Internet
ଭାରତରେ ବ୍ୟବସାୟ କରିବେ ଏଲନ ମସ୍କ । ଷ୍ଟାରଲିଙ୍କକୁ ଭାରତରେ ଲଞ୍ଚ କରିବା ପାଇଁ ଅନୁମତି ମିଳିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ୨୦୨୨ ମସିହାରୁ ଷ୍ଟାରଲିଙ୍କ ଲାଇସେନ୍ସ ପାଇଁ ଭାରତରେ ଆବେଦନ କରିଥିଲା । ବିଭିନ୍ନ କାରଣ ବିଶେଷ କରି ଜାତୀୟ ସୁରକ୍ଷା କାରଣରୁ ଏହାକୁ ଅନୁମତି ଦେବାରେ ବିଳମ୍ୱ ହେଉଥିଲା । ଏହି ଅନୁମତି ପରେ ଦେଶର ଅପହଞ୍ଚ ଇଲାକାରେ ବି ଇଣ୍ଟରନେଟ୍ ସୁବିଧା ମିଳିପାରିବ । ଏହାର ସ୍ପିଡ ମଧ୍ୟ ଭଲ ରହିବ ।
ଏହି ଅନୁମତି ପାଇବା ପାଇଁ ଏଲନ ମସ୍କଙ୍କୁ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡିଲା । ଟେଲିକମ୍ୟୁନିକେସନ ବିଭାଗ ତରଫରୁ ଏହି ଲାଇସେନ୍ସ ପ୍ରଦାନ କରାଯାଇଛି । ଏହି ଲାଇସେନ୍ସ ପାଇବାରେ ଷ୍ଟାରଲିଙ୍କ ହେଉଛି ତୃତୀୟ କଂପାନି । ଅନ୍ୟ ଦୁଇଟି କଂପାନି ହେଉଛି ୟୁଟେଲସାଟର ୱାନୱେବ ଓ ରିଲାଏନ୍ସ ଜିଓ । ଏହାର ଅର୍ଥ ଷ୍ଟାରଲିଙ୍କ ଏବେ ସାଟେଲାଇଟ ନେଟୱର୍କ ବ୍ୟବହାର କରି ହାଇସ୍ପିଡ ଇଣ୍ଟରନେଟ୍ ସୁବିଧା ଯୋଗାଇଦେବ ।
ଆମାଜନର ସାଟେଲାଇଟ୍ ପ୍ରୋଜେକ୍ଟ କୁଇପର୍ ମଧ୍ୟ ଏଥିପାଇଁ ଭାରତରେ ଆବେଦନ କରିଛି । ଏହା ଏବେ ସରକାରଙ୍କ ବିଚାରାଧୀନ ଅଛି । ଭାରତରେ ସ୍ପେକ୍ଟ୍ରମ କେମିତି ବଣ୍ଟନ କରାଯିବ, ସେ ନେଇ ଷ୍ଟାରଲିଙ୍କ ଓ ରିଲାଏଲ୍ସ ଜିଓ ଭିନ୍ନ ଭିନ୍ନ ମତ ରଖିଥିଲେ । ସ୍ପେକ୍ଟ୍ରମ ହେଉଛି ସାଟେଲାଇଟ୍ କମ୍ୟୁନିକେସନ ପାଇଁ ବ୍ୟବହାର ହେଉଥିବା ରେଡିଓ ୱେଭ୍ । ମୋବାଇଲ୍ ନେଟୱର୍କ ଭଳି ଏହାକୁ ନିଲାମ କରାଯିବା ପାଇଁ ମତ ରଖିଥିଲା ରିଲାଏନ୍ସ ଜିଓ । ତେବେ ବିନା ବିଡିଂରେ ଏହା ଦିଆଯିବା ପାଇଁ ଯୁକ୍ତି ରଖିଥିଲା ଷ୍ଟାରଲିଙ୍କ । ଭାରତ ସରକାର ଷ୍ଟାରଲିଙ୍କର ମତ ଉପରେ ମୋହର ମାରିଛନ୍ତି ।
ଏହି ଲାଇସେନ୍ସ ସଂପର୍କରେ ଷ୍ଟାରଲିଙ୍କ କିମ୍ୱା ଟେଲିକମ୍ୟୁନିକେସନ ବିଭାଗ ପକ୍ଷରୁ କୌଣସି ବିବୃତି ପ୍ରକାଶ ପାଇନାହିଁ । ତେବେ ଏହି ଲାଇସେନସ ଦିଆଯିବା ପରେ ଦେଶର ଗ୍ରାମାଞ୍ଚଳରେ ଓ ଉପାନ୍ତ ଅଞ୍ଚଳରେ ସୁଲଭ ମୂଲ୍ୟରେ ଇଣ୍ଟରନେଟ୍ ସେବା ମିଳିପାରିବ । ଇଣ୍ଟରନେଟ୍ ପାଇଁ ଗାଁ ଲୋକଙ୍କୁ ଆଉ ସଂଘର୍ଷ କରିବାକୁ ପଡିବ ନାହିଁ । ଇଣ୍ଟରନେଟ୍ କ୍ଷେତ୍ରରେ ବିକଶିତ ହୋଇଯିବ ସାରା ଦେଶ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Internet_1749218930.jpg)