ଜେଲରଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ଦେଉଥିଲା ସୁକେଶ ! ରଖିଥିଲା ଆଇଫୋନ୍‌, ଚଳାଇଥିଲା ଠକେଇ ସାମ୍ରାଜ୍ୟ

ରୋହିଣୀ ସେଣ୍ଟ୍ରାଲ୍‌ ଜେଲ୍‌ର ତିନି ଅଧିକାରୀଙ୍କୁ ଏବେ ଗିରଫ କରାଯାଇଛି । ସେମାନେ ମହାଠକ ସୁକେଶକୁ ସହଯୋଗ କରୁଥିଲେ । ଯାହାଫଳରେ ସେ ଜେଲ୍‌ ଭିତରେ ଥାଇ ମଧ୍ୟ ତାର ଠକେଇ ସାମ୍ରାଜ୍ୟକୁ ଚଳାଇ ପାରୁଥିଲା ।

Conman Sukesh

କନ୍‌ମ୍ୟାନ୍‌ ସୁକେଶ । ୟାକୁ ଏବେ ଦେଶରେ କିଏ ବା ନଜାଣେ । ବଡ଼ ବଡ଼ିଆଙ୍କୁ ଠକିବାରେ ସୁକେଶ ମାହିର ବୋଲି ସମସ୍ତେ ଜାଣନ୍ତି । ପ୍ରାୟ ୨୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ସୁକେଶ ଏବେ ରୋହିଣୀ ସେଣ୍ଟ୍ରାଲ ଜେଲ୍‌ରେ ରହିଛି । ସେ ଜେଲ୍‌ରେ ଥିବା ବେଳେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଥିଲା । ଯାହାକି ସାରା ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବଡ଼ ବଡ଼ ସେଲିବ୍ରିଟିଙ୍କଠାରୁ ଠକେଇ କରିଥିବା ଘଟଣା ସାମ୍ନାକୁ ଆସିବା ସହ ବଲିଉଡ୍‌ ସୁନ୍ଦରୀଙ୍କୁ ସେ ଡେଟ୍‌ କରୁଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଏମିତିକି ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିସ୍‌ଙ୍କ ସହ ତାର ଅନ୍ତରଙ୍ଗ ଫଟୋ ଭାଇରାଲ ହୋଇଥିବା ବେଳେ ନୋରା ଫତେହୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା ।

ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଆଚମ୍ବିତ କରିବ ନିଶ୍ଚୟ । ସୁକେଶ ଜେଲ୍‌ରେ ଥାଇ ମଧ୍ୟ ନିଜର ଠକେଇ ସାମ୍ରାଜ୍ୟ ବଞ୍ଚାଇ ରଖିଛି । ଏମିତିକି ଏବେ ବି ସେ ଲୋକଙ୍କୁ ବ୍ଲାକ୍‌ମେଲ୍‌ ତଥା ଠକେଇ କରି ଟଙ୍କା ଆଦାୟ କରୁଥିବା ଆଶଙ୍କା କରାଯାଉଛି । କାରଣ ଜେଲରେ ବିଳାସ ପୂର୍ଣ୍ଣ ଜୀବନ ଯାପନ ତଥା ବେଆଇନ୍ ସୁବିଧା ପାଇଁ ସୁକେଶ ଜେଲ୍‌ ଅଧିକରୀଙ୍କୁ ତଥା ସମସ୍ତ କର୍ମଚାରୀଙ୍କୁ ପ୍ରତି ମାସରେ କୋଟି କୋଟି ଟଙ୍କା ଲାଞ୍ଚ ଦେଉଥିବା ନେଇ ବିଶେଷ ସୂତ୍ରରୁ ଜଣାପଡ଼ିଛି । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ: କନ୍‌ମ୍ୟାନ୍‌ ସୁକେଶଙ୍କ ବଡ଼ ବୟାନ; କେଜ୍ରିୱାଲଙ୍କ ଆପ୍‌ ନେଇଛି ୬୦ କୋଟି ଟଙ୍କା

ରୋହିଣୀ ସେଣ୍ଟ୍ରାଲ୍‌ ଜେଲ୍‌ର ତିନି ଅଧିକାରୀଙ୍କୁ ଏବେ ଗିରଫ କରାଯାଇଛି । ସେମାନେ ମହାଠକ ସୁକେଶକୁ ସହଯୋଗ କରୁଥିଲେ । ଯାହାଫଳରେ ସେ ଜେଲ୍‌ ଭିତରେ ଥାଇ ମଧ୍ୟ ତାର ଠକେଇ ସାମ୍ରାଜ୍ୟକୁ ଚଳାଇ ପାରୁଥିଲା । ଏହି ତିନି ପୋଲିସ ଅଧିକାରୀ ହେଲେ, ରୋହିଣୀ ଜେଲ୍‌ର ସୁପରିଟେଣ୍ଡେଣ୍ଟ ସୁନ୍ଦର ବୋରା, ଡେପୁଟି ସୁପରିଟେଣ୍ଡେଣ୍ଟ ମହେନ୍ଦର ପ୍ରସାଦ ସୁନ୍ଦରିୟାଲ, ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଧରମ ସିଂହ ମୀନା ।

୨୦୨୦-୨୧ ମସିହାରେ ଏହି ତିନି ଅଧିକାରୀ ରୋହିଣୀ ଜେଲ୍‌ରେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ, ଯେଉଁଠି ସୁକେଶ ରହୁଥିଲା । ସୁକେଶକୁ ବେଆଇନ୍ ସୁବିଧା ଦେବା ପାଇଁ ସେମାନଙ୍କ ମଧ୍ୟରେ ଏକ ଆଲୋଚନା ହୋଇ ସ୍ଥିର ହୋଇଥିଲା । ସେମାନଙ୍କ ସହଯୋଗ ପାଇବା ପରେ ସୁକେଶ ଜେଲ୍‌ ଭିତରେ ଥାଇ ମଧ୍ୟ ନିଜର କ୍ରିମିନାଲ ଆକ୍ଟିଭିଟି ଜାରି ରଖିଥିଲା । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଏହି ତିନି ଅଧିକାରୀଙ୍କ ବିରୋଧରେ ଟଙ୍କା ହେରଫେର କରିବାର ଅଭିଯୋଗ ରହିଥିବା ବେଳେ ଜେଲ ଆଇନ୍ ଉଲଂଘନ କରିଥିବାର ଦଫା ମଧ୍ୟ ଲାଗିଛି । ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ନେଇ ତିହାର ଜେଲ୍‌ରେ ଅଧିକ ପଚରାଉଚରା କରୁଛି ।

କିଏ ପାଇଥିଲା କେତେ ?

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୁନ୍ଦର ବୋରା ପ୍ରାୟ ଦେଢ଼ କୋଟି ଟଙ୍କା ନେଇଥିବା ବେଳେ ମହେନ୍ଦ୍ର ପ୍ରସାଦ ୨୫ ଲକ୍ଷ ଟଙ୍କା ନେଇଛନ୍ତି । ଏହା ମଧ୍ୟ ଖବର ମିଳିଛି ଯେ, ବିଭିନ୍ନ ବେଆଇନ୍ ସୁବିଧା ପାଇଁ ସୁକେଶ ଜେଲ୍‌ ଡିଜିଙ୍କୁ ପ୍ରତି ମାସରେ ଦୁଇ କୋଟି ଟଙ୍କା ଲାଞ୍ଚ ଦେଉଥିଲା ।

କେମିତି ଚଳୁଥିଲା ସୁକେଶ ?

ଯେତେବେଳେ ସୁକେଶ ପାରୋଲରେ ବାହାରିଥିଲା ସେତେବେଳେ ସେ ଚେନ୍ନାଇରୁ ଏକ ଆଇଫୋନ୍‌ ୧୨ ପ୍ରୋ କିଣିଥିଲା । ଆଉ ଜେଲ୍‌ ଭିତରେ ଥାଇ ସେ ସେହି ଫୋନ୍‌କୁ ବ୍ୟବହାର କରୁଥିଲା । ସେହି ଫୋନ୍ ଦ୍ୱାରା ସେ ଲୋକଙ୍କୁ କଲ୍ କରି ବ୍ଲାକ୍‌ମେଲ୍‌ କରିବା ସହ ଟଙ୍କା ଆଦାୟ କରିବା ଜାରି ରଖିଥିଲା । ସବୁଠାରୁ ବଡ଼ କଥା ହେଲା ଜେଲ୍‌ରେ ଭିତରେ ନୂଆ ନୂଆ ସିମ୍ ଯୋଗାଉଥିଲେ ସେହି ଜେଲ୍‌ କର୍ତ୍ତୃପକ୍ଷ । ଏମିତିକି ଜେଲ୍‌ ଭିତରେ ଥାଇ ସୁକେଶ ଇଣ୍ଟରନେଟ୍‌ ମଧ୍ୟ ବ୍ୟବହାର କରୁଥିଲା ।

ମିଳିଥିବା ଖବର ଅନୁଯାୟୀ ସୁକେଶ, ଇଣ୍ଟରନେଟ୍‌ ଯୋଗେ ଆଦିତି ସିଂହ ଓ ଅନ୍ୟ ସହଯୋଗୀଙ୍କୁ ଯୋଗାଯୋଗ କରୁଥିଲା । ସୁକେଶର ନିର୍ଦ୍ଦେଶ ପାଇବା ପରେ ସେମାନେ କାମ କରୁଥିଲେ । ଟେଲିଗ୍ରାମ୍, ହ୍ୱାଟ୍ସଆପ୍‌ ଭଳି ଆପ୍‌ ସୁକେଶ ପ୍ରାୟତଃ ବ୍ୟବହାର କରୁଥିଲା । ଖାଲି ସେତିକି ନୁହେଁ କୋଭିଡ୍‌ ସମୟରେ ସୁକେଶକୁ ଏକ ସ୍ୱତନ୍ତ୍ର ବାରାକ୍‌ରେ ରଖାଯାଇଥିଲା । ଯେତେବେଳେ ଅନ୍ୟ ସବୁ ବାରାକ୍‌ରେ ଅଧିକରୁ ଅଧିକ ଲୋକ ରହୁଥିଲେ ।

ସୁକେଶ ସେଲ୍‌ରେ ଲାଗିଥିବା ସିସିଟିଭିକୁ କିଛି କପଡ଼ା କିମ୍ବା ପାଣି ବୋତଲ ସାହାଯ୍ୟରେ ଢ଼ାଙ୍କି ଦିଆଯାଏ । ଜେଲ୍‌ ସୁପରିଟେଣ୍ଡଣ୍ଟଙ୍କ ଅଫିସ ଭିତରୁ ସୁକେଶ ନିଜ ଓକିଲଙ୍କ ସହ ଯୋଗାଯୋଗ କରିଥାଏ । କିନ୍ତୁ ଏନେଇ କୌଣସି ଅଫିସିଆଲ ରେକର୍ଡ ନାହିଁ ।