କର୍ମଚାରୀଙ୍କ ପାଇଁ ଖୁସି ଖବର । EPFO ଦେଲା ବଡ଼ ଖୁସି । ଏଣିକି ଲକ୍ଷେ ନୁହେଁ, ଉଠାଇ ପାରିବେ ୫ ଲକ୍ଷ ଟଙ୍କା । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଅର୍ଥାତ୍ EPFO ତା’ର ସାଢ଼େ ୭ କୋଟି ସଦସ୍ୟଙ୍କୁ ଏହି ଖୁସି ଖବର ଦେଇଛି । EPFOରୁ ଅଗ୍ରିମ ଅର୍ଥ ଉଠାଣ ବର୍ତ୍ତମାନ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।
ଗତ ସପ୍ତାହରେ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର କାର୍ଯ୍ୟନିର୍ବାହୀ କମିଟିର ୧୧୩ତମ ବୈଠକ ବସିଥିଲା । ସେହି ବୈଠକରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବ ସୁମିତା ଦାୱରା EPFOର ଏହି ସୀମାକୁ ୧ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ଅନୁମୋଦନ କରିଛନ୍ତି । ମେ’ ଶେଷ ସୁଦ୍ଧା ୟୁପିଆଇ ଆଧାରିତ ପିଏଫ ଉଠାଣ ଆରମ୍ଭ କରିବା ନେଇ EPFO ନିଷ୍ପତ୍ତି ନେଇଛି । ଏବେ ଏହି ସୁପାରିସ ସିବିଟିର ଅନୁମୋଦନ ପାଇଁ ପଠାଯିବ । ସିବିଟି ଏହାକୁ ଅନୁମୋଦନ କରିବା ପରେ ଇପିଏଫଓ ସଦସ୍ୟମାନେ ଏଏସଏସି ଜରିଆରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପିଏଫ ଉଠାଇ ପାରିବେ ।
Also Read
ପୂର୍ବରୁ ୨୦୨୪ ମେ’ରେ ଇପିଏଫଓ ଏ ସମ୍ପର୍କରେ ଗ୍ରାହକଙ୍କୁ ଖୁସି ଖବର ଦେଇଥିଲା । ସେତେବେଳେ ଆଡଭାନ୍ସଡ୍ କ୍ଲେମ୍ ସୀମାର ଅଟୋ ସେଟଲମେଣ୍ଟକୁ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଯାହାକୁ ନେଇ ଖୁବ୍ ଖୁସି ହୋଇଥିଲେ କର୍ମଚାରୀ। ଆଉ ଏବେ ସେହି ସୀମାକୁ ୫ ଗୁଣା ବୃଦ୍ଧି କରିଛି EPFO ।
ଖାଲି ଏତିକି ନୁହେଁ, ଇପିଏଫଓ ଶିକ୍ଷା, ବିବାହ ଏବଂ ଆବାସ ଭଳି ଆଉ ୩ଟି ବର୍ଗ ପାଇଁ ଆଗୁଆ ଦାବିର ଅଟୋ ମୋଡ୍ ସେଟଲମେଣ୍ଟ ଆରମ୍ଭ କରିଛି । ପୂର୍ବରୁ ସଦସ୍ୟମାନେ କେବଳ ଅସୁସ୍ଥତା/ଡାକ୍ତରଖାନାରେ ଭର୍ତ୍ତି ହେବା ଉଦ୍ଦେଶ୍ୟରେ ନିଜର ପିଏଫ ଉଠାଇ ପାରୁଥିଲେ । ଇପିଏଫ୍କୁ ନେଇ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସବୁଠି ପ୍ରଶଂସା କରାଯାଉଛି ।