ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI)କୁ ଦିଲ୍ଲୀ ମହିଳା କମିଶନ ନୋଟିସ୍ କରିଛନ୍ତି। ୩ ମାସରୁ ଅଧିକ ଗର୍ଭବତୀଙ୍କୁ କାର୍ଯ୍ୟରେ ଯୋଗ ଦେବାରେ ଅଟକାଇବା ଓ ସାମୟିକ ଅଯୋଗ୍ୟ ଘୋଷଣାକୁ ନେଇ ଏହି ନୋଟିସ୍ ଜାରି ହୋଇଛି। ଗର୍ଭବତୀଙ୍କ ବିରୋଧରେ ବ୍ୟାଙ୍କ ନେଇଥିବା ପଦକ୍ଷେପ ଭେଦଭାବପୂର୍ଣ୍ଣ ଓ ବେଆଇନ୍ ବୋଲି ଦିଲ୍ଲୀ ମହିଳା କମିଶନ ଦର୍ଶାଇଛନ୍ତି। ବ୍ୟାଙ୍କର ଏହି ପଦକ୍ଷେପ ଯୋଗୁ ସମ୍ପୃକ୍ତ ଗର୍ଭବତୀ ଆଇନ୍ ଅନୁଯାୟୀ ପାଇବାକୁ ଥିବା ପ୍ରସବକାଳୀନ ସୁବିଧାରୁ ବଞ୍ଚିତ ହେବେ ବୋଲି ମହିଳା କମିଶନ କହିଛନ୍ତି।
ସୂଚନାଥାଉ କି, ୩ ମାସରୁ ଅଧିକ ଗର୍ଭବତୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ SBI ମନା କରିଛି। ଗତ ଡିସେମ୍ବର ୩୧ରେ ଦେଶର ସବୁଠୁ ବଡ଼ ବ୍ୟାଙ୍କ SBI ଏଭଳି ଏକ ବିବାଦୀୟ ସର୍କୁଲାର ଜାରି କରିଥିଲା। ମହିଳା ଜଣକ ପ୍ରସବର ୪ ମାସ ପରେ କାର୍ଯ୍ୟରେ ଯୋଗ ଦେଇପାରିବେ ବୋଲି ଏହି ସର୍କୁଲାରରେ ଦର୍ଶାଯାଇଛି। ମହିଳାଙ୍କ ପ୍ରତି ଏହା ଭେଦଭାବପୂର୍ଣ୍ଣ ଓ ବେଆଇନ୍ ଦର୍ଶାଇ SBI ଏହାର ମହିଳା ବିରୋଧୀ ନୀତି ପ୍ରତ୍ୟାହାର କରିବାକୁ ମହିଳା କମିଶନ ନୋଟିସ୍ରେ ଦର୍ଶାଇଛନ୍ତି।
ଯେଉଁ ମହିଳାମାନେ SBIରେ ଚାକିରି କରିବା ପାଇଁ ଯୋଗ୍ୟ ବିବେଚିତ ହେବାବେଳେ ୩ ମାସରୁ ଅଧିକ ଗର୍ଭବତୀ ଥିବେ ସେମାନଙ୍କୁ ସାମୟିକ ଅଯୋଗ୍ୟ ଘୋଷଣା କରାଯାଇଛି। ଏହାସହ ପ୍ରସବର ୪ ମାସ ପରେ କାର୍ଯ୍ୟରେ ଯୋଗ ଦେବା ପାଇଁ ସେମାନଙ୍କୁ ଅନୁମତି ମିଳିବ। ଆସନ୍ତା ମଙ୍ଗଳବାର ସୁଦ୍ଧା ନୋଟିସର ଜବାବ ରଖିବାକୁ ଦିଲ୍ଲୀ ମହିଳା କମିଶନ SBIକୁ ନୋଟିସ୍ ଜାରି କରିଛନ୍ତି। ଏନେଇ SBI ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।