OYO ରେ ଫିଟ୍‌ କଲେ କ୍ୟାମେରା; ଆଣିଲେ ଭିଡିଓ, କଲେ ବ୍ଲାକମେଲିଂ

୪ ଦୁର୍ବୃତ୍ତ OYO ରୁମ୍‌ରେ କ୍ୟାମେରା ଲଗାଇ ଦମ୍ପତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତକୁ ରେକର୍ଡ କରି ସେମାନଙ୍କୁ ବ୍ଲାକମେଲିଂ କରୁଥିଲେ । ଏନେଇ ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ତେବେ ଏଥିରେ ହୋଟେଲ କର୍ମଚାରୀଙ୍କ ହାତ ନଥିବା ଜଣାପଡ଼ିଛି।

OYO Hotel

ପ୍ରତିଦିନ ଦେଶରେ ବ୍ଲାକମେଲ୍‌ ଘଟଣା ସାମ୍ନାକୁ ଆସୁଛି । ହୋଟେଲ ରୁମ୍‌ରେ ହିଡେନ୍‌ କ୍ୟାମେରା ଦ୍ୱାରା ଅନ୍ତରଙ୍ଗ ମୁହୂର୍ତ୍ତକୁ ରେକର୍ଡ କରି ବ୍ଲାକମେଲ କରାଯାଉଥିବା ଘଟଣା ଏବେ ଦେଶରେ ବଢ଼ିବାରେ ଲାଗିଛି । ଠିକ ଏହିପରି ଏକ ଘଟଣା ଦିଲ୍ଲୀର ନଏଡାରେ ଘଟିଛି । ୪ ଦୁର୍ବୃତ୍ତ OYO ରୁମ୍‌ରେ କ୍ୟାମେରା ଲଗାଇ ଦମ୍ପତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତକୁ ରେକର୍ଡ କରି ସେମାନଙ୍କୁ ବ୍ଲାକମେଲିଂ କରୁଥିଲେ । ଏନେଇ ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

ପୋଲିସର କହିବାନୁଯାୟୀ, ଏହି ଦୁର୍ବୃତ୍ତ ମାନେ ପ୍ରଥମେ ଦମ୍ପତିଙ୍କ ଭିଡିଓ ରେକର୍ଡ କରି ତାଙ୍କୁ ବ୍ଲାକମେଲ୍‌ କରିବା ଆରମ୍ଭ କରିଥିଲେ । ସେମାନଙ୍କୁ ଧମକ ଦେଇଥିଲେ ଯେ ଯଦି ସେମାନେ ଟଙ୍କା ନ ଦିଅନ୍ତି, ତେବେ ତାଙ୍କ ଭିଡିଓକୁ ଭାଇରାଲ କରିଦେବେ । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏହି ରାକେଟ୍‌ରେ ହୋଟେଲ କର୍ମଚାରୀଙ୍କ କୌଣସି ହାତ ନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ଏହି ୪ ଦୁର୍ବୃତ୍ତ ପ୍ରଥମେ OYO ରେ ରୁମ୍‌ ବୁକ୍‌ କରି ଚେକ୍‌ ଆଉଟ୍‌ ପୂର୍ବରୁ କୋଠରୀରେ ହିଡେନ୍‌ କ୍ୟାମେରା ଫିଟ୍‌ କରିଥିଲେ । ଏହାର ପରଦିନ ସେହି ରୁମ୍‌କୁ ଆସିଥିବା ଦମ୍ପତିଙ୍କ ଅନ୍ତରଙ୍ଗ ଭିଡିଓ ସେହି କ୍ୟାମେରାରେ ରେକର୍ଡ ହୋଇଯାଇଥିଲା । ତା’ପରଦିନ ଅଭିଯୁକ୍ତ ପୁନର୍ବାର ସେହି ରୁମ୍‌ ଚେକ୍‌ ଇନ୍‌ କରି କ୍ୟାମେରାକୁ ଖୋଲି ଦେଇଥିଲେ ଏବଂ କ୍ୟାମେରାରେ କଏଦ ହୋଇଥିବା ଭିଡିଓକୁ ନେଇ ଦମ୍ପତିଙ୍କୁ ବ୍ଲାକମେଲ୍‌ କରିବା ଆରମ୍ଭ କରିଥିଲେ ।

ପୋଲିସ ଗିରଫ କରିଥିବା ୪ ଅଭିଯୁକ୍ତଙ୍କ ନାମ ହୋଉଛି ବିଷ୍ଣୁ ସିଂ, ଅବଦୁଲ ୱାହବ୍‌, ପଙ୍କଜ କୁମାର ଓ ଅନୁରାଗ କୁମାର ସିଂ । ଏମାନଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି । ଚୋରା ସିମ୍‌ କାର୍ଡ ଦ୍ୱାରା ଲୋକଙ୍କୁ ପ୍ରଲୋଭନ ଦେଖାଇ ଲୁଟିବା ଆଦି ମାମଲା ରହିଛି । ଗିରଫ ବେଳେ ସୋମାନଙ୍କ ପାଖରୁ ୧୧ ଲାପଟପ୍‌, ୨୧ଟି ମୋବାଇଲ ଓ ୨୨ଟି ଏଟିଏମ୍‌ କାର୍ଡ ଜବତ କରିଛି ପୋଲିସ ।