Advertisment

ଆକ୍ସନ ମୋଡରେ ଇଡି, ନୂଆ ମଦ ନୀତିକୁ ନେଇ ହରଡ଼ଘଣାରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ୍

ଅଡ଼ୁଆରେ ଦିଲ୍ଲୀ ଆପ୍ ସରକାର। ନୂଆ ମଦ ନୀତିରେ ଅନିୟମିତତା ଅଭିଯୋଗକୁ ନେଇ ଗତକାଲି ଦ୍ୱିତୀୟ ଥର ପୁଣି ବଡ଼ ଧରଣର ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଅଦ୍ୟତନ ହୋଇଛି
Delhi Excise Policy case

Delhi Excise Policy case

Advertisment

ଦିଲ୍ଲୀର ଆପ୍ ସରକାରକୁ ଅଡୁଆ ଅବକାରୀ ନୀତି । ଅବକାରୀ ନୀତି ପ୍ରସ୍ତୁତିରେ ହୋଇଛି କି ବଡ଼ ଡିଲ୍? ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦରେ ଇଡିର ମେଗା ରେଡ୍ । ବିବାଦୀୟ ଦିଲ୍ଲୀ ଏକ୍ସାଇଜ ପଲିସିକୁ ନେଇ ବିବାଦ ଥମି ନଥିବା ବେଳେ, ଏବେ ପୁଣି ଶାସକ ଦଳ ଆପ୍ ପାଇଁ ଏହା ଅଡୁଆ ବଢ଼ାଇଛି । ଦିଲ୍ଲୀ ଏବଂ ପଞ୍ଜାବର ତିନି ଡଜନରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ ବା ଇଡି । ଗୁରୁବାର ଦିଲ୍ଲୀର ମଦ ବ୍ୟବସାୟୀ ଇଣ୍ଡୋସ୍ପିରିଟ୍ ଗ୍ରୁପ୍ର ଏମଡି ସମୀର ମହେନ୍ଦ୍ରଙ୍କୁ ଗିରଫ କରିବାର ଦିନକ ପରେ ଗତକାଲି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Advertisment

ଦିଲ୍ଲୀ ନୂଆ ମଦ ନୀତିରେ ଅନିୟମିତତା ଅଭିଯୋଗକୁ ନେଇ ଗତକାଲି ଦ୍ୱିତୀୟ ଥର ପୁଣି ବଡ଼ ଧରଣର ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ –ଇଡି । ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦର ପ୍ରାୟ ୩୫ଟି ସ୍ଥାନରେ ଚଢ଼ାଉ ହୋଇଛି । ଆମ୍ ଆଦମୀ ପାର୍ଟିର ସରକାର ପାଇଁ ଏବେ ତଣ୍ଟିର କଣ୍ଟା ପାଲଟିଛି ମଦ ନୀତି ବିବାଦ । ପୂର୍ବରୁ ଏହି ମାମଲାରେ ସିବିଆଇ ଯାଞ୍ଚ କରିଥିଲା, ଯାଞ୍ଚ ଆଧାରରେ ଟଙ୍କା ନେଣ ଦେଣର ଅଭିଯୋଗ ଆସିବା ପରେ ପ୍ରଥମେ ସିବିଆଇ ଏବଂ ପରେ ଇଡି ମାମଲାକୁ ନେଇ ଆକ୍ସନ ମୋଡକୁ ଆସିଛି । ପୂର୍ବରୁ ବି ଅନେକ ଥର ରେଡ୍ ହୋଇଛି, ଗିରଫଦାରୀ ବି ହୋଇଛି । ସମାନ ଆକ୍ସନ ଆଗକୁ ବି ଜାରି ରହିବ ବୋଲି ଆଶଙ୍କା କରାଯାଉଛି ।

ଆର୍ଥିକ ବର୍ଷ ୨୦୨୧ ଓ ୨୦୨୨ରେ ଆପ୍ ସରକାର ମଦ ନୀତି ଜରିଆରେ ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ଉଭୟ ଇଡି ଏବଂ ସିବିଆଇ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରି କରିବା ସହ ତାଙ୍କ ଘର ଓ ବ୍ୟାଙ୍କ ଲକର୍ ଘାଣ୍ଟିଛନ୍ତି । ସେପଟେ ଗତକାଲିର ଏହି ରେଡକୁ ନେଇ ଟୁଇଟ କରି କେଜ୍ରିଓ୍ୱାଲ କହିଛନ୍ତି ଯେ, ୫୦୦ରୁ ଅଧିକ ରେଡ୍ ହେଲାଣି, ୩ ମାସରୁ ଅଧିକ ସମୟ ଧରି ସିବିଆଇ/ଇଡିର ୩୦୦ରୁ ଅଧିକ ଅଧିକାରୀ କେବଳ ମନୀଷ ସିସୋଦିଆଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ ପାଇଁ ୨୪ ଘଣ୍ଟା ଲାଗି ରହିଛନ୍ତି । କିଛି ବି ମିଳୁନାହିଁ, କାହିଁକିନା ସେ କିଛି ବି ଭୁଲ୍ କରିନାହାନ୍ତି । ନିଜର ହୀନ ରାଜନୀତି ପାଇଁ ଏଭଳି ଅଧିକାରୀଙ୍କ ସମୟ ବରବାଦ କରାଯାଉଛି । ଏମିତିରେ ଦେଶ ଆଗକୁ ବଢ଼ିବ କି? ବୋଲି ପଚାରିଛନ୍ତି କେଜ୍ରିଓ୍ୱାଲ ।

Advertisment

ଏହି ମାମଲାରେ ଗତ ସେପ୍ଟେମ୍ବରରେ ବ୍ୟବସାୟୀ ବିଜୟ ନାୟାର ଏବଂ ସମୀର ମହେନ୍ଦ୍ର ଗିରଫ ହୋଇଛନ୍ତି । ଇଡିର FIR ଅନୁସାରେ ଇଣ୍ଡୋସ୍ପିରିଟ୍ ଗ୍ରୁପର ଏମଡି ସମୀର ମହେନ୍ଦ୍ରଙ୍କ ଦ୍ୱାରା ସିସୋଦିଆଙ୍କ ନିକଟତମ ସହଯୋଗୀଙ୍କୁ ଦୁଇଟି କିସ୍ତିରେ ବିପୁଳ ପରିମାଣର ଟଙ୍କା ଦିଆଯାଇଥିଲା । ସିବିଆଇର ଏତଲା ଅନୁସାରେ ସିସୋଦିଆଙ୍କ ସହଯୋଗୀ ଅର୍ଜୁନ ପାଣ୍ଡେ ଏଣ୍ଟରଟେନମେଣ୍ଟ ଆଣ୍ଡ୍ ଇଭେଣ୍ଟ ମ୍ୟାନଜମେଣ୍ଟ କମ୍ପାନୀର ପୂର୍ବ ସିଇଓ ବିଜୟ ନାୟାରଙ୍କ ତରଫରୁ ସମୀର ମହେନ୍ଦ୍ରଙ୍କ ଠାରୁ ମୋଟ ୨ରୁ ୪କୋଟି ନଗଦ ନେଇଥିଲେ । ଏହି ମାମଲାରେ ଗତ ୧୬ ସେପ୍ଚେମ୍ବରରେ ହାଇଦ୍ରାବାଦର ୨୫ଟି ଠିକଣା ସହ ମୋଟ ୪୦ଟି ସ୍ଥାନରେ ରେଡ୍ ହୋଇଥିଲା । ୬ ସେପ୍ଟେମ୍ବରରେ ମଧ୍ୟ ବିଭିନ୍ନ ରାଜ୍ୟରେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଥିଲା ଇଡି। ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ବିଜୟ ନାୟାର ।

Delhi Excise Policy Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ