Advertisment

ଚୀନର ରହସ୍ୟମୟ ନିମୋନିଆକୁ ନେଇ ଭାରତରେ ଛନକା, କୋଭିଡ୍ ଭଳି ସର୍ଭେଲାନ୍ସ ପାଇଁ କେନ୍ଦ୍ରର ପରାମର୍ଶ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଚୀନରେ ଶିଶୁଙ୍କ ଠାରେ ଦେଖାଦେଇଥିବା ନିମୋନିଆ ସଂକ୍ରମଣ କୌଣସି ନୂଆ ଭୂତାଣୁ ଯୋଗୁ ହୋଇନି। ଏସବୁ ଭୂତାଣୁ ଆମ ଦେଶରେ ବି ରହିଛି ।

China Pneumonia

China Pneumonia

Advertisment

ଉତ୍ତର ଚୀନରେ ଏବେ ନିମୋନିଆ ସଂକ୍ରମଣ ହାଉଜାଉ। ଶିଶୁଙ୍କଠାରେ ବ୍ୟାପୁଛି ଶ୍ୱାସରୋଗ। ଆଉ ଏପଟେ ଭାରତ ସରକାର ଛାନିଆ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସବୁ ରାଜ୍ୟକୁ ଜାରି କରିଛି ମାର୍ଗଦର୍ଶିକା। ଶ୍ୱାସଜନିତ ରୋଗର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଚିଠିରେ କୁହାଯାଇଛି, ତୁରନ୍ତ ରାଜ୍ୟରେ ମାନବ ସମ୍ବଳ, ହସ୍ପିଟାଲ ବେଡ୍ ଓ ଭେଣ୍ଟିଲେଟର, ଇନ୍‌ଫ୍ଲୁଏଞ୍ଜା ପାଇଁ ଔଷଧ ଓ ଟିକା, ଅକ୍ସିଜେନ୍, ଆଣ୍ଟିବାୟୋଟିକ୍, ଟେଷ୍ଟିଂ କିଟ୍ ଓ ହସ୍ପିଟାଲ ପ୍ରସ୍ତୁତିର ସମୀକ୍ଷା କର।

Advertisment

ତା ସହିତ ଚଳିତ ବର୍ଷ ପ୍ରାରମ୍ଭରେ କୋଭିଡ୍-୧୯ ପାଇଁ ଜାରି ହୋଇଥିବା ସଂଶୋଧିତ ସର୍ଭେଲାନ୍ସ ଷ୍ଟ୍ରାଟେଜି ଅପରେସନାଲ ଗାଇଡଲାଇନ୍‌କୁ କାର୍ଯ୍ୟକାରୀ କର। ଇନ୍‌ଫ୍ଲୁଏଞ୍ଜା ଭଳି ଅସୁସ୍ଥତା ବା ILI ଓ ସିଭିୟର ଆକ୍ୟୁଟ୍ ରେସ୍ପିରେଟୋରି ଡିଜିଜେସ୍ – SARIକୁ ଉଭୟ ଜିଲ୍ଲା ଓ ରାଜ୍ୟ ସ୍ତରରେ ପରିଚାଳନା ଲାଗି ପରାମର୍ଶ ଦିଆଯାଇଛି । ଏଭଳି ଲକ୍ଷଣ ଥିବା ରୋଗୀ ମୁଖ୍ୟତଃ ଶିଶୁ ଓ କିଶୋରଙ୍କର ନାକ ଓ ଗଳାର ସ୍ୱାବ୍‌ ନମୁନାକୁ ରାଜ୍ୟରେ ଥିବା ଭୂତାଣୁ ଗବେଷଣା ଲାବୋରେଟୋରିକୁ ପଠାଇବାକୁ ମଧ୍ୟ କୁହାଯାଇଛି । ତେବେ ଚୀନରେ ଦେଖାଦେଇଥିବା ଏ ସ୍ଥିତି ନେଇ କେନ୍ଦ୍ର ସରକାର ନଜର ରଖିଛନ୍ତି, ଏନେଇ ଭୟଭୀତ ହେବାର କାରଣ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତି ଜରିଆରେ ସୂଚନା ଦେଇଛି । ଏପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସମ୍ଭାବ୍ୟ ରୋଗ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଚୀନରେ ଶିଶୁଙ୍କ ଠାରେ ଦେଖାଦେଇଥିବା ନିମୋନିଆ ସଂକ୍ରମଣ କୌଣସି ନୂଆ ଭୂତାଣୁ ଯୋଗୁ ହୋଇନି। ଏସବୁ ଭୂତାଣୁ ଆମ ଦେଶରେ ବି ରହିଛି । ସାଧାରଣତଃ ଭାବେ ଶୀତଦିନେ ଇନ୍‌ଫ୍ଲୁଏଞ୍ଜା ଭଳି ସଂକ୍ରମଣ ଦେଖାଦେଇଥାଏ। ତେବେ ଆମକୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ । ଯେଉଁ ବୟସ୍କ ବା ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତି ଇନ୍‌ଫ୍ଲୁଏଞ୍ଜା ଟିକା ନେଇନାହାନ୍ତି ସେମାନେ ନେଇଯିବା ଆବଶ୍ୟକ । ଯଦି କାହାକୁ ଜ୍ୱର ଓ କାଶ ଭଳି ଲକ୍ଷଣ ଦେଖାଦେଉଛି, ସେମାନେ ଘରୁ ବାହାରିବା ଅନୁଚିତ । ଯଦି ବାହାରକୁ ଯାଉଛନ୍ତି, ମାସ୍କ ପିନ୍ଧନ୍ତୁ । ବାରମ୍ବାର ହାତ ଧୁଅନ୍ତୁ ।

Advertisment

ଚୀନରୁ ବ୍ୟାପିଥିବା କୋଭିଡ୍ ଭୂତାଣୁ ସାରା ବିଶ୍ୱରେ ମହାମାରୀର ଆତଙ୍କ ରଚିଥିଲା। ଏଣୁ ଏବେ ସେଠାକାର ଶିଶୁଙ୍କଠାରେ ବ୍ୟାପୁଥିବା ଏ ନିମୋନିଆ ଆଗକୁ କି ରୂପ ନେବ, ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

India China Pneumonia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ