Marriage Controversy
ଏମିତି କାମ କରି ଲୋକହସା ହୋଇଛନ୍ତି ଜଣେ ପୂର୍ବତନ ବିଧାୟକ । ତାଙ୍କର ଏହି କାମ ପାଇଁ ତାଙ୍କୁ ସୋସିଆଲ୍ ମିଡିଆରେ ଅନେକ ଟ୍ରୋଲ୍ କରୁଛନ୍ତି । କଂଗ୍ରେସ ବି ପ୍ରଶ୍ନ କରିଛି, ଏଇଟା କ’ଣ ଜୋକ୍, ତୁମେ କିଛି ଜାଣିପାରୁନ ?
ହରିଦ୍ୱାର ଜ୍ୱାଲାପୁରର ପୂର୍ବତନ ବିଧାୟକ ସୁରେଶ ରାଠୋର୍ ଏବେ ଫସିଛନ୍ତି ଏକ ବିବାହ ମାମଲାରେ । ଜଣେ ଅଭିନେତ୍ରୀଙ୍କୁ ଦ୍ୱିତୀୟ ପତ୍ନୀଭାବେ ଗ୍ରହଣ କରିଥିବାର ଗତ ସପ୍ତାହରେ ସେ ଘୋଷଣା କରିଥିଲେ । ସାହାରାନପୁରରେ ରହୁଥିବା ଚଳଚ୍ଚିତ୍ର ଅଭିନେତ୍ରୀ ଉର୍ମିଳା ସନାୱରଙ୍କୁ ସେ ବିବାହ କରିଥିବାର ଭିଡିଓ ଓ ଫଟୋ ସୋସିଆଲ୍ ମିଡିଆରେ ଘୂରିବୁଲୁଛି । ଏହାକୁ ନେଇ ପୂର୍ବତନ ବିଧାୟକଙ୍କୁ ସାମାଲୋଚନାର ଶିକାର ହେବାକୁ ପଡିଛି । ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେ ନେଇ ଉତ୍ତର ରଖିବାକୁ ତାଙ୍କୁ ଉତ୍ତରାଖଣ୍ଡ ରାଜ୍ୟ ବିଜେପି ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।
ଉତ୍ତରାଖଣ୍ଡ ସରକାର ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିଛନ୍ତି । ଏହାଦ୍ୱାରା ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ଜଣେ ବ୍ୟକ୍ତି ଜଣକୁ ବିବାହ କରିପାରିବେ । ଏହି ଆଇନ ଅନୁସାରେ ଜଣେ ଏକାଧିକ ପତ୍ନୀ ଗ୍ରହଣ କରିପାରିବେ ନାହିଁ । ଏହା ଆଇନତଃ ଅପରାଧ । ରାଠୋର୍ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇନାହାନ୍ତି । ଅର୍ଥାତ ତାଙ୍କ ପ୍ରଥମ ପତ୍ନୀ ଏବେ ଥିବା ବେଳେ ସେ ଆଉ ଜଣଙ୍କୁ ମଧ୍ୟ ବିବାହ କରିଛନ୍ତି ।
ଗତ ସପ୍ତାହରେ ରାଠୋର୍ ସାହାରାନପୁରରେ ଏକ ସାମ୍ୱାଦିକ ସମ୍ମଳନୀରେ କହିଥିଲେ, ଉର୍ମିଳାଙ୍କ ପ୍ରେମ ଜିତିଲା । ସେ ଏବେ ମୋ ପରିବାରର ଏକ ଅଂଶ । ତାଙ୍କ କଥାର ଏଇ ଅଂଶ ଏବେ ଉତ୍ତରାଖଣ୍ଡରେ ମୋବାଇଲରୁ ମୋବାଇଲକୁ ଘୂରିବୁଲୁଛି ।
ବିଜେପି ସରକାର ୟୁନିଫର୍ମ ସିଭିଲ କୋଡ ଲାଗୁ କରିଥିବା ବେଳେ ତାଙ୍କ ଦଳର ନେତା ଏହାକୁ ମାନୁନାହାନ୍ତି ବୋଲି କଂଗ୍ରେସ କହିଥିଲା । ଏହା ଅନ୍ୟମାନଙ୍କ ପାଇଁ ଲାଗୁ ହୋଇଛି ବୋଲି କଂଗ୍ରେସ ଖୋଲାଖୋଲି କହି କଟାକ୍ଷ କରିଛି ।
ନିଜେ ଅଭିନେତ୍ରୀ ଉର୍ମିଳା ତାଙ୍କ ସୋସିଆଲ୍ ମିଡିଆରେ ନିଜର ନାଁକୁ ଉର୍ମିଳା ସୁରେଶ ରାଠୋର୍ ବୋଲି ଲେଖିଛନ୍ତି । ରାଠୋରଙ୍କ ଭିଜୁଆଲ୍ ମଧ୍ୟ ଅପଲୋଡ୍ କରିଛନ୍ତି ।
କଂଗ୍ରେସର ସମାଲୋଚନା ପରେ ପୂର୍ବତନ ବିଧାୟକ ରାଠୋରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ବିଜେପି ପକ୍ଷରୁ ମଧ୍ୟ ନୋଟିସ୍ ଜାରି ହୋଇଛି ।
ଏହାପରେ ରାଠୋର୍ ଏବେ ୟୁ-ଟର୍ଣ୍ଣ କରିଛନ୍ତି । ସେ କହିଛନ୍ତି, ଏହା କେବଳ ସିନେମା ଥିଲା । କୌଣସି ସାର୍ଟିଫିକେଟ୍ ନାହିଁ, ସିନ୍ଦୂର ନାହିଁ କି ଫୁଲମାଳ ନାହିଁ । ବାହାଘରର ଯେଉଁ ଭିଜୁଆଲ୍ ଭାଇରାଲ୍ ହେଉଛି, ତାହା ଏକ ଚଳଚ୍ଚିତ୍ରର । ଏହି ଚଳଚ୍ଚିତ୍ରର ନାଁ ହେଉଛି ‘ଭାବି ଜୀ ବିଧାୟକ ହେଁ’ ଓ ସେ ନିଜେ ତା’ର ପ୍ରଡ୍ୟୁସର ବୋଲି ସଫେଇ ଦେଇଛନ୍ତି ।
ତେବେ ଅଭିନେତ୍ରୀ ଉର୍ମିଳା କହିଛନ୍ତି, ନେପାଳରେ ବାହାଘର ହୋଇଛି । ବର୍ଷକ ତଳେ ରାଠୋର୍ ଓ ଉର୍ମିଳାଙ୍କୁ ନେଇ ବିବାଦ ଦେଖାଦେଇଥିଲା । ରାଠୋର୍ ସେତେବେଳେ ନିଜକୁ ଦଳିତମାନଙ୍କର ଜଣେ ଆଧ୍ୟାତ୍ମିକ ନେତା ବୋଲି କହି ଉର୍ମିଳାଙ୍କୁ ତାଙ୍କ ଶିଷ୍ୟା ବୋଲି ପରିଚୟ ଦେଇଥିଲେ । ତେବେ ସେତେବେଳେ ଉର୍ମିଳା କିନ୍ତୁ କହିଥିଲେ, ଆମ ଦୁଇଜଣଙ୍କର ବାହାଘର ହୋଇସାରିଛି । ଉର୍ମିଳା ବ୍ଲାକମେଲ୍ କରୁଥିବାର ଅଭିଯୋଗ କରିଥିଲେ ରାଠୋର୍ । ଏହା ପରେ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ଉର୍ମିଳା । ଏବେ ରାଠୋର୍ କହୁଛନ୍ତି, ସବୁ ସମାଧାନ ହୋଇଯାଇଛି ।
ଏହାପରେ କଂଗ୍ରେସ ମୁଖପାତ୍ର ପୁଣି କହିଲେଣି, ଜଣେ ଯୁବତୀଙ୍କୁ ପତ୍ନୀଭାବେ ଗ୍ରହଣ କଲ, ଏବେ କହୁଛ ଏଇଟା ସିନେମା ଥିଲା । ଏଇଟା କ’ଣ ଜୋକ୍ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750928891.jpg)