Astrospeak
  • Live TV
  • Read In English

India vs Pakistan: ଯୁଦ୍ଧ ହେଲେ କିଏ ଜିତିବ, ଜାଣନ୍ତୁ କାହାର କେତେ ସୈନ୍ୟବଳ...

ପହଲଗାମ୍ ହମ୍‌ଲା ପରେ ମୁହଁମୁହିଁ ସ୍ଥିତିରେ ଭାରତ-ପାକିସ୍ତାନ । ଯଦି ଯୁଦ୍ଧ ହୁଏ, ତାହେଲେ ସୈନ୍ୟ ବଳ ଦୃଷ୍ଟିରୁ କେଉଁ ଦେଶ ଶକ୍ତିଶାଳୀ, ଭାରତ ନା ପାକିସ୍ତାନ ? କାହା ପାଖରେ ଅଛି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଲଢୁଆ ବିମାନ?

India vs Pakistan
ଭାରତ-ପାକ୍ ଯୁଦ୍ଧ

ମଧୁବନୀରୁ ରଣହୁଙ୍କାର ‌ଦେଇସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାରତର ଆତ୍ମା ଉପରେ ହମଲା କରିବାର ଦୁଃସାହସର କଡ଼ାଗଣ୍ଡା ହିସାବ ନେବ ଦେଶ । ପୂର୍ବରୁ ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ୍ କରି ଭାରତୀୟ ସେନା ତା'ର ପରାକ୍ରମ ଦେଖାଇସାରିଛି । ଏବେ ସେନା ପହଲଗାମ ହିଂସାର ପ୍ରତିଶୋଧ ଜେଟରେ ନେଉଛି ନା ଡ୍ରୋନରେ ନା ଅନ୍ୟ କିଛି ଉପାୟ ଆପଣାଉଛି ତାକୁ ନେଇ ଆଲୋଚନା-ପର୍ଯ୍ୟାଲୋଚନା । ଯଦି ଏପରି ସ୍ଥିତିରେ ଭାରତ-ପାକିସ୍ତାନ ଯୁଦ୍ଧ ହୁଏ, ତେବେ କାହାର ପଲ୍ଲା ଭାରି ରହିବ? କାହା ପାଖରେ ଯୁଦ୍ଧାସ୍ତ୍ର ଓ ପରାକ୍ରମୀ ସୈନ୍ୟ ଅଧିକ ଅଛନ୍ତି, ଜାଣିବା ଏହି ରିପୋର୍ଟରୁ...

ପାକ୍ ସ୍ଥଳସେନା ଶକ୍ତି: 

ଖାଦ୍ୟ ପାଇଁ ସଙ୍ଘର୍ଷ କରୁଥିବା ପାକିସ୍ତାନର ଏକ ପ୍ରକାର ଅଣ୍ଟା ଭାଙ୍ଗି ପଡ଼ିଛି । ଯଦି ସେନା କ୍ଷେତ୍ର କଥା ଦେଖିବା, ତେବେ ଭାରତ ପାଖରେ ଯେତିକି ସୈନ୍ୟ ଅଛନ୍ତି ତାର ଅଧା ଭାଗରୁ କମ୍ ବି ପାକିସ୍ତାନ ପାଖରେ ନାହିଁ । ଗ୍ଲୋବାଲ୍ ଫାୟାରପାୱାର ରିପୋର୍ଟ କହୁଛି- ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ସୈନ୍ୟ ଶକ୍ତି, ଯାହା ପାଖରେ ୧.୪୪ ମିଲିୟନ ସକ୍ରିୟ ସୈନ୍ୟବାହିନୀ ଅଛନ୍ତି । ତା' ସାଙ୍ଗକୁ 4 ହଜାର 500ଟି ଟ୍ୟାଙ୍କର, 538ଟି ଲଢ଼ୁଆ ବିମାନ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ମିସାଇଲ୍ ସିଷ୍ଟମ୍ ରହିଛି । 

ଭାରତର ସୈନ୍ୟବଳ:

ଭାରତୀୟ ସ୍ଥଳସେନା କଥା ଯଦି ଦେଖିବା ତେବେ ୧.୪୪ ମିଲିୟନ ସକ୍ରିୟ ସୈନ୍ୟ ସହ ୧.୧୫ ମିଲିୟନ ରିଜର୍ଭରେ ଅଛନ୍ତି, ସେହିପରି ୨୫ ଲକ୍ଷରୁ ଅଧିକ ଅର୍ଦ୍ଧସାମରିକ ବାହିନୀ, ହାଇ ଟେକ୍ନୋଲୋଜି ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି, ଯେଉଁଥିରେ ଅର୍ଜୁନ ମେନ୍ ଯୁଦ୍ଧ ଟ୍ୟାଙ୍କ, T-୯୦ "ଭୀମ" ଟ୍ୟାଙ୍କ, ପିନାକ ମଲ୍ଟି-ବ୍ୟାରେଲ ରକେଟ୍ ଲଞ୍ଚର୍, ବ୍ରହ୍ମୋସ୍ କ୍ରୁଜ୍ ମିସାଇଲ୍, ହାୱିଜର୍ସ ଏବଂ ଅନ୍ୟାନ୍ୟ ଆଧୁନିକ ତୋପ ରହିଛି ।


କେବଳ ସ୍ଥଳସେନା ନୁହେଁ, ବାୟୁସେନା ଓ ନୌସେନା ପାଖରେ ବି ରହିଛି ପରାକ୍ରମୀ ଯୁଦ୍ଧାସ୍ତ୍ର । ଭାରତର ବାୟୁସେନା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏୟାରଫୋର୍ସ ସିଷ୍ଟମ୍ ମଧ୍ୟରୁ ଅନ୍ୟତମ । ଏଥିରେ ମୋଟ ୨ ହଜାର ୨୨୯ ବିମାନ, ୬୦୦ ଯୁଦ୍ଧ ବିମାନ, ୮୩୧ ସହାୟକ ବିମାନ, ୮୯୯ ହେଲିକପ୍ଟର ରହିଛି । ସେହିପରି ରାଫେଲ, ମିରାଜ୍ ୨୦୦୦, ମିଗ୍-୨୯, ସୁଖୋଇ ସୁ-୩୦ଏମକେଆଇ । ଏହାବାଦ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ୍, ବ୍ରହ୍ମୋସ୍, ଆଣ୍ଟି-ରେଡିଏସନ ମିସାଇଲ୍, ରୁଦ୍ରମ୍, ଏୟାର୍-ଟୁ-ଏୟାର୍ ମିସାଇଲ୍, ସବସୋନିକ କ୍ରୁଜ୍ ମିସାଇଲ୍ ନିର୍ଭୟ, ସରଫେସ୍-ଟୁ-ଏୟାର୍ ଡିଫେନ୍ସ ସିଷ୍ଟମ୍ ଆକାଶ ରହିଛି ।

ନୌସେନା କ୍ଷେତ୍ରରେ ବି ଭାରତ ଦୃଢ ସ୍ଥିତିରେ ରହିଛି । ନୌସେନା ଶକ୍ତି ନିରନ୍ତର ବୃଦ୍ଧି ଘଟିଛି । ଇଣ୍ଡିଆନ ନେଭିରେ ୧ ଲକ୍ଷ ୪୨ ହଜାର ୨୫୧ ନୌସେନା କର୍ମଚାରୀ ଅଛନ୍ତି । ପ୍ରାୟ ୧୫୦ ଯୁଦ୍ଧଜାହାଜ, ଏଟୋମିକ ସବମାରିନ୍ ବା ପରମାଣୁ ବୁଡ଼ାଜାହାଜ, ୨ ବିମାନ ବାହକ- INS ବିକ୍ରମାଦିତ୍ୟ ଏବଂ INS ବିକ୍ରାନ୍ତ ରହିଛି। ଏହି ବିଶାଳ ବାହକ ବିମାନ, ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ଲଞ୍ଚ କରିପାରିବେ । 

ଆସନ୍ତୁ ଜାଣିବା ପାକିସ୍ତାନ ଶକ୍ତି ସମ୍ପର୍କରେ...

ଗ୍ଲୋବାଲ୍ ଫାୟାରପାୱାର ଅନୁଯାୟୀ, ପାକିସ୍ତାନ ଗତ ବର୍ଷ ନବମ ଶକ୍ତିଶାଳୀ ସାମରିକ ଶକ୍ତିରେ ସ୍ଥାନ ପାଇଥିଲା, କିନ୍ତୁ ଚଳିତ ବର୍ଷ ୬ ଲକ୍ଷ ୫୪ ହଜାର ସକ୍ରିୟ କର୍ମଚାରୀଙ୍କ ସହ ଦ୍ୱାଦଶ ସ୍ଥାନକୁ ଖସି ଆସିଛି । ପାକିସ୍ତାନର ମୋଟ ୧ ହଜାର ୪୩୪ଟି ବିମାନ ଅଛି ଯେଉଁଥିରେ, ୩୮୭ ଲଢ଼ୁଆ ବିମାନ, ୬୦ ପରିବହନ ଏୟାରକ୍ରାଫ୍ଟ, ୫୪୯ ଟ୍ରେନର ଏୟାରକ୍ରାଫ୍ଟ,, ୩୫୨ ହେଲିକପ୍ଟର, ୫୭ ଆଟାକ୍ ହେଲିକପ୍ଟର, ୪ଟି ଏରିଅଲ୍ ଟ୍ୟାଙ୍କର୍ ଅଛି । 

ପାକିସ୍ତାନର ସ୍ଥଳସେନା ପାଖରେ ଅଛି- ୩ ହଜାର ୭୪୨ ଟ୍ୟାଙ୍କ, ୫୦ ହଜାର ୫୨୩ ଯୁଦ୍ଧାସ୍ତ୍ର ପରିବହନକାରୀ ଭେଇକିଲ୍, ୭୫୨ ସ୍ୱୟଂ-ଚାଳିତ ତୋପ,୬୯୨ ମୋବାଇଲ୍ ରକେଟ୍ ଲଞ୍ଚର୍ ରହିଛି। ସେହିପରି ନୌସେନା ପାଖରେ ୧୧୪ଟି ନୌସେନା ଜାହାଜ, ୮ ବୁଡ଼ାଜାହାଜ, ୯ ଯୁଦ୍ଧଜାହାଜ ସହ ଅନେକ ସ୍ୱଦେଶୀ ଏବଂ ଆମଦାନୀ ହୋଇଥିବା କ୍ଷେପଣାସ୍ତ୍ର ରହିଛି । 

ପାକିସ୍ତାନ ପାଖରେ ଯୁଦ୍ଧାସ୍ତ୍ର ଓ ଯୁଦ୍ଧବିମାନ ସହ ସୈନ୍ୟ ଥିଲେ ବି ଭାରତ ପାଖରେ ଯଥେଷ୍ଟ ଅଧିକ ସୈନ୍ୟ, ଉନ୍ନତ ଉପକରଣ, ଅଧିକ ଉନ୍ନତ ଜେଟ୍, ମିସାଇଲ୍ ଏବଂ ଏକ ବୃହତ ନୌସେନା ରହିଛି। ଯଦି ଉତ୍ତେଜନା ବୃଦ୍ଧି ପାଏ, ତେବେ ପାକିସ୍ତାନକୁ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଭାରତ ମୁହଁତୋଡ୍ ଜବାବ ଦେବା ସୁନିଶ୍ଚିତ ।