ଦେଶର ୩୦ତମ ସ୍ଥଳସେନା ମୁଖ୍ୟ ହେଲେ ଉପେନ୍ଦ୍ର ଦ୍ବିବେଦୀ

ଶେଷ ଦିନରେ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଜେନେରାଲ ମନୋଜ ପାଣ୍ଡେ ଦେଶର ୨୯ତମ ସ୍ଥଳ ସେନା ମୁଖ୍ୟ ଭାବେ ୨୦୨୨ ଏପ୍ରିଲ ୩୦ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ ।

New Army Chief

ଦେଶର ନୂଆ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଉପେନ୍ଦ୍ର ସ୍ଥଳସେନାର ଉପମୁଖ୍ୟ ସହ ନର୍ଦ୍ଦନ ଆର୍ମି ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ । ୧୯୮୪ରେ ସେ ଜମ୍ମୁ ଓ କଶ୍ମୀର ରାଇଫଲରେ ଚାକିରି ଆରମ୍ଭ କରିଥିଲେ ।

ସେପଟେ କାର୍ଯ୍ୟକାଳର ଶେଷ ଦିନରେ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଜେନେରାଲ ମନୋଜ ପାଣ୍ଡେ ଦେଶର ୨୯ତମ ସ୍ଥଳ ସେନା ମୁଖ୍ୟ ଭାବେ ୨୦୨୨ ଏପ୍ରିଲ ୩୦ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ । ନିଜର ୨୬ ମାସର କାର୍ଯ୍ୟକାଳରେ ସ୍ଥଳସେନାକୁ ମଜବୁତ କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ଏ ଅବସରରେ ତିନି ସେନାର ମୁଖ୍ୟ ଜାତୀୟ ସମର ସ୍ମାରକୀରେ ଉପସ୍ଥିତ ରହି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ସେପଟେ ଆସନ୍ତୁ ଜାଣିବା ଆଉ ଏକ ରୋଚକ ତଥ୍ୟ ଉପରେ । ଭାରତର ଦୁଇ ସେନା ମୁଖ୍ୟ ହେଉଛନ୍ତି ଦୁଇ ସାଙ୍ଗ । ଭାରତୀୟ ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଓ ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ ତ୍ରିପାଠୀ ଏକାଠି ପଢ଼ୁଥିଲେ, ଏକାଠି ସେନାକୁ ଯିବା ସ୍ୱପ୍ନ ମଧ୍ୟ ଦେଖିଥିଲେ । ମଧ୍ୟପ୍ରଦେଶ ରେୱା ସୈନିକ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ଓ ଆଡମିରାଲ୍ ଦିନେଶ ତ୍ରିପାଠୀ ।

ଗୋଟିଏ ସ୍କୁଲ, ଗୋଟିଏ କ୍ଲାସ ରୁମରେ ବସି ପଢ଼ୁଥିଲେ । ଦେଶ ସେବା ପାଇଁ ସେଦିନ ଦେଖିଥିବା ସ୍ୱପ୍ନ ଆଉ ତା ପରର ଅଦମ୍ୟ ସାହସ, କର୍ତ୍ତବ୍ୟନିଷ୍ଠ ତାଙ୍କ ସ୍ୱପ୍ନକୁ ପୂରଣ କରିଛି । ମାଆ ମାଟିର ସେବା କରିବାକୁ ଛୋଟ ବୟସରୁ ହିଁ କଅଁଳ କାନ୍ଧ ଦାୟିତ୍ବ ସମ୍ଭାଳି ନେଇଥିଲା। ଆଜି ଦୁଇ ଜଣ ଦେଶର ଦୁଇ ସେନାର ସବୋର୍ଚ୍ଚ ପଦ ସମ୍ଭାଳିଛନ୍ତି।