India Pakistan War Support
ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଯୁଦ୍ଧ ସ୍ଥିତିରେ ପହଞ୍ଚି ସାରିଛି । ଯେକୌଣସି ମୁହୂର୍ତ୍ତରେ ପହଲଗାମ୍ ନରସଂହାରର ପ୍ରତିଶୋଧ ନେବାକୁ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିପାରେ । ପୂର୍ଣ୍ଣ କ୍ଷମତା ସହ ପୁରା ତୟାର ତିନି ସେନା, ଜଳ-ସ୍ଥଳ-ଆକାଶ ମାର୍ଗରେ ଘନ ଘନ ଚାଲିଛି ସମରାଭ୍ୟାସ । ଏପରି ସ୍ଥଳେ ଯଦି ବାସ୍ତବରେ ଭାରତ-ପାକିସ୍ତାନ ଯୁଦ୍ଧ ହୁଏ, ତା'ହେଲେ କେଉଁ ଦେଶ କାହାକୁ ସମର୍ଥନ କରିବ ସେନେଇ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ, ଖାସ୍ କରି ଇସଲାମିକ ଦେଶ...
ଭାରତର ଉତ୍ତମ ବ୍ୟବସାୟିକ ସହଯୋଗୀ ଥିବା ସାଉଦି ଆରବ, କତାର, ୟୁଏଇ ଆଦି ଇସଲାମିକ ରାଷ୍ଟ୍ରଗୁଡିକ କାହାକୁ ସମର୍ଥନ କରିବେ, ଭାରତ ନା ପାକିସ୍ତାନ ? ଯଦି ଦେଖାଯାଏ, ଇସଲାମିକ ଦେଶଗୁଡିକ ଧାର୍ମିକ ଏକତା ଅପେକ୍ଷା ସେମାନଙ୍କ ଭୂ-ରାଜନୈତିକ, ଅର୍ଥନୈତିକ ଲାଭ ଏବଂ ଆଞ୍ଚଳିକ ସ୍ଥିରତାକୁ ପ୍ରାଥମିକତା ଦେଉଛନ୍ତି । ଇରାନ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ ପୂର୍ବରୁ ମଧ୍ୟସ୍ଥତା ପ୍ରସ୍ତାବ ଦେଇସାରିଛି । ପାକିସ୍ତାନକୁ ସମର୍ଥନ ଦେବା ପରିବର୍ତ୍ତେ ନିଜକୁ ଏକ ନିରପେକ୍ଷ ପକ୍ଷ ଭାବରେ ଛିଡା କରିଛି ।
ଅଧିକାଂଶ ଇସଲାମିକ ରାଷ୍ଟ୍ର ପାକିସ୍ତାନ ସପକ୍ଷରେ ଛିଡା ହେବାକୁ ସଙ୍କୋଚ କରୁଛନ୍ତି । ଏହା ବଡ଼ କାରଣ ହେଲା- ଭାରତ ସେହି ଦେଶଗୁଡିକ ଲାଗି ଏକ ବିଶାଳ ଓ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ପାର୍ଟନର ଅଟେ । ଏହି ଦୃଷ୍ଟିରୁ ସେମାନେ ଭାରତ ସହ ନିଜର ସମ୍ପର୍କ ଖରାପ କରିବାକୁ ଚାହୁଁନାହାନ୍ତି ।
ଇସଲାମିକ ରାଷ୍ଟ୍ର:
ସାଉଦି ଆରବ, ୟୁଏଇ କତାର ଭଳି ଆରବ ଓ ଗଲ୍ପ ଦେଶଗୁଡିକ ବାଣିଜ୍ୟ, ଶ୍ରମ, ଶକ୍ତି ରପ୍ତାନୀ ଇତ୍ୟାଦି ବିଭିନ୍ନ ବ୍ୟବସାୟିକ କ୍ଷେତ୍ର ମାଧ୍ୟମରେ ଭାରତ ସହ ଯୋଡି ହୋଇରହିଛନ୍ତି । ସୂତ୍ର ଅନୁସାରେ, ଏହି ଦେଶଗୁଡିକ ପାକିସ୍ତାନ ପ୍ରତି ନିଃସର୍ତ୍ତ ସମର୍ଥନ ଦେବାକୁ ଏଡାଉଛନ୍ତି ଯେହେତୁ ଭାରତ ସେମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ଅଂଶୀଦାର । ସାଉଦି ଆରବ ପହଲଗାମ ଆକ୍ରମଣ ସମ୍ପର୍କରେ କୌଣସି ବିବୃତ୍ତି ଜାରି କରିନଥିବା ବେଳେ କାଶ୍ମୀରକୁ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ଭାବରେ ବିବେଚନା କରେ ।
ଯଦି ସୂତ୍ରକୁ ବିଶ୍ୱାସ କରିବା, ତାହେଲେ ସାଉଦି ଆରବ କୌଣସି ପ୍ରକାର ବିବାଦ ମଧ୍ୟରେ ହସ୍ତକ୍ଷେପ କରିବାକୁ ଚାହେଁନି ବରଂ 'ଭିଜନ ୨୦୩୦' ଅଧିନରେ ସେ ଏହାର ରାଜସ୍ୱ ବୃଦ୍ଧି ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରିଛି, ଯେଉଁଠି ଭାରତର ଭୂମିକା ବେଶ୍ ମହତ୍ତ୍ୱପୂର୍ଣ୍ଣ ।
କତାର ମଧ୍ୟ ଏହି ପ୍ରସଙ୍ଗରେ ନିଜର ନିରପେକ୍ଷତା ବଜାୟ ରଖିଛି । ଏହାର ବୈଦେଶିକ ନୀତି ଅର୍ଥନୈତିକ ସ୍ଥିରତା ଏବଂ ଆଞ୍ଚଳିକ ବିବାଦ କ୍ଷେତ୍ରରେ ନିରପେକ୍ଷତା ବଜାୟ ରଖିବା ପ୍ରତି ଧ୍ୟାନ ଦେଉଥିବା ବେଳେ ଧାର୍ମିକ ଏକତା ଉପରେ ଅର୍ଥନୈତିକ ସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦେଉଛି ।
ଯଦିଓ ୟୁଏଇ ଭାରତର ସିନ୍ଧୁ ଜଳ ଚୁକ୍ତି ରବ୍ଦ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିଛି ହେଲେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଦେଇନାହିଁ । ଭାରତ ସହ ୟୁଏଇର ୮୫ ବିଲିୟନ ଡଲାରର ବାଣିଜ୍ୟ କାରବାର ତଥା ଭାରତୀୟ ଶ୍ରମ ଓ ନିବେଶ ଉପରେ ଏହାର ନିର୍ଭରଶୀଳତା ଏହାକୁ ସନ୍ତୁଳିତ ଆଭିମୁଖ୍ୟ ଆପଣାଇବାକୁ ବାଧ୍ୟ କରୁଛି ।
ଐତିହାସିକ ଦୃଷ୍ଟିରୁ ତୁର୍କୀ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସମର୍ଥନ କରେ, କିନ୍ତୁ ଏଥର ମାପି ଚୁପି ନିଜର ଆଭିମୁଖ୍ୟ ରଖୁଛି । ୨୦୨୪ରେ ଭାରତ ସହ ତୁର୍କୀର ୧୦ ବିଲିୟନ ଡାଲର ବ୍ୟାପାର ଏହାକୁ ଭାରତ ବିରୋଧୀ ନହେବାକୁ ବାଧ୍ୟ କରୁଛି । ତୁର୍କୀର ପ୍ରତିକ୍ରିୟା କେବଳ କୂଟନୈତିକ ବୟାନ ମଧ୍ୟରେ ସୀମିତ ରହିଛି, ଯାହା ଭାରତ ସହ ଏହାର ଆର୍ଥିକ ସମ୍ବନ୍ଧ ବଜାୟ ରଖିବାର ପ୍ରୟାସକୁ ଦର୍ଶାଉଛି । ତୁର୍କୀ ନିକଟରେ ଏକ ସ୍ପଷ୍ଟୀକରଣ ଜାରି କରି ପାକିସ୍ତାନକୁ କୌଣସି ଅସ୍ତ୍ରଶସ୍ତ୍ର ଯୋଗାଣ କରୁନଥିବା କହିଥିଲା ।
ଚୀନ:
ଯଦି ଚୀନ କଥା କୁହାଯାଏ, ତାହେଲେ ଭାରତ ସହ ତୀବ୍ର ଉତ୍ତେଜନା ଭିତରେ ଚୀନ ଖୋଲାଖୋଲି ଭାବେ ପାକିସ୍ତାନକୁ ସମର୍ଥନ ଘୋଷଣା କରିଛି । ଚୀନ କହିଛି, ସେ ପାକିସ୍ତାନର ସାର୍ବଭୌମତ୍ୱକୁ ସମର୍ଥନ କରିବ ଓ ଏହାର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ କାଏମ ରଖିବ । ଏପରିକି ପହଲଗାମ୍ ଆକ୍ରମଣର ଅନ୍ତରାଷ୍ଟ୍ରୀୟ ତଦନ୍ତ ପାଇଁ ପାକିସ୍ତାନର ଦାବିକୁ ମଧ୍ୟ ପୂର୍ବରୁ ସେ ସମର୍ଥନ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746542391.jpg)