Advertisment

ବଜେଟ୍ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ, ‘ଭାରତ ବିଶ୍ୱର ସବୁଠୁ କ୍ଷୀପ୍ର ବେଗରେ ବିକଶିତ ହେଉଥିବା ରାଷ୍ଟ୍ର’

ଅଭିଭାଷଣରେ ରାମ ମନ୍ଦିର, ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ । କେନ୍ଦ୍ରର ବହୁ ଐତିହାସିକ ପଦକ୍ଷେପକୁ ପ୍ରଶଂସା ।

Narendra Modi

Narendra Modi

Advertisment

ପାରମ୍ପରିକ ଭବ୍ୟ ଶୋଭାଯାତ୍ରା । ବୈଭବଶାଳୀ ଭାରତୀୟ ଗଣତନ୍ତ୍ରର ପ୍ରତୀକ ସାଙ୍ଗୋଲ ସାଙ୍ଗରେ ନୂଆ ସଂସଦ ଭବନକୁ ରାଷ୍ଟ୍ରପତିଙ୍କ ପ୍ରବେଶ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ଅଧିବେଶନ । ଆଉ ବଜେଟ୍ ଆଗତ ପୂର୍ବରୁ ନୂଆ ସଂସଦ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଅଭିଭିଷଣ ବି । ମିଳିତ ଅଧିବେଶନକୁ ସମ୍ବୋଧନ ସହ ସରକାରଙ୍କ ବିଭିନ୍ନ ଯୋଜନା ଓ ଜନହିତକର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ରାଷ୍ଟ୍ରପତି କହିଥିଲେ ଭାରତ ଏବେ ବିଶ୍ୱର ସବୁଠୁ କ୍ଷୀପ୍ର ବେଗରେ ବିକଶିତ ହେଉଥିବା ରାଷ୍ଟ୍ର ।

Advertisment

୨୫ କୋଟି ଦେଶବାସୀ ଗରିବୀ ପଞ୍ଝାରୁ ମୁକୁଳିଛନ୍ତି । ୧ କୋଟି ୪୦ ଲକ୍ଷ ଲୋକ ଜିଏସଟି ଦେଉଛନ୍ତି । ମହାକାଶ ବିଜ୍ଞାନ କ୍ଷେତ୍ରରେ ସାମର୍ଥ୍ୟତାକୁ ପ୍ରତିପାଦିତ କରି ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ବିଶ୍ୱର ପ୍ରଥମ ରାଷ୍ଟ୍ର ହୋଇପାରିଛି । ସେହିପରି ଜି-ଟ୍ୱେଣ୍ଟି ସମ୍ମିଳନୀର ଆୟୋଜନ ଦେଶପାଇଁ ବଡ଼ ଉପଲବ୍ଧି ବୋଲି କହିବା ସହ କାଶ୍ମୀରରୁ ଧାରା ୩୭୦ ହଟାଯିବା, କ୍ରିମିନାଲ୍ ଜଷ୍ଟିସ୍ ସିଷ୍ଟମର ସଂଶୋଧନ, ନାରୀ ଶକ୍ତି ବନ୍ଦନ ଅଧିନିୟମ, ଟ୍ରିପଲ ତଲାକ୍ ଉଚ୍ଛେଦ, ନୂଆ ସଂସଦ ଭବନ ନିର୍ମାଣ ଭଳି ଅନେକ ପ୍ରସଙ୍ଗର ଅବତାରଣା କରିଥିଲେ ରାଷ୍ଟ୍ରପତି।

ଏହାସହ କହିଥିଲେ ଦେଶରେ ପର୍ଯ୍ୟଟନରେ ଅଭୂତପୂର୍ବ ବିକାଶ ଘଟିଛି । କାଶୀଠୁ ଆରମ୍ଭ କରି ଅଯୋଧ୍ୟା ଯାଏଁ ପର୍ଯ୍ୟଟନର ବିକାଶଧାରା ଦେଶକୁ ନୂଆ ଦିଶା ଦେଇଛି। ଯେଉଁ କାମ ପାଇଁ ଦଶନ୍ଧି ଦଶନ୍ଧିର ଅପେକ୍ଷା ଥିଲା ତାହା ଆଜି ପୂରା ହୋଇଥିବା କହିଛନ୍ତି ରାଷ୍ଟ୍ରପତି। ତେବେ ସାରା ଦେଶର ଆକାଂକ୍ଷା ଥିବା ରାମ ମନ୍ଦିର ଆଜି ବାସ୍ତବ ରୂପ ନେଇଥିବା ନେଇ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ସାଂସଦଙ୍କ କରତାଳିରେ କଂପି ଉଠିଥିଲା ସଂସଦ।

Advertisment

ରାଷ୍ଟ୍ରପତିଙ୍କ ଏଇ ଅଭିଭାଷଣ ସହ ଆଜିଠୁ ଆରମ୍ଭ ହୋଇଥିବା ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ଅଧିବେଶନ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ତେବେ ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ପରୋକ୍ଷରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସଂସଦରେ ହଙ୍ଗାମା କରୁଥିବା ସାଂସଦଙ୍କ ତୀବ୍ର ସମାଲୋଚନା କରି ବିଗତ ୧୦ ବର୍ଷରେ ଆପଣମାନେ କ’ଣ କରିଛନ୍ତି, ସମୀକ୍ଷା କରନ୍ତୁ ବୋଲି କହିବା ସହ ଏହି ଅଧିବେଶନ ବିରୋଧୀଙ୍କ ପାଇଁ ପଶ୍ଚାତାପର ଅବସର ବୋଲି କହିଛନ୍ତି । ଏପରିକି ଆସନ୍ତାକାଲି ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପିତ ହେବାକୁ ଯାଉଥିଲା ବେଳେ ପରେ ନିଜ ସରକାରର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ।

Advertisment

୨୪ ନିର୍ବାଚନରେ କ୍ଷମତାକୁ ଫେରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଇସାରା ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଆଳରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କ ଦ୍ୱାରା ନିର୍ବାଚନୀ ଭାଷଣ ଶୁଣାଉଥିବା ଅଭିଯୋଗ କରିଛି କଂଗ୍ରେସ।

ଅନ୍ୟପଟେ ରାତି ପାହିଲେ ଆଗତ ହେବ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ କିନ୍ତୁ କାମଚଳା ବଜେଟ୍ । ନିଜ ଷଷ୍ଠତମ ବଜେଟ୍ ଆଗତ ପାଇଁ ପୂରା ଟିମ୍ ସହ ପ୍ରସ୍ତୁତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ମଳାଙ୍କ ଏ ବଜେଟରୁ ଅସୁମାରୀ ଆଶା ରଖିଛନ୍ତି ସବୁ ବର୍ଗ। ଦରଦାମ ବୃଦ୍ଧିରେ ସନ୍ତୁଳି ହେଉଥିବା ସାଧାରଣ ଜନତା ଓ ମଧ୍ୟବିତ୍ତଙ୍କୁ ବଜେଟରେ ଅର୍ଥମନ୍ତ୍ରୀ ପେଟ୍ରୋଲ, ଡିଜେଲ ଦାମ କମାଇ ଏବଂ ଆୟକରରେ ରିହାତି ଆଣି ଆଶ୍ୱସ୍ତ କରିପାରନ୍ତି ବୋଲି ଆଶା କରାଯାଉଛି। ଚାଷୀଙ୍କ ପାଇଁ ନୂଆ ଯୋଜନା ଘୋଷଣା ବି ହୋଇପାରେ ।

ଅପରପକ୍ଷରେ ୭ ପ୍ରତିଶତ ହାରରେ ଅଭିବୃଦ୍ଧି ଜାରି ରଖିବାକୁ ଭିତ୍ତିଭୂମିରେ ଅଧିକ ପୁଞ୍ଜିନିବେଶ ସହ MSME ଓ ଷ୍ଟାର୍ଟଅପ୍ ଜରିଆରେ ଅଧିକ କର୍ମନିଯୁକ୍ତି ସୃଷ୍ଟି ପାଇଁ ପଦକ୍ଷେପ ଘୋଷଣା କରିପାରନ୍ତି। ଅନ୍ୟପକ୍ଷରେ ରେଳ ଯାତାୟାତକୁ ଅଧିକ ସୁଗମ କରିବାକୁ ଅଧିକ ଯାତ୍ରୀବାହୀ ଟ୍ରେନ୍ ପ୍ରଚଳନ ସହ ରେଳପଥର ସୁରକ୍ଷା ଓ ବିଭିନ୍ନ ସ୍ଥାନକୁ ନୂଆ ରେଳଲାଇନ ନେଇ ଘୋଷଣା ହୋଇପାରେ । ତେବେ ଅନ୍ତରୀଣ ବଜେଟ୍ ହୋଇଥିବାରୁ କୌଣସି ନୀତିଗତ ପରିବର୍ତ୍ତନ ହୋଇ ନପାରେ ବୋଲି କହିଛନ୍ତି ବିଶେଷଜ୍ଞ।

Interim Budget Budget 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ