Advertisment

ବିହାରର ଭଗୀରଥ: ନିଜ ଉଦ୍ୟମରେ ଗାଁକୁ ଆଣିଛନ୍ତି ବର୍ଷାଜଳ

୩୦ ବର୍ଷର କଠିନ ପରିଶ୍ରମ ପରେ ଗାଁକୁ ପାଣି ଆସିଛି, କ୍ଷେତରେ ଫସଲ ବି ହସୁଛି। ହେଲେ ସରିନାହିଁ ବିହାରର ଏହି ଭଗିରଥ ବୋଲାଉଥିବା ୭୦ ବର୍ଷୀୟ ଲୌଙ୍ଗି ଭୂଇଆଁଙ୍କ ସାଧନା।

Laungi Bhuiyan

Laungi Bhuiyan

Advertisment

ପାଟନା: ପୁରାଣରେ ଲିପିବଦ୍ଧ ଭଗିରଥଙ୍କ ଗାଥା। ସହସ୍ର ବର୍ଷ ତପସ୍ୟା ପରେ ଦେବୀ ଗଙ୍ଗାଙ୍କୁ ତୁଷ୍ଟ କରି ସ୍ୱର୍ଗଲୋକରୁ ଭୂଲୋକକୁ ନେଇ ଆସିଥିଲେ ରାଜା ଭଗିରଥ। ସେଇଥିପାଇଁ ତ, ଗଙ୍ଗାର ଆଉ ଏକ ନାଁ ଭାଗିରଥି। ହେଲେ ଇଏ ରାଜା ନୁହଁନ୍ତି, କି ସ୍ୱର୍ଗରୁ କୌଣସି ଦେବୀଙ୍କୁ ବି ମର୍ତ୍ତ୍ୟକୁ ଆଣିନାହାନ୍ତି। ଅଥଚ ଏହି ପରିଣତ ବୟସ୍କ ଗରିବ ଖଟିଖିଆ ଲୋକଟିକୁ ସମସ୍ତେ କହୁଛନ୍ତି, ବିହାରର ଭଗିରଥ। କାରଣ ସେ ଦୀର୍ଘ ୩୦ ବର୍ଷ ଧରି ଯେଉଁ ଇଚ୍ଛାଶକ୍ତି ଓ ପରିଶ୍ରମର ପରାକାଷ୍ଠା ଦେଖାଇଛନ୍ତି, ତାହା କୌଣସି ତପସ୍ୟାଠୁ କମ୍ ନୁହେଁ; କି ଯେଉଁ ଛୋଟ ନାଳଟିକୁ ନିଜ ଗାଁ ଯାଏଁ ଟାଣିଆଣିଛନ୍ତି, ତାହା ଏଠାକାର ଚାଷୀଙ୍କ ପାଇଁ ଗଙ୍ଗାନଦୀଠୁ ବି କମ୍ ନୁହେଁ।

Advertisment

ବିହାର ଗୟା ଜିଲ୍ଲା ଲହଟୁଆ ଅଞ୍ଚଳର ପଛୁଆ ଗାଁ କୋଠଲିଆ ବିକାଶର ରଥ ଏଠି ପହଞ୍ଚିବା ତ ଦୂରର କଥା, ଚାଷ ପାଇଁ ପାଣି ବି ପହଞ୍ଚୁନଥିଲା। ଜଳକ୍ଳିଷ୍ଟ ଇଲାକାରେ ଲୋକମାନେ କେବଳ ବର୍ଷାଜଳ ଉପରେ ନିର୍ଭର କରି ଅଳ୍ପ କିଛି ଚାଷ କରୁଥିଲେ। ହେଲେ ସେମାନଙ୍କ ପାଇଁ ଭଗିରଥ ସାଜିଲେ ଲୌଙ୍ଗି ଭୂଇୟାଁ। ବିନା କାହାର ସହଯୋଗରେ, ଏକାକି ଖୋଳିଦେଲେ ୩ କିଲୋମିଟର ଦୀର୍ଘ କେନାଲ୍ ଟିଏ। ପାହାଡ଼ ତଳ ନଦୀରୁ ଗାଁ ପୋଖରୀ ଯାଏଁ ପାଣି ଆଣିବାକୁ ତାଙ୍କୁ ଲାଗିଗଲା ୩୦ ବର୍ଷ।

୩୦ ବର୍ଷର କଠିନ ପରିଶ୍ରମ ପରେ ଗାଁକୁ ପାଣି ଆସିଛି, କ୍ଷେତରେ ଫସଲ ବି ହସୁଛି। ହେଲେ ସରିନାହିଁ ବିହାରର ଏହି ଭଗିରଥ ବୋଲାଉଥିବା ୭୦ ବର୍ଷୀୟ ଲୌଙ୍ଗି ଭୂଇଆଁଙ୍କ ସାଧନା। ଏବେବି ନିଇତି ସକାଳ ହେଲେ କୋଡ଼ି କୋଦାଳ ଧରି ବାହାରି ଯାଉଛନ୍ତି ନିଜ କର୍ମସ୍ଥଳକୁ। ନିଜ ଯୌବନକୁ ଜଳାଞ୍ଜଳି ଦେଇ ଗୋଟିଏ ୩ କିଲୋମିଟର ଲମ୍ବ କେନାଲ୍ ଖୋଳିବା କାମ ସେ ସମ୍ପୂର୍ଣ୍ଣ କରିବା ପରେ, ସେ ପରିଣତ ବୟସରେ ବି ଆଉ ଏକ କେନାଲ୍ ଖୋଳିବାର ସ୍ୱପ୍ନ ଦେଖୁଛନ୍ତି  ଖାଲି ଦେଖୁନାହାନ୍ତି, କାମ ବି ଆରମ୍ଭ କରିସାରିଛନ୍ତି।

Advertisment

ଦଶରଥ ମାଂଝୀ, ବିହାରର ଆଉ ଜଣେ ଚର୍ଚ୍ଚିତ ଓ ପ୍ରଶଂସିତ ବ୍ୟକ୍ତିତ୍ୱ। ବିହାର ଗେହଲୌରର ଦଶରଥ ନିଜ ହାତରେ ଖୋଳିପକାଇଥିଲେ ବିରାଟ ପାହାଡ଼। ଯାହାକି ତାଙ୍କୁ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ପରିଚିତ କରାଇଥିଲା ମାଉଣ୍ଟେନ୍ ମ୍ୟାନ୍ ଭାବେ। ବର୍ଷ ବର୍ଷ ଧରି ରକ୍ତକୁ ଝାଳ କରି ସେ ବୁହାଇ ଦେଇଥିଲେ। ତାଙ୍କ ସଂଘର୍ଷ ଓ ସାଧନାର କାହାଣୀକୁ ନେଇ ବଲିଉଡ୍ ଫିଲ୍ମ ମଧ୍ୟ ନିର୍ମାଣ ହୋଇଛି। 

ତେବେ ସେହି ବିହାର ଗୟାର ଲୌଙ୍ଗି ଭୂଇଆଁଙ୍କ କଥା ପ୍ରଚାର ହେବା ପରେ, ତାଙ୍କୁ ଅନେକେ କେନାଲ୍ ମ୍ୟାନ୍ ଓ ଦ୍ୱିତୀୟ ଦଶରଥ ମାଂଝୀ ବୋଲି ମଧ୍ୟ କହୁଛନ୍ତି। ଗତବର୍ଷ ପ୍ରଥମ କେନାଲ୍ ଖୋଳିବା ବେଳେ, ଲୌଙ୍ଗି କହିଥିଲେ ଯେ, ସେ ଜୀବନରେ ଆଉ କିଛି ଚାହାନ୍ତିନି, କେବଳ ଗୋଟିଏ ଟ୍ରାକ୍ଟର ବ୍ୟତୀତ। ଏହାକୁ ନେଇ ଚର୍ଚ୍ଚା ସୃଷ୍ଟି ହେବା ପରେ ନିଜେ ଟୁଇଟ୍ କରି ତାଙ୍କୁ ଟ୍ରାକ୍ଟର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ରାକ୍ଟର ପାଇ ବେଶ୍ ଲୌଙ୍ଗି ଖୁସି ହୋଇଥିଲେ।

Advertisment
Bihar Bhagirath Rain Water
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ