Success Story: ବାପାଙ୍କଠୁ ୨୦ ହଜାର ନେଇ ଆରମ୍ଭ କରିଥିଲେ ବ୍ୟବସାୟ, ଆଜି ଦେଶର ୪ର୍ଥ ବଡ଼ କମ୍ପାନୀର ମାଲିକ

ବେପାର କରିବାକୁ ବାପାଙ୍କଠାରୁ ନେଇଥିଲେ ୨୦ ହଜାର ଟଙ୍କା । ସାଇକେଲ ପାର୍ଟ୍ସ ତିଆରିରୁ ଆରମ୍ଭ ହେଲା ବ୍ୟବସାୟିକ ଯାତ୍ରା । ଆଜି ସେ ଦେଶର ଦ୍ୱିତୀୟ ସର୍ବବୃହତ୍ ଟେଲିକମ୍ କମ୍ପାନୀ 'ଏୟାରଟେଲ' ମାଲିକ । ପଢନ୍ତୁ ଏୟାରଟେଲ ପ୍ରତିଷ୍ଠାତା ସୁନୀଲ ଭାରତୀ ମିତ୍ତଲଙ୍କ ସଫଳତାର କାହାଣୀ ସମ୍ପର୍କରେ...

ସୁନୀଲ ମିତ୍ତଲ ସଫଳତା କାହାଣୀ

ଏୟାରଟେଲ, ଦେଶର ଦ୍ୱିତୀୟ ସର୍ବବୃହତ୍ ଓ ଘରେ ଘରେ ପରିଚିତ ଟେଲିକମ୍ କମ୍ପାନୀ । ବର୍ଷ ବର୍ଷ ହେଲା ଏକ ଲୋକପ୍ରିୟ କମ୍ପାନୀ ଭାବେ ଗ୍ରାହକଙ୍କୁ ନିରନ୍ତର ସେବା ଯୋଗାଇଆସୁଛି । କେବଳ ଦେଶ ନୁହେଁ, ବିଦେଶରେ ବି ଏହାର ବ୍ୟବସାୟ ବିସ୍ତାର ହୋଇଛି । ଏୟାରଟେଲ୍‌ର ପ୍ରତିଷ୍ଠାତା ହେଉଛନ୍ତି ସୁନୀଲ ଭାରତୀ ମିତ୍ତଲ । ଆଜି ସେ ଦେଶର ଜଣେ ସଫଳ ଉଦ୍ୟୋଗପତି ଓ ବିତ୍ତଶାଳୀ ବ୍ୟକ୍ତି ମଧ୍ୟରୁ ଅନ୍ୟତମ । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ଟାଟା ଗ୍ରୁପ ପରେ ତାଙ୍କ କମ୍ପାନୀ ଏୟାରଟେଲ ଦେଶର ଚତୁର୍ଥ ବୃହତ କମ୍ପାନୀ ଅଟେ । ହେଲେ ଏହି ସଫଳତା ସୁନୀଲଙ୍କୁ ରାତାରାତି ମିଳିନଥିଲା । ଜଣେ ପ୍ରତିଷ୍ଠିତ ଘରର ପୁଅ ହେବା ସତ୍ତ୍ୱେ ସୁନୀଲଙ୍କ ବ୍ୟବସାୟିକ ଯାତ୍ରା କିଛି କମ୍ ସଂଘର୍ଷପୂର୍ଣ୍ଣ ନଥିଲା । 

୧୮ ବର୍ଷରୁ ବ୍ୟବସାୟ:

ସୁନୀଲ ମିତ୍ତଲଙ୍କ ସଫଳତାର କାହାଣୀ ଅନେକଙ୍କ ପାଇଁ ପ୍ରେରଣା । ମାତ୍ର ୧୮ ବର୍ଷ ବୟସରୁ ବ୍ୟବସାୟରେ ପାଦ ଦେଇଥିଲେ ସୁନୀଲ । ସାଇକେଲ୍ ପାର୍ଟ୍ସରୁ ଆରମ୍ଭ ହୋଇଥିଲା ବ୍ୟବସାୟିକ ଯାତ୍ରା । ଅନେକ କଠିନ ସମୟ, ପ୍ରତିକୂଳ ପରିସ୍ଥିତି ଦେଇ ସେ ଏୟାରଟେଲ୍ ଛିଡା କରିଥିଲେ । ଯେଉଁଠି ଜିଓର ଏଣ୍ଟ୍ରିରେ ବଡ଼ ବଡ଼ ଟେଲିକମ୍ କମ୍ପାନୀ ଧରାଶାୟୀ ହୋଇଗଲା, ସେଠି ଶକ୍ତ ପ୍ରାଚୀର ଭଳି ଛିଡା ହୋଇ ବତାସର ଦିଗ ବଦଳାଇ ଦେଇଥିଲେ ସୁନୀଲ ।

ରାଜନୀତିକ ପୃଷ୍ଠଭୂମିରୁ ବିଜନେସ୍ ଜିଆଣ୍ଟ:

୧୯୫୭ ଅକ୍ଟୋବର ୨୩ରେ ପଞ୍ଜାବ ଲୁଧିଆନାଠାରେ ସୁନୀଲ ଭାରତୀ ମିତ୍ତଲଙ୍କ ଜନ୍ମ । ତାଙ୍କ ବାପା ସତପାଲ ମିତ୍ତଲ ଦୁଇ ଥର ସାଂସଦ ଥିଲେ । ହେଲେ ସୁନୀଲ ନିଜ ବାପାଙ୍କ ଭଳି ରାଜନୀତିକୁ କ୍ୟାରିୟର କରିବା ବଦଳରେ ନିଜର ବ୍ୟବସାୟ ଖୋଲିବାକୁ ଚାହୁଁଥିଲେ । ବ୍ୟବସାୟ ପ୍ରତି ଅହେତୁକ ଆଗ୍ରହ ଏବଂ ଏଥିପ୍ରତି ଦୃଢ଼ ନିଷ୍ଠା ଓ କଠିନ ପରିଶ୍ରମ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା ।


ସୁନୀଲ ନାମୀଦାମୀ ସ୍କୁଲ କଲେଜରେ ପାଠ ପଢିଥିଲେ ବି ସଫଳତାର ଅସଲ ଶିକ୍ଷା ଶିଖିଥିଲେ ସଡ଼କରୁ । ସେ ବାପାଙ୍କଠାରୁ ୨୦ ହଜାର ଟଙ୍କା ନେଇ ପ୍ରଥମେ ସାଇକେଲ ବ୍ୟବସାୟ ଆରମ୍ଭ କରିଥିଲେ । ନିଜର ଜଣେ ବନ୍ଧୁ ସହ ମିଶି ସାଇକେଲ ପାର୍ଟ୍ସ ତିଆରି ୟୁନିଟ୍ ଖୋଲିଥିଲେ । ୩ ବର୍ଷରେ ସେ ୩ଟି ୟୁନିଟ୍ ଖୋଲିପାରିଥିଲେ । ଯଦିଓ ଏହି ବ୍ୟବସାୟରେ ଭଲ ଲାଭ ହେଉଥିଲା ହେଲେ ସେ ଏଥିରେ ବିଶେଷ ସମ୍ଭାବନା ଦେଖୁନଥିଲେ । 

ତେଣୁ ସୁନୀଲ ନିଜ ସାଇକେଲ କାରବାରକୁ ବିକ୍ରି କରିଦେଇ ଇଲେକ୍ଟ୍ରିକ ପାୱାର ଜେନେରେଟର ବ୍ୟବସାୟ ଆରମ୍ଭ କଲେ । କିନ୍ତୁ ୧୯୮୩ରେ ସରକାର ଜେନେରେଟର ରପ୍ତାନୀ ଉପରେ କଟକଣା ଲଗାଇଦେଲେ । ଏହାଦ୍ବାରା ସୁନୀଲଙ୍କ ବ୍ୟବସାୟକୁ ବଡ ଝଟ୍‌କା ଲାଗିଲା । ଏହାପରେ ସେ ବିଟଲ ନାମକ ଏକ ଫୋନ କାରବାର ଆରମ୍ଭ କଲେ ।  ଏହି ଫୋନକୁ ସେ ତାଇୱାନରୁ ଆମଦାନୀ କରୁଥିଲେ ।

ସାଇକେଲ ପାର୍ଟ୍ସରୁ ଏୟାରଟେଲ କମ୍ପାନୀ: 

୧୯୯୨ରେ ତାଙ୍କ ଜୀବନର ମୋଡ଼ ବଦଳିଥିଲା । ସେହି ସମୟରେ ସରକାର ପ୍ରଥମ ଥର ମୋବାଇଲ ନେଟୱାର୍କ ଲାଇସେନ୍ସ ନିଲାମ କରୁଥିଲେ । ସୁନୀଲ ମିତ୍ତଲଙ୍କ କମ୍ପାନୀ ଭାରତୀ ସେଲୁଲର ଲିମିଟେଡ (BCL) ବି ଏହି ନିଲାମରେ ଅଂଶ ଗ୍ରହଣ କଲା ଏବଂ ଲାଇସେନ୍ସ ପ୍ରାପ୍ତ କଲା । ସେ ଏହି କମ୍ପାନୀ ଅନ୍ତର୍ଗତ 'ଏୟାରଟେଲ ବ୍ରାଣ୍ଡ' ଆରମ୍ଭ କଲେ । ୨୦୦୮ ହେଉ ହେଉ ଦେଶରେ ଏୟାରଟେଲ ଗ୍ରାହକଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଲା । ଏହାସହିତ ଏୟାରଟେଲ ବିଶ୍ୱର ଟପ୍ ଟେଲିକମ୍ କମ୍ପାନୀ ଭିତରେ ଗଣାଗଲା । 

ଜିଓ ଏଣ୍ଟ୍ରି ଥିଲା ବଡ଼ ଚ୍ୟାଲେଞ୍ଜ:

ମାତ୍ର ୨୦୧୬ରେ ଟେଲିକମ୍ ସେକ୍ଟରରେ ଧମକାଦାର ଏଣ୍ଟ୍ରି କଲା ରିଲାଏନ୍ସ ଜିଓ । ଏହି କମ୍ପାନୀ ଥିଲା ଏସିଆର ସବୁଠୁ ବଡ ଧନୀ ମୁକେଶ ଅମ୍ବାନୀଙ୍କର । ଜିଓ ଫ୍ରି ଭଏସ୍ ଓ ଡାଟା ସର୍ଭିସ ଦେଲା । ଏହାର ପରିଣାମ ସୂରୁପ ଅନେକ ଟେଲିକମ୍ କମ୍ପାନୀରେ ତାଲା ଝୁଲିଥିଲା । ଭୋଡାଫୋନ ଓ ଆଇଡିଆ ହାତ ମିଶାଇଦେଲେ ।  ଏୟାରଟେଲ ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଇବା ସହ କମ୍ପାନୀ ବଡ଼ କ୍ଷତି ସହିଲା । ତଥାପି ଏୟାରଟେଲ ସେମିତି ମଜଭୁତ ଭାବେ ଛାଡି ହୋଇ ପ୍ରତିକୂଳ ସମୟର ସାମ୍ନା କଲା । ଯାହାର ଫଳସୂରୁପ ଆଜି ଏୟାରଟେଲ କେବଳ ଦେଶରେ ନୁହେଁ, ବିଶ୍ୱରେ ମଧ୍ୟ ଏକ ବୃହତ୍ ଟେଲିକମ୍ କମ୍ପାନୀ । ବର୍ତ୍ତମାନ ଏହି କମ୍ପାନୀ ଏସିଆ ଓ ଆଫ୍ରିକାର ୧୮ଟି ଦେଶରେ ଗ୍ରାହକଙ୍କୁ ସେବା ଯୋଗାଉଛି ।

୨୦୨୪ରେ ଏୟାରଟେଲ କମ୍ପାନୀର ବଜାର ପୁଞ୍ଜିରେ ୪ ଲକ୍ଷ କୋଟିରୁ ଅଧିକ ବୃଦ୍ଧି ଆସିଛି । ସମ୍ପ୍ରତି ଏହାର ମୋଟ ବଜାର ପୁଞ୍ଜି ୯୨୬,୪୩୩.୩୧ କୋଟି ଛୁଇଁବା ସହ ଦେଶର ଚତୁର୍ଥ ବୃହତ୍ କମ୍ପାନୀ ରହିଛି । ସୁନୀଲ ମିତ୍ତଲ ଭାରତର ଜଣେ ପ୍ରମୁଖ ଉଦ୍ୟୋଗପତି, ଯାହାଙ୍କ ନେଟୱର୍ଥ ୨୨.୫ ବିଲିୟନ ।  ଭାରତୀ ଏୟାରଟେଲରେ ତାଙ୍କର ୨୫ ପ୍ରତିଶତ ଅଂଶଧନ ରହିଛି । ଏହାସହ ଭାରତୀ ଏଣ୍ଟରପ୍ରାଇଜ ଓ ଅନ୍ୟ ହୋଲ୍ଡିଂ କମ୍ପାନୀରେ ମଧ୍ୟ ଅଂଶଧନ ରହିଛି ।