ମଧ୍ୟାହ୍ନ ଭୋଜନ ପରଷିବା ବେଳେ ଅଘଟଣ : ତତଲା ଡାଲି ହଣ୍ଡାରେ ପଡ଼ିଗଲେ ଛାତ୍ରୀ

ହସ୍ପିଟାଲରେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ଛାତ୍ରୀ । ଖରା ଦିନେ ପୋଡ଼ା ଘା ଅସହ୍ୟ ଯନ୍ତ୍ରଣା ଦେଉଥିବା ବେଳେ ହସ୍ପିଟାଲ ପରିସର ତାଙ୍କ କାନ୍ଦଣାରେ ଫାଟି ପଡ଼ୁଛି ।

ପୋଡ଼ିଗଲା ସମ୍ପୂର୍ଣ୍ଣ ଶରୀର

ମଧ୍ୟାହ୍ନ ଭୋଜନ ପରସିବା ବେଳେ ବଡ଼ ଅଘଟଣ । ଗରମ ଡାଲି ହଣ୍ଡାରେ ପଡ଼ିଗଲେ ଛାତ୍ରୀ । ଛତିଶଗଡ଼ର କା‌ଙ୍କେର ଜିଲ୍ଲାର ଏକ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ପରଷିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗରମ ଡାଲିରେ ପଡ଼ି ପ୍ରଥମ ଶ୍ରେଣୀର ଜଣେ ଛାତ୍ରୀ ପୋଡ଼ି ହୋଇଯାଇଛନ୍ତି । ଆହତ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।

ଛତିଶଗଡ଼ ଭାନୁପ୍ରତାପପୁର ଅଞ୍ଚଳ ଅନ୍ତର୍ଗତ ବାନସଲା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ‌ଗତକାଲି ମଧ୍ୟାହ୍ନ ଭୋଜନ ପରଷା ଯାଉଥିଲା । ସବୁ ଛାତ୍ରଛାତ୍ରୀ ଏକାଠି ବସି ଖାଉଥିବା ବେଳେ ଜଣେ ୫ ବର୍ଷିୟ ଛାତ୍ରୀ ଗରମ ଡାଲି ଥିବା ହଣ୍ଡାରେ ପଡ଼ି ଯାଇଥିଲେ । ଫଳରେ ତତଲା ଡାଲିରେ ତାଙ୍କ ସମ୍ପୂର୍ଣ୍ଣ ଶରୀର ପୋଡ଼ି ଯାଇଛି । ଗୁରୁତର ଆହତ ହୋଇଥିବା ଛାତ୍ରୀଙ୍କ ନାମ ତେଜେଶ୍ୱରୀ ତାଣ୍ଡିଆ । ତାଙ୍କୁ ୫ ବର୍ଷ ବୟସ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଘଟଣା ଦିନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଡକା ଯାଇଥିଲା। ଏହି ସମୟରେ ଛାତ୍ରଛାତ୍ରୀ ଠେଲାପେଲା ହୋଇ ଖାଦ୍ୟ ଖାଇବା ପାଇଁ ପହଞ୍ଚି ଯାଇଥିଲେ । ଏତିକି ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପରଷା ଯିବାକୁ ଥିବା ଗରମ ଡାଲି ପାତ୍ର‌ରେ ତେଜେଶ୍ୱରୀ ପଡ଼ିଯାଇଥିଲେ । ଏଥିରେ ଛାତ୍ରୀଙ୍କ ଶରୀର ଜଳି ସମ୍ପୂର୍ଣ୍ଣ ଜଳିଯାଇଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ଆହତ ଛାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି , ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପରସିବା ବେଳେ ଧାଡିରେ ବସାଇବାର ନିୟମ ରହିଛି। ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ସ୍କୁଲର ପିଲାମାନଙ୍କୁ ଏକାଠି ଡକାଯାଇ ଖାଦ୍ୟ ପରିବେଷଣ କରାଯାଉଥିଲା । ମଧ୍ୟାହ୍ନ ଭୋଜନ ପରିବେଷଣ ପାଇଁ ଅନେକ ସମୟରେ ସ୍କୁଲ ପରିଚାଳନା କମିଟିକୁ ପ୍ରଶିକ୍ଷଣ ଦିଆଯାଏ, ଏହା ସତ୍ତ୍ୱେ ଏହି ଘଟଣା ଘଟିଛି । ଏହି ଘଟଣାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଅବହେଳା ହୋଇଥିବାର ପ୍ରମାଣ ପାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।