ୱର୍କ ଫ୍ରମ୍‌ ହୋମ ପାଇଁ ଅମଙ୍ଗ କେନ୍ଦ୍ର ସରକାର ! ଦିଲ୍ଲୀ ପ୍ରଦୂଷଣ ସମ୍ପର୍କରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ

ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମସ୍ତ କର୍ମଚାରୀଙ୍କ ୱାର୍କ ଫ୍ରମ୍‌ ହୋମ୍‌ ବ୍ୟବସ୍ଥା କରିବାକୁ ସୁପାରିଶ ହୋଇଥିଲା । କିନ୍ତୁ ଏଥିରେ ରାଜି ନୁହଁନ୍ତି କେନ୍ଦ୍ର ସରକାର ।

ସାଙ୍କେତିକ ଚିତ୍ର

News Summary

ଦିଲ୍ଲୀ ପ୍ରଦୂଷଣ: କେନ୍ଦ୍ରର ସତ୍ୟପାଠ ଦାଖଲ

କୋର୍ଟରେ ୩୯୨ ପୃଷ୍ଠାର ସତ୍ୟପାଠ ଦାଖଲ କଲା କେନ୍ଦ୍ର

କେନ୍ଦ୍ରୀୟ କର୍ମଚାରୀ ଘରୁ ରହି କାମ କରିବାରେ ଅସୁବିଧା ହେଉଛି- କେନ୍ଦ୍ର

ନୂଆଦିଲ୍ଲୀ : ୱର୍କ ଫ୍ରମ୍‌ ହୋମ ପାଇଁ ରାଜି ନୁହଁ କେନ୍ଦ୍ର । ଦିଲ୍ଲୀ ଓ ଏନସିଆରରେ ପ୍ରଦୂଷଣ ରୋକିବା ପାଇଁ ଓ୍ୱାର୍କ ଫ୍ରମ ହୋମ୍ ପ୍ରସ୍ତାବ କର୍ଯ୍ୟକାରୀ କରିବାକୁ ଅନିଛା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ସେହି ମର୍ମରେ ଆଜି ସୁପ୍ରିମକୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରାଯାଇଛି । ଘରୁ ରହି କାମ କଲେ ସେଭଳି କିଛି ସୁବିଧା ହେବନି ବୋଲି ସତ୍ୟପାଠରେ ଦର୍ଶାଯାଇଛି । ଦିଲ୍ଲୀରେ ଚଳପ୍ରଚଳ କରୁଥିବା ଗାଡ଼ି ତୁଳନାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଫିସ ଯାଆସ ପାଇଁ ବ୍ୟବହାର କରାଯାଉଥିବା ଗାଡ଼ି ସଂଖ୍ୟା ଅତି ନଗଣ୍ୟ । ଏଣୁ ଏହା ଦିଲ୍ଲୀରେ ବାୟୁର ମାନକ ଉପରେ ସେତେ ପ୍ରଭାବ ପକାଇବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ଏହା ବଦଳରେ ଗୋଟିଏ କାରରେ ଏକାଧିକ ଅଫିସର ଆସିବା ସପକ୍ଷରେ ସରକାର ମତ ରଖିଛନ୍ତି । ସେପଟେ ସେପଟେ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଦିଲ୍ଲୀ ଓ ଏନସିଆରରେ ସ୍କୁଲ କଲେଜ ବନ୍ଦ ରଖିବା ଲାଗି ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନ କହିଛନ୍ତି । ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ମାତ୍ରା କମି ନଥିବାରୁ ସ୍କୁଲ କଲେଜ ବନ୍ଦ ରଖିବାକୁ କମିଶନ ପରାମର୍ଶ ଦେଇଛନ୍ତି । ଏହାସହ ନିର୍ମାଣ ସାମଗ୍ରୀ ଜମା ରଖୁଥିବା ଓ ନେବା ଆଣିବା କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ବଡ଼ ରକମର ଜରିମାନା କରିବାକୁ କୁହାଯାଇଛି ।

ଦିଲ୍ଲୀ ଏନସିଆରରେ ଥିବା ୧୧ଟି ତାପଜ ବିଦ୍ୟୁତ କେନ୍ଦ୍ରରୁ ମାତ୍ର ୫ଟି ଚଲାଇବାକୁ ଅନୁମତି ଦିଆଯାଇଛି । ସେହିପରି ଦିଲ୍ଲୀ ଓ ଏନସିଆରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭିନ୍ନ ଅନ୍ୟ ବଡ଼ ଟ୍ରକକୁ ପ୍ରବେଶ ନିଷେଧ କରାଯାଇଛି । ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ, ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡ଼ି ଚଳାଚଳ ଉପରେ ନିଷେଧାଦେଶ ଦେଇଛନ୍ତି କମିଶନ । ପିୟୁସି ନଥିଲେ ଗାଡ଼ିକୁ ପ୍ରବେଶ ଅନୁମତି ନ ଦେବାକୁ କୁହାଯାଇଛି । କେବଳ ସେତିକି ନୁହେଁ ସମସ୍ତ ପେଟ୍ରୋଲ ପମ୍ପରେ ପ୍ରଦୂଷଣ ଯାଂଚ ବ୍ୟବସ୍ଥା କରାଯାଇଛି ବୋଲି ସତ୍ୟପାଠରେ କହିଛନ୍ତି କେନ୍ଦ୍ର ସରକାର।