ଛଟପୂଜା ପାଇଁ ଷ୍ଟେସନ୍‌ରେ ପ୍ରବଳ ଭିଡ଼, ଜଣେ ମୃତ

ଦୌଡ଼ା ଦୌଡ଼ି ମଧ୍ୟରେ ଜଣେ ୪୦ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Surat Station

ଆମେ ସମସ୍ତେ ଜାଣନ୍ତି, ବିହାରର ଏକ ସ୍ୱତନ୍ତ୍ର ପର୍ବ ହେଉଛି ଛଟ୍ ପୂଜା । ଆଉ ଏଥିପାଇଁ ପ୍ରତ୍ୟେକ ବିହାରୀ, ଯିଏ ଯେଉଁଠି ବି ଥାଉ ଯେତେ ଦୂରରେ ଥାଉ ସମସ୍ତେ ଘରକୁ ଅବା ନିଜ ରାଜ୍ୟକୁ ନିଶ୍ଚିତ ଫେରିଥାନ୍ତି । ଠିକ୍‌ ସେମିତି ଗୁଜରାଟ୍‌ର ସୁରଟରେ ରହୁଥିବା ଅନେକ ବିହାରୀ ଛଟ୍‌ ପୂଜା ପାଇଁ ଶନିବାର ବହାରିଥିଲେ ଘରକୁ । ଫଳରେ ରେଳ ଷ୍ଟେସନ୍‌ରେ ଜମିଥିଲା ଭିଡ଼ । ଯାହାକି ଜଣେ ବ୍ୟକ୍ତି ପାଇଁ ହେଲା କାଳ ।

ତେବେ ପୁରା କାହାଣିଟି ହେଲା, ସୁରଟରେ ରହି କାମ କରୁଥିବା ଅସଂଖ୍ୟ ବିହାରୀ ଶନିବାର ବିହାର ଅଭିମୁଖେ ବାହାରିଥିଲେ । ଯେଉଥିପାଇଁ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ହେଲେ ଏହି ଟ୍ରେନ୍‌ରେ ଏତେ ମାତ୍ରାରେ ଭିଡ଼ ହୋଇଥିଲା ଯେ, ରେଳ ଷ୍ଟେସନ୍‌ରେ ହିଁ ଦୌଡ଼ା ଦୌଡ଼ି ଆରମ୍ଭ ହୋଇଥିଲା । ଏହି ଦୌଡ଼ା ଦୌଡ଼ି ମଧ୍ୟରେ ଜଣେ ୪୦ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ୱେଷ୍ଟ କୋଷ୍ଟ ରେଲ୍‌ୱେର ପୋଲିସ ଅଧୀକ୍ଷକ ସରୋଜ କୁମାରୀ କହିଛନ୍ତି ଯେ, ଯାତ୍ରୀମାନେ ସକାଳେ ସୁରଟ ରେଳ ଷ୍ଟେସନରୁ ତାପ୍ତି ଗଙ୍ଗା ଏକ୍ସପ୍ରେସ ଟ୍ରେନରେ ଚଢ଼ିବା ପାଇଁ ଦୌଡ଼ିବା ଆରମ୍ଭ କରିଥିଲେ । ଯାହାଫଳରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଏବଂ କିଛି ଲୋକ ଭିଡ଼ କାରଣରୁ ଅଣନିଶ୍ୱାସୀ ହୋଇ ଅଚେତ ହୋଇ ପଡ଼ିଥିଲେ ।

ଅଧିକାରୀ ଜଣକ କହିଛନ୍ତି ଯେ, ଜଣେ ଯାତ୍ରୀଙ୍କର ହାର୍ଟ ସମସ୍ୟା ଦେଖାଯାଇଥିଲା । ତେଣୁ ପ୍ଲାଟଫର୍ମରେ ଉପସ୍ଥିତ ଜଣେ ପୋଲିସ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନେବା ପୂର୍ବରୁ ତାଙ୍କୁ ସିପିଆର୍ ଦେଇଥିଲେ । ଉକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିସାରିଛି । ତାଙ୍କ ନାଁ ବିରେନ୍ଦ୍ର ସିଂ ବୋଲି ଜଣାପଡ଼ିଛି ।

SMIMER ବା ସୁରଟ ମ୍ୟୁନିସିପାଲିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ, ହସ୍ପିଟାଲର ଅଧିକାରୀ ଜୟେଶ ପଟେଲ କହିଛନ୍ତି, ‘ଭିଡ଼ ଯୋଗୁଁ ଜଣେ ବ୍ୟକ୍ତି ତଳେ ପଡ଼ିଯାଇଥିଲେ । ତାଙ୍କୁ ମୃତ ଘୋଷଣା କରାଯାଇଛି । ମୃତ୍ୟୁର ପ୍ରକୃତ କାରଣ କେବଳ ପୋଷ୍ଟମର୍ଟମ ପରେ ଜଣାପଡିବ । ଅନ୍ୟ ଦୁଇଜଣ ଯାତ୍ରୀଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି, ସେମାନଙ୍କ ଚିକିତ୍ସା ଚାଲିଛି ।