କେଜ୍ରିୱାଲଙ୍କ ଘର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ : ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଉଠାଇନେଲା ପୋଲିସ୍‌

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ସାମ୍ନାରେ ତଜିନ୍ଦର ପାଲ ସିଂ ବଗା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

କେଜ୍ରିୱାଲଙ୍କ ଘର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

ଦିଲ୍ଲୀ ବିଜେପି ମୁଖପାତ୍ର ତଜିନ୍ଦର ପାଲ ସିଂ ବଗାଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ କରୁଥିବା ବିଜେପି କର୍ମୀଙ୍କୁ ଅଟକ ରଖାଯାଇଛି । ଏହି ପ୍ରଦର୍ଶନରେ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ଆରପି ସିଂ ମଧ୍ୟ ସାମିଲ ଥିଲେ ।

ଘଟଣାର ସମ୍ବେଦନଶୀଳତାକୁ ବିଚାର କରି କେଜ୍ରିୱାଲଙ୍କ ବାସଭବନ ସମ୍ମୁଖରେ ଭାରି ସଂଖ୍ୟାରେ ପୋଲିସ୍‌ ମୁତୟନ କରାଯାଇଛି । ଏହାପୂର୍ବରୁ ଯେତେବେଳେ କିଛି ବିଜେପି କର୍ମୀ ବ୍ୟାରିକେଡ ପାର ହେବାକୁ ଚେଷ୍ଟା କରିଥିଲେ, ସେତେବେଳେ ପୋଲିସ ସେମାନଙ୍କୁ ଗିରଫ କରିବାର ଧମକ ଦେଇଥିଲେ । ବର୍ତ୍ତମାନ ମାମଲା ବଢ଼ୁଥିବା ଦେଖି ଦିଲ୍ଲୀ ପୋଲିସ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅଟକ ରଖିଛି ।

ଅପରାହ୍ନ ୩ଟାରେ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ ହେବା ସମ୍ପର୍କରେ ଦିଲ୍ଲୀ ପୋଲିସକୁ ସୂଚନା ମିଳିଥିଲା । ତେବେ ଏହି ପ୍ରଦର୍ଶନ ପାଇଁ ଦିଲ୍ଲୀ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା । ଏଥିପାଇଁ ଏକ ସ୍ୱତନ୍ତ୍ର ଶାଖା ମଧ୍ୟ ସକ୍ରିୟ ରହିଛି ।

ସେପଟରେ ବଗାଙ୍କୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇଉଠିଛି । ଗତକାଲିର ଘଟଣାକୁ ଗଣମାଧ୍ୟମ ଆଗରେ ବୟାନ କରିଛନ୍ତି ବଗା । କିପରି ତାଙ୍କୁ ଜୋର ଜବରଦସ୍ତ ଗିରଫ କରାଗଲା, ପଗଡ଼ି ପିନ୍ଧିବାକୁ ଦିଆଗଲାନି, ଅପରାଧୀଙ୍କ ଭଳି ବ୍ୟବହାର କରାଗଲା ସେ ସମ୍ପର୍କରେ ବଖାଣିଛନ୍ତି । ଗତକାଲିର ଗୋଟି ଗୋଟି ଘଟଣାକୁ ସେ କହିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ମୁହିଁମୁହିଁ ହୋଇଛି ବିଜେପି ଓ ଆପ୍ । ପଞ୍ଜାବ ପୋଲିସ୍ କିପରି ଦିଲ୍ଲୀରେ ବିନା ଅନୁମତିରେ ପଶି ବଗାଙ୍କୁ ଗିରଫ କଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଷ୍ଟ୍ର ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସଂଘୀୟ ବ୍ୟବସ୍ଥାକୁ ଆପ୍ ଭାଙ୍ଗିଛି । ପଞ୍ଜାବ ପୋଲିସ୍ ଆଇନକୁ ହାତକୁ ନେଇଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିଜେପି ସରକାର ଜଣେ ଅପରାଧିଙ୍କୁ ବଞ୍ଚାଇବାକୁ ଦୁଇ ରାଜ୍ୟର ପୋଲିସକୁ ବ୍ୟବହାର କରିଥିବା ଆପ୍ ପାଲଟା ଅଭିଯୋଗ କରିଛି ।

ସୂଚନାଯୋଗ୍ୟ ଗତକାଲି ତେଜିନ୍ଦରଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା ପଞ୍ଜାବ ପୋଲିସ୍ । ଆମ୍ ଆଦମୀ ପାର୍ଟି ନେତା ଡଃ ସନ୍ନି ସିଂଙ୍କ ଅଭିଯୋଗ ଆଧାରରେ ବଗା ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଥିଲା । ମାମଲା ଦାଏର ହେବା ପରେ ପଞ୍ଜାବ ପୋଲିସ ତେଜିନ୍ଦର ପାଲ ସିଂ ବଗାଙ୍କୁ ଖୋଜାଖୋଜି କରିଥିଲା । ଫିଲ୍ମ 'କାଶ୍ମୀର ଫାଇଲ' ସମ୍ପର୍କରେ କେଜ୍ରିୱାଲଙ୍କ ମନ୍ତବ୍ୟ ପରେ ତେଜିନ୍ଦର ପାଲ ସିଂ ବଗା ତାଙ୍କୁ ଟାର୍ଗେଟ କରିଥିଲେ । ବାଗା ସିଏମ କେଜ୍ରିୱାଲଙ୍କୁ କାଶ୍ମୀରୀ ପଣ୍ଡିତ ବିରୋଧୀ ବୋଲି କହିଥିଲେ । ଏହା ପରେ ପଞ୍ଜାବରେ ବଗାଙ୍କ ବିରୋଧରେ ମାମଲା ଦାଏର କରାଯାଇଥିଲା ।