କୋଭିଡ୍ ରାସ୍ତାରେ ଯାଉଛି କି ମଙ୍କିପକ୍ସ?

ମହାମାରୀ କୋଭିଡ୍‌ ପ୍ରକୋପ ନ ଥମୁଣୁ ଡରାଇଲାଣି ମଙ୍କିପକ୍ସ....

Delhi reports first Monkeypox case, fourth case in country

କୋଭିଡ୍ ଭୟ ନ ଯାଉଣୁ ପୁଣି ଦେଖାଇଲାଣି ମଙ୍କି ପକ୍ସ । କେରଳ ପରେ ଆଜି ଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି ମଙ୍କିପକ୍ସ ରୋଗୀ । ୩୪ ବର୍ଷୀୟ ଏହି ଆକ୍ରାନ୍ତଙ୍କୁ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲର ଆଇସୋଲେସନ ସେଣ୍ଟରରେ ରଖାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଦିଲ୍ଲୀ ଆକ୍ରାନ୍ତୁ ମିଶାଇ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ପୂର୍ବରୁ କେରଳରେ ୩ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଏପଟେ ଭାରତ ସମେତ ୭୫ ଦେଶକୁ ବ୍ୟାପିଲାଣି ଏହି ସାଂଙ୍ଘାତିକ ଭୂତାଣୁ ।୧୬ ହଜାରରୁ ଅଧିକ ଏହା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କର ଜୀବନ ଗଲାଣି । ଏହାକୁ ଦୃଷ୍ଟିରେ ରଖି ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ ବା ଓ୍ୱାଲର୍ଡ ହେଲ୍ଥ ଏମର୍ଜେନସି ଘୋଷଣା କରିଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ-WHO । ତେବେ କଣ ଏ ମଙ୍କିପକ୍ସ ? କଣ ଏହାର ଲକ୍ଷଣ ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମଙ୍କିପକ୍ସ ହେଉଛି ସ୍ମଲ ପକ୍ସ ପ୍ରଜାତିର ଭୂତାଣୁ । ଏଥିରେ ସଂକ୍ରମିତ ହେଲେ, ରୋଗୀକୁ ଦିନେ ଦୁଇ ଦିନ କମ୍ପ ସହ ଭୀଷଣ ଜ୍ୱର ହୁଏ, ଦେହହାତ ବିନ୍ଧେ, ଗଳା ଦରଜ ହୁଏ । ସଂକ୍ରମିତଙ୍କ ଯୌନାଙ୍ଗ, ପାଟି, ମଳଦ୍ୱାର, ହାତ ଓ ଗୋଡ଼ ଆଦିରେ ଲାଲ୍ ରଙ୍ଗର ଫୋଟକା ଫଳିଯାଏ । ଯେହେତୁ ବର୍ତ୍ତମାନ ସୁଦ୍ଧା ଏହି ରୋଗର କୌଣସି ଚିକିତ୍ସା ବାହାରି ନାହିଁ, ଲକ୍ଷଣ ଦେଖାଦେବା ମାତ୍ରେ ରୋଗୀଙ୍କୁ ତୁରନ୍ତ ଆଇସୋଲେସନରେ ରଖିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ମଙ୍କିପକ୍ସ ଭୂତାଣୁ କେରଳ ପରେ ଦିଲ୍ଲୀ ଛୁଇଁ ଥିବାରୁ ବଢିଛି ଭୟ । ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ବି ଭୂତାଣୁ ବ୍ୟାପିବା ଆଶଙ୍କା ବଢିଯାଇଛି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ଲୋକମାନେ ସତର୍କ ରହିଲେ, ସଂକ୍ରମଣକୁ ରୋକାଯାଇପାରିବ । ମଙ୍କିପକ୍ସ ହ୍ୟୁମାନ୍ କଣ୍ଟା ବା ରୋଗୀଙ୍କ ସଂସ୍ଫର୍ଶରେ ଆସିବା ଦ୍ୱାରା ବ୍ୟାପିଥାଏ । ରୋଗୀଙ୍କ ଦେହରେ ହୋଇଥିବା ଫୋଟକାରୁ ବାହାରୁଥିବା ପୁଜ, ଲୁହ ଓ ଲାଳ ଦ୍ୱାରା ଏହା ଅନ୍ୟ ଜଣଙ୍କୁ ସଂକ୍ରମିତ କରିଥାଏ । ସମଲିଙ୍ଗୀ ଯୌନ ସଂପର୍କ ଦ୍ୱାରା ଏହା ଦ୍ରୁତ ବେଗରେ ବ୍ୟାପୁଥିବା ନଜରକୁ ଆସିଛି ।

ତେବେ ମଙ୍କି ପକ୍ସ ଦ୍ୱାରା ରୋଗୀଙ୍କ ମୃତ୍ୟୁ ଆଶଙ୍କା କମ୍ ହେଲେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି ଓ ବୟସ୍କ ବ୍ୟକ୍ତିଙ୍କ ପ୍ରତି ଏହା ଘାତକ ହୋଇପାରେ । ଓଡ଼ିଶାରେ ମଙ୍କିପକ୍ସ ଚିହ୍ନଟ ହୋଇନି, କିନ୍ତୁ କେନ୍ଦ୍ର ଦେଇଥିବା ଆଡଭାଇଜରି ଅନୁସାରେ ସରକାର ସତର୍କ ଅଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍କିପକ୍ସକୁ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କରିବା ସହ ଦିଲ୍ଲୀରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ତତ୍ପର ହୋଇଛନ୍ତି କେନ୍ଦ୍ର ସରକାର । ଦେଶରେ ମଙ୍କିପକ୍ସ ସଂକ୍ରମଣ ରୋକିବା ପାଇଁ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି ।