ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଦେହାନ୍ତ । ୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ ।

Buddhadeb Bhattacharya

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଦେହାନ୍ତ । ଆଜି ସକାଳେ କୋଲକାତା ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ଓ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ମାତ୍ର ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଏହି ଭେଟେରାନ ରାଜନେତା ।

ସେ ୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ । ସିପିଏମର ପୂର୍ବତନ ସଦସ୍ୟ ମଧ୍ୟ ଥିଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ୨୦୧୧ ବେଙ୍ଗଲ ବିଧାନସଭା ନିର୍ବାଚନରେ ସେ ସିପିଏମର ନେତୃତ୍ୱ ନେଇଥିଲେ । ମାତ୍ର ଏହି ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଐତିହାସିକ ବିଜୟ ହାସଲ କରିବା ପରେ ୩୪ ବର୍ଷର କମ୍ୟୁନିଷ୍ଟ ଶାସନର ଅନ୍ତ ଘଟିଥିଲା । 

ଅତି ସରଳ ଜୀବନଶୈଳୀ ପାଇଁ ପରିଚିତ ଭଟ୍ଟାଚାର୍ଯ୍ୟ ପୂର୍ବରୁ ନିଜର ଅଙ୍ଗଦାନ ପାଇଁ ଇଚ୍ଛା କରିଥିଲେ । ଫଳରେ ମେଡିକାଲ ରିସର୍ଚ୍ଚ ପାଇଁ ତାଙ୍କର ଅଙ୍ଗ ଦାନ କରାଯାଇଛି । ତାଙ୍କର ମରଶରୀର ସିପିଏମର ମୁଖ୍ୟାଳୟକୁ ନିଆଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ବିଶିଷ୍ଟ ବ୍ୟକ୍ତି ଓ ପ୍ରଂଶସକ ଶେଷ ଦର୍ଶନ କରିବେ । ଆସନ୍ତାକାଲି ଅନ୍ତିମ ଯାତ୍ରା ଅନୁଷ୍ଠିତ ହେବାନେଇ ସୂଚନା ରହିଛି ।