିବାଦ ।

Garlic spice or vegetable?

ରସୁଣ ମସଲା ନା ପରିବା ? ଏହି ବିତର୍କ ଦୀର୍ଘ ଦିନରୁ ଚାଲିଆସୁଥିଲା । ତେବେ ମଧ୍ୟ ପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ଦୀର୍ଘବର୍ଷ ଧରି ଚାଲୁଥିବା ଏହି ବିତର୍କରେ ଶେଷରେ ବିରାମ ଲଗାଇଛନ୍ତି । ରସୁଣକୁ ଏକ ପରିବା ବୋଲି ଘୋଷଣା କରିଛନ୍ତି କୋର୍ଟ । ଏଥିସହିତ ରସୁଣ ଉଭୟ ପରିବାର ଓ ମସଲା ମାର୍କେଟରେ ବିକ୍ରି କରିବାକୁ ମଧ୍ୟ ଅନୁମତି ଦେଇଛନ୍ତି ।

ହାଇକୋର୍ଟଙ୍କ ଏପରି ରାୟ ଚାଷୀ ଓ ବ୍ୟବସାୟୀଙ୍କୁ ସୁହାଇବ ବୋଲି ଆଶା କରାଯାଉଛି । ତେବେ ରସୁଣ ଏକ ପରିବା ବୋଲି ରାୟ ଆସିବା ପରେ ମଧ୍ୟ ଏବେବି ମସଲା ଭାବେ ବିବେଚନା କରାଯାଉଛି । ୨୦୧୫ରେ ଏହି ବିବାଦର ସୂତ୍ରପାତ ହୋଇଥିଲା । ମଧ୍ୟପ୍ରଦେଶର ଏକ ଚାଷୀ ସଂଗଠନ ରସୁଣକୁ ପରିବା ଭାବେ ଗ୍ରହଣ କରିବାକୁ ମଣ୍ଡି ବୋର୍ଡରେ ଦାବି କରିଥିଲେ । ତେବେ କୃଷି ବିଭାଗ ଏହି ଦାବିକୁ ଅଗ୍ରାହ୍ୟ କରିବା ସହ ମାର୍କେଟ କମିଟି ଆକ୍ଟ ୧୯୭୨ ଅନୁଯାୟୀ ରସୁଣକୁ ଏକ ମସଲା ବୋଲି କହିଥିଲେ । 

ଏହାପରେ ୨୦୧୬ରେ ଆଳୁ, ପିଆଜ ଓ ରସୁଣ କମିଶନ ଏଜେଣ୍ଟ ଆସୋସିଏସନ ୨୦୧୬ରେ ପ୍ରିନ୍ସିପାଲ ସେକ୍ରେଟାରୀଙ୍କ ନିଷ୍ପତ୍ତିକୁ  ଇନ୍ଦୋର ବେଞ୍ଚରେ ଚ୍ୟାଲେଞ୍ଚ କରିଥିଲେ । ପରେ ଜଣିକିଆ ଖଣ୍ଡପୀଠ ସଂଘ ସପକ୍ଷରେ ଫେବ୍ରୁଆରୀ ୨୦୧୭ରେ ରାୟ ଦେଇଥିଲେ । ପୂର୍ବ ନିଷ୍ପତ୍ତି ଚାଷୀଙ୍କ ଅପେକ୍ଷା କମିଶନ ଏଜେଣ୍ଟମାନଙ୍କ ପାଇଁ ଲାଭକାରୀ ବୋଲି କହିଥିଲେ କୋର୍ଟ ।

ତେବେ ଏଠାରେ ଶେଷ ହୋଇନଥିଲା ଏହି ନ୍ୟାୟିକ ବିବାଦ । ୨୦୧୭ ଜୁଲାଇ ମାସରେ ମୁକେଶ କୁମାର ନାମକ ଜଣେ ପିଟିସନର ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ଯାହାର ରାୟ ବର୍ତ୍ତମାନ ଇନ୍ଦୋର ବେଞ୍ଚର ଜଷ୍ଟିସ୍ ଏସଏ ଧର୍ମାଧିକାରୀ ଓ ଜଷ୍ଟିସ୍ ଡି ଭେଙ୍କଟରମଣ ଦେଇଛନ୍ତି ।

୨୦୧୭ର ରାୟକୁ କାଏମ ରଖିବା ସହ ରସୁଣ ବିକ୍ରିର ପୂର୍ବ ପ୍ରକ୍ରିୟାକୁ ପୁନଃ ସ୍ଥାପିତ କରିଛନ୍ତି । ଯାହା ଚାଷୀଙ୍କୁ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ଏଜେଣ୍ଟଙ୍କୁ କୌଣସି କମିଶନ ଦେବା ବିନା ସିଧାସଳଖ ମାର୍କେଟରେ ବିକ୍ରି କରିବାର ସୁବିଧା ପ୍ରଦାନ କରିବ ।