Delhi government Warns Of Power Outage For Metro, Hospitals
ଗୋଟିଏପଟେ ପ୍ରବଳ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁ ଥିବାବେଳେ ଅନ୍ୟପଟେ ବିଦ୍ୟୁତ୍ ସଙ୍କଟ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ଦିଲ୍ଲୀ ସମେତ ଦେଶରେ ଅନେକ ରାଜ୍ୟରେ ବିଦ୍ୟୁତ୍ ସଙ୍କଟ ସୃଷ୍ଟି ହୋଇଛି। କୋଇଲା ଅଭାବରୁ ଦିଲ୍ଲୀ ସମେତ ୧୨ ରାଜ୍ୟ ବିଦ୍ୟୁତ ସଙ୍କଟର ସାମ୍ନା କରିବାକୁ ପଡ଼ିଛି। ଏସବୁ ଭିତରେ ଦିଲ୍ଲୀ ସରକାର ଚେତାବନୀ ଦେଇ କହିଛନ୍ତି, ରାଜଧାନୀରେ ବିଦ୍ୟୁତ୍ ଯୋଗାଣ କରୁଥିବା ପାୱାର ପ୍ଲାଣ୍ଟ ଗୁଡ଼ିକରେ କୋଇଲାର ଅଭାବ ଦେଖା ଦେଇଛି। ତେଣୁ ଏଭଳି ସ୍ଥିତିରେ ମେଟ୍ରୋ ଟ୍ରେନ୍, ହସ୍ପିଟାଲ୍ ସମେତ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଗୁଡ଼ିକରେ ବିଦ୍ୟୁତ୍ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇପାରେ।
ଦିଲ୍ଲୀରେ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜରୁରୀକାଳୀନ ବୈଠକ ଡକାଇଛନ୍ତି। ଏହାସହ ପର୍ଯ୍ୟାପ୍ତ ପରିମାଣର କୋଇଲା ଯୋଗାଇବା ଲାଗି କେନ୍ଦ୍ର ସରକାରଙ୍କୁ ସେ ଚିଠି ଲେଖି ଜଣାଇଛନ୍ତି। ଫଳରେ ପାୱାର ପ୍ଲାଣ୍ଟ୍ରେ କୋଇଲା ଉପଲ୍ଲବ୍ଧ ହେବା ଓ ବିଦ୍ୟୁତ୍ ସପ୍ଲାଏ ହୋଇପାରିବ। ଦିଲ୍ଲୀରେ ଅଧିକାଂଶ ବିଦ୍ୟୁତ୍ ଯୋଗାଣ(728 MW) ଦାଦ୍ରୀ-୨ ପାୱାର ପ୍ଲାଣ୍ଟରୁ ହୋଇଥାଏ। ସେହିପରି ଉଞ୍ଚାହାରରୁ 100 MW ବିଦ୍ୟୁତ୍ ସପ୍ଲାଏ ହୋଇଥାଏ। ହେଲେ ଏବେ ଏହିସବୁ ପାୱାର ପ୍ଲାଣ୍ଟରେ କୋଇଲାର ଅଭାବ ଦେଖାଦେଇଛି।
ଦିଲ୍ଲୀ ସରକାର ଏକ ବିବୃତ୍ତି ଜାରି କରି କହିଛନ୍ତି, ଦାଦ୍ରି-୨ ଓ ଉଞ୍ଚାହାର ବିଦ୍ୟୁତ କେନ୍ଦ୍ରରୁ ବିଦ୍ୟୁତ ଯୋଗାଣ ବ୍ୟାହତ ହେତୁ ଦିଲ୍ଲୀ ମେଟ୍ରୋ ଏବଂ ସରକାରୀ ହସ୍ପିଟାଲ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାକୁ ୨୪ ଘଣ୍ଟା ବିଦ୍ୟୁତ୍ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇପାରେ। ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ବର୍ତ୍ତମାନ ଦିଲ୍ଲୀରେ ୨୫-୩୦% ବିଦ୍ୟୁତ୍ ଚାହିଦା ଏହିସବୁ ବିଦ୍ୟୁତ୍ ଷ୍ଟେସନ୍ ମାଧ୍ୟମରେ ପୂରଣ ହେଉଛି। ହେଲେ ବିଦ୍ୟୁତ୍ ଷ୍ଟେସନ୍ ଗୁଡ଼ିକରେ କୋଇଲାର ଅଭାବ ଦେଖାଦେବା ପରେ ସମସ୍ୟା ସୃଷ୍ଟି ହୋଇଛି। ଏନେଇ ଦିଲ୍ଲୀ ସରକାର ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଯାହା ଫଳରେ ରାଜଧାନୀବାସୀଙ୍କ ବିଦ୍ୟୁତ୍ ସମସ୍ୟାର ସମାଧାନ ହୋଇପାରିବ।
ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ କୋଇଲା ଅଭାବ ଯୋଗୁ ଦେଶରେ ୧୩ଟି ରାଜ୍ୟ ବିଦ୍ୟୁତ୍ ସଙ୍କଟ ଦେଇ ଗତି କରୁଛନ୍ତି। ଉତ୍ତରପ୍ରଦେଶ,ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ବିଦ୍ୟୁତ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ଗତ ସପ୍ତାହରେ ଦେଶରେ ୬୨୩ ମିଲିୟନ ୟୁନିଟ୍ ବିଦ୍ୟୁତ୍ ଅଭାବ ଦେଖା ଦେଇଥିଲା। ତେବେ ଗୁରୁବାର ଦିନ ଦେଶରେ ବିଦ୍ୟୁତ୍ ଚାହିଦା 201 GWରେ ପହଞ୍ଚିଛି। ଏହି ସମୟରେ ସମଗ୍ର ଦେଶରେ 8.2 GW ର ଅଭାବ ଦେଖା ଦେଇଥିଲା। କୁହାଯାଉଛି ଯେ, ଆଗାମୀ ଦିନରେ ଦେଶରେ ବିଦ୍ୟୁତ୍ ସଙ୍କଟ ଉତ୍କଟ ରୂପ ନେଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1651213292.jpg)