ପ୍ରେରଣାଦାୟୀ ହାରିକା, ବିଡ଼ି ଶ୍ରମିକଙ୍କ ଝିଅ MBBS ଡାକ୍ତର

ପ୍ରତ୍ୟେକ ବଡ଼ ବଡ଼ ପରୀକ୍ଷାରେ ଏମିତି ଗରିବ ମେଧାବୀ ଛାତ୍ରୀଛାତ୍ରମାନେ ଉତ୍ତୀର୍ଣ୍ଣ ହୋଇ ବାପା-ମା ଓ ନିଜ ଅଞ୍ଚଳର ଗୌରବ ଆଣିଥାନ୍ତି ।

Harika MBBS

ବାପା ନାହାନ୍ତି । ମାଆ ଜଣେ ବିଡ଼ି ଶ୍ରମିକ । ଆଉ ତାଙ୍କ ଝିଅ ହେବେ ଡାକ୍ତର । ପ୍ରତ୍ୟେକ ବାପା-ମାଆ ଚାହାନ୍ତି ତାଙ୍କ ସନ୍ତାନ ଖୁବ୍‌ ଆଗକୁ ଯାଉ । ଆଉ ତାର ବିକାଶ ହେଉ । ସମାଜରେ ପ୍ରତିଷ୍ଠିତ ହେଉ । ଆଉ ଯେତେବେଳେ ବାପା ମାଆଙ୍କର ଏହି ସ୍ୱପ୍ନ ସାକାର ହୋଇଯାଏ, ସେତେବେଳେ ଏହା ସେମାନଙ୍କ ପାଇଁ ସବୁଠାରୁ ବଡ଼ ଉପଲବ୍ଧି ହୋଇଥାଏ । ସନ୍ତାନର ସଫଳତାରେ ବାପା-ମାଆ ଗର୍ବିତ ହୁଅନ୍ତି । ସଫଳତା ପାଇଥିବା ସନ୍ତାନଟିଏ ଯେତିକି ଖୁସି ଥାଏ, ତା’ଠାରୁ କାହିଁ କେତେ ଗୁଣା ଅଧିକ ଖୁସି ଥାନ୍ତି ତାଙ୍କ ପିତା-ମାତା ।

କଥାରେ ଅଛି ଯାହାର ପାଠ ପଢ଼ିବା ପ୍ରତି ଆଗ୍ରହ ଥିବ, ସେ ନିଶ୍ଚୟ ପଢ଼ିବ । ଯେତେ ବାଧା ବିଘ୍ନ ଆସିଲେ ବି ତାର ପାଠ ପଢ଼ାକୁ କେହି ବନ୍ଦ କରିପାରିବେ ନାହିଁ । ଆଉ ଏହା ବି ସତ୍ୟ ଯେ, ଯିଏ ଆଜି ପରିଶ୍ରମ କରିବ ସେ କାଲି ନିଶ୍ଚୟ ଫଳ ପାଇବ । ଠିକ୍‌ ଏମିତି ହିଁ କିଛି ଏହି କାହାଣୀ ।

ପରିବାରରେ ବାପା ନାହାନ୍ତି । ମାଆ ବିଡ଼ି ଫ୍ୟାକ୍ଟ୍ରିରେ କାମ କରନ୍ତି । ଆଉ ବିଡ଼ି ତିଆରି କରି ଯାହା ଯେତିକି ରୋଜଗାର କରନ୍ତି, ସେତିକିରେ ପୁରା ପରିବାର ଚଳେ । ସେହି ରୋଜଗାରରେ ହିଁ ପିଲାଙ୍କ ପାଠ ପଢ଼ା ଚାଲେ । ହେଲେ ଆଜି ତାଙ୍କ ଝିଅ MBBS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି । ମାଆଙ୍କ ପାଇଁ ଗୌରବ ଆଣିଛି । ଏହି କାହାଣୀଟି ହେଉଛି ହାଇଦ୍ରାବାଦ ନିଜାମ୍‌ବାଦ୍‌ର । ଆଉ ଏହି କାହାଣୀ ଏବେ ଅନେକଙ୍କ ପାଇଁ ପ୍ରେରଣା ସାଜିଛି ।

ତେବେ MBBS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଜଣକ ହେଉଛନ୍ତି, ହାରିକା । ଆପଣ ଭାବୁଥିବେ ହାରିକାଙ୍କ ଭଳି ଏମିତି ଅନେକ ମେଧାବୀ ଛାତ୍ରୀ ଅଛନ୍ତି ଯିଏ କି ଗରିବ ପରିବାରରୁ ଆସିଥାନ୍ତି । ପ୍ରତ୍ୟେକ ବଡ଼ ବଡ଼ ପରୀକ୍ଷାରେ ଏମିତି ଗରିବ ମେଧାବୀ ଛାତ୍ରୀଛାତ୍ରମାନେ ଉତ୍ତୀର୍ଣ୍ଣ ହୋଇ ବାପା-ମା ଓ ନିଜ ଅଞ୍ଚଳର ଗୌରବ ଆଣିଥାନ୍ତି ।

 

ତେବେ ହାରିକାଙ୍କ କ୍ଷେତ୍ରରେ ଏହା ସାମାନ୍ୟ ଭିନ୍ନ । କାରଣ ହାରିକା କୌଣସି ଟ୍ୟୁସନ୍ କିମ୍ବା ସାର୍‌ଙ୍କ ପାଖରେ ପାଠ ପଢ଼ି MBBS ପାଇ ନାହାନ୍ତି । ସେ ପାଠ ପଢ଼ିଛନ୍ତି କେବଳ ୟୁଟ୍ୟୁବ୍‌ରୁ । ଆଉ ମାଗି ଯାଚି ସଂଗ୍ରହ କରିଥିବା ବହିରୁ ହିଁ ସେ ପାଠ ପଢ଼ି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏହି ଖବର ନିଜାମବାଦ୍‌ ନିର୍ବାଚନ ମଣ୍ଡଳିର TRS ବିଧାୟକ କବିତା କାଲବକୁନ୍ତଳାଙ୍କ ପାଖରେ ପହଞ୍ଚିଥିଲା । ଏହି ଖବର ପାଇବା ପରେ ବିଧାୟିକା ନିଜେ ହାରିକାଙ୍କ ଘରକୁ ଆସି ଶୁଭେଚ୍ଛା ଜଣାଇଛନ୍ତି ।

ଖାଲି ସେତିକି ନୁହେଁ ବିଧାୟିକା ନିଜ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ହାରିକାଙ୍କ ଫଟୋ ସେୟାର ମଧ୍ୟ କରିଛନ୍ତି । ଆଉ ହାରିକା ଜଣେ ପ୍ରେରଣାଦାୟୀ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ହାରିକା ଓ ତାଙ୍କ ମାଆଙ୍କୁ ଘରେ ଭେଟିବା ପରେ ବିଧାୟିକା, ହାରିକାଙ୍କ ଉଚ୍ଚଶିକ୍ଷା ପାଇଁ ସହଯୋଗର ହାତ ମଧ୍ୟ ବଢ଼ାଇଛନ୍ତି । ଆଗକୁ ହାରିକାଙ୍କ ପାଠ ପଢ଼ା ଖର୍ଚ୍ଚରେ ମଧ୍ୟ ବିଧାୟିକା ସହଯୋଗ କରିବେ ବୋଲି କହିଛନ୍ତି ।