ରେଳ ସୁରକ୍ଷା ପାଇଁ ସାରା ଦେଶରେ ଲଗାଯିବ କବଚ ସିଷ୍ଟମ: ରେଳମନ୍ତ୍ରୀ

ବାଲେଶ୍ୱର ବାହାନଗା ଭଳି ଦୁର୍ଘଟଣା ଏଡ଼ାଇବା ପାଇଁ ନୂଆ ବ୍ୟବସ୍ଥା ଅଣାଯାଇଛି । ରେଳ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Ashwini Vaishnaw

ବାଲେଶ୍ୱର ବାହାନଗା ଦୁର୍ଘଟଣା ପରେ ରେଳ ସୁରକ୍ଷା ଦିଗରେ ନିଆଯାଇଛି ବ୍ୟାପକ ପଦକ୍ଷେପ । ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ଏହା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଛନ୍ତି, ବାଲେଶ୍ୱର ବାହାନଗା ଭଳି ଦୁର୍ଘଟଣା ଏଡ଼ାଇବା ପାଇଁ ନୂଆ ବ୍ୟବସ୍ଥା ଅଣାଯାଇଛି । ପ୍ୟାନେଲ ଡାଇରେକ୍ଟ ଡ୍ରାଇଭ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ସେଥିରେ ପ୍ୟାନେଲ ରହିବ ନାହିଁ । ତେଣୁ ସେଥିରେ କିଛି ଗଡ଼ବଡ଼ି କରାଯାଇ ପାରିବନି ।

ମଧ୍ୟପ୍ରଦେଶ ରତଲାମରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି । ରେଳ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ରେଳମନ୍ତ୍ରୀ । କହିଛନ୍ତି, ଉପା ସରକାର ବେଳେ ବର୍ଷକୁ ୧୭୧ଟି ଦୁର୍ଘଟଣା ଘଟୁଥିଲା । ଏବେ ଗତ ବର୍ଷ ୪୦ଟି ଘଟଣା ଘଟିଛି । ପ୍ରତି ଘଟଣାକୁ ଗମ୍ଭୀରତାର ସହ ନିଆଯାଇ ତଦନ୍ତ କରାଯାଉଛି । କେଉଁ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଲା ତଦନ୍ତ କରାଯାଇ ସୁଧାର ଅଣାଯାଉଛି । ଏଥିସହ ସେ କହିଛନ୍ତି, ୯୭ ହଜାର ସିଗ୍ନାଲ ପ୍ୟାନେଲ ଯାଞ୍ଚ କରାଯାଇଛି । ୨୫ ହଜାର କିମି ରେଳ ଲାଇନ୍ ନବୀକରଣ କାର୍ଯ୍ୟ କରାଯାଇଛି । ୧ ଲକ୍ଷ ୮୬ ହଜାର କିମି ଟ୍ରାକ୍  ଅଲଟ୍ରାସାଉଣ୍ଡ ଟେଷ୍ଟ କରାଯାଇଛି । ୯୯୦ ରେଳ ସେତୁ ନବୀକରଣ ହୋଇଛି ଏବଂ ୫୩୦୦ ଫଗ୍  ସେଫ୍ଟି ଡିଭାଇସ୍ ଲାଗିଛି । 

ରେଳ ଦୁର୍ଘଟଣା ରୋକିବାକୁ କବଚ ସିଷ୍ଟମ୍ ଲାଗୁ କରିବା ଉପରେ ମଧ୍ୟ ବଡ଼ ଅପଡେଟ୍ ଦେଇଛନ୍ତି ରେଳମନ୍ତ୍ରୀ । କହିଛନ୍ତି ୬ ବର୍ଷ ଭିତରେ କବଚ କାମ ସରିବ । ରେଳ ସୁରକ୍ଷା ପାଇଁ ସାରା ଦେଶରେ ଲଗାଯିବ କବଚ ସିଷ୍ଟମ । ଆଗାମୀ ୬ ବର୍ଷ ଭିତରେ ସାରା ଦେଶରେ କବଚ ଲଗାଯିବ । କବଚ ଲଗାଇବା ନେଇ ଜୋରଦାର୍  ଭାବେ କାମ ଚାଲୁ ରହିଛି । ୯୬୦୦ ଟ୍ରାକ୍ ରେ କବଚ ଲଗାଇବା ପାଇଁ ଟେଣ୍ଡର ଡକାଯାଇଛି ବୋଲି ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।