ମହିଙ୍ଗା ପଡ଼ିଲା ମନ୍ତବ୍ୟ, ସିବଲଙ୍କ ଗାଡ଼ି ଭାଙ୍ଗିଲେ କଂଗ୍ରେସ କର୍ମୀ

କଂଗ୍ରେସ ନେତୃତ୍ୱକୁ କପିଲ ସିବଲଙ୍କ ଟାର୍ଗେଟ୍ । ପରେ ତାଙ୍କ ବାସଭବନ ଆଗରେ ଜୋରଦାର ବିରୋଧ କରାଯାଇଛି। ସିବଲଙ୍କ ଦିଲ୍ଲୀସ୍ଥିତ ବାସଭବନ ଆଗରେ ଗାନ୍ଧି ପରିବାର ସମର୍ଥକମାନେ ବହୁ ସଂଖ୍ୟାରେ ଏକାଠି ହୋଇ ବିକ୍ଷୋଭ ଓ ନାରାବାଜି କରିଥିଲେ

Kapil Sibal

News Summary

ସିବଲଙ୍କ ଘର ଆଗରେ ବିକ୍ଷୋଭ

ଦଳ ଛାଡ଼ିବା ପାଇଁ କହିଲେ ଯୁବ କଂଗ୍ରେସ କର୍ମୀ

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ୱକୁ କପିଲ ସିବଲଙ୍କ ଟାର୍ଗେଟ୍ । ପରେ ତାଙ୍କ ବାସଭବନ ଆଗରେ ଜୋରଦାର ବିରୋଧ କରାଯାଇଛି। ସିବଲଙ୍କ ଦିଲ୍ଲୀସ୍ଥିତ ବାସଭବନ ଆଗରେ ଗାନ୍ଧି ପରିବାର ସମର୍ଥକମାନେ ବହୁ ସଂଖ୍ୟାରେ ଏକାଠି ହୋଇ ବିକ୍ଷୋଭ ଓ ନାରାବାଜି କରିଥିଲେ। କିଏ ଗୋଲାପ ଫୁଲ ଧରି ଆସିଥିଲା, ତ ଆଉ କିଏ ଟମାଟୋ ଫୋପାଡ଼ିଥିଲା। ଗେଟ୍ ୱେଲ୍ ସୁନ୍ ଓ ରାହୁଲ ଗାନ୍ଧି ଜିନ୍ଦାବାଦ ଆଦି ଏହି ସମୟରେ ଶୁଣିବାକୁ ମିଳିଥିଲା। ଯୁବ କଂଗ୍ରେସ କର୍ମୀମାନେ ସିବଲ ଦଳ ଛାଡ଼ି ଦିଅନ୍ତୁ ବୋଲି ସ୍ଲୋଗାନ୍ ଦେଇଥିଲେ। ବିରୋଧ ପ୍ରଦର୍ଶନ ବେଳେ କପିଲ ସିବଲଙ୍କ କାର୍ ମଧ୍ୟ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି। ତେବେ କପିଲଙ୍କ ଘଅ ଆଗରେ ପୋଲିସ ମୁତୟନ ହୋଇଛି।

ସୂଚନା ଅନୁସାରେ, ପଞ୍ଜାବ କଂଗ୍ରେସ ଘମାସାନ ଥମିବା ବଦଳରେ ଆହୁରି ଉଗ୍ରତର ହେଉଥିବା ବେଳେ, ଏପଟେ ଦଳର ସଭାପତି ନିର୍ବାଚନ ଓ ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ପୁଣି ତୀବ୍ର ହୋଇଛି ଅସ୍ଥିରତା। ଦଳର ସାଂଗଠନିକ ପରିବର୍ତ୍ତନ ଓ ତୁରନ୍ତ ସ୍ଥାୟୀ ସଭାପତି ବାଛିବା ଦାବିରେ ସୋନିଆଙ୍କୁ ଗତବର୍ଷ ଚିଠି ଲେଖିଥିଲେ ୨୩ ନେତା । ଏହି ଜି-23 ଗୋଷ୍ଠୀର ଅନ୍ୟତମ ସଦସ୍ୟ କପିଲ ସିବଲ ଆଜି ସାମ୍ବାଦିକ ସମ୍ମିଳନୀରେ ଦଳ ଉପରେ ନିଶାନା ସାଧିଛନ୍ତି। କହିଛନ୍ତି, ବିଭିନ୍ନ ରାଜ୍ୟର ବହୁ ବଡ଼ ବଡ଼ ନେତା କାହିଁକି କଂଗ୍ରେସ ଛାଡ଼ୁଛନ୍ତି, ଦଳ ପାଇଁ ଆସିଯାଇଛି ଆତ୍ମସମୀକ୍ଷାର ବେଳ। ଗୋଟିଏ ପଟେ ପଞ୍ଜାବ ସଂକଟକୁ ନେଇ କଂଗ୍ରେସ ସ୍ଥିତି ଟଳମଳ ଥିବା ବେଳେ, ଏପଟେ ଦଳୀୟ ନେତୃତ୍ୱ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା କପିଲ୍ ସିବଲ୍।

ଆଜି ପୁଣି ସେହି ପୁରୁଣା ପ୍ରସଙ୍ଗ ଅର୍ଥାତ୍ ସାଂଗଠନିକ ପରିବର୍ତ୍ତନ ପ୍ରସଙ୍ଗ ଉଠାଇବା ସହ, ବିଭିନ୍ନ ରାଜ୍ୟର ବହୁ ବଡ଼ ବଡ଼ ନେତା କାହିଁକି କଂଗ୍ରେସ ଛାଡ଼ୁଛନ୍ତି, ତାହା ଦଳ ମଧ୍ୟ ନିଜ ଆଡ଼ୁ ଚିନ୍ତା କରିବା ଦରକାର ବୋଲି କହିଛନ୍ତି। ସେ କଟାକ୍ଷ କରି କହିଛନ୍ତି, ଯେଉଁମାନେ ଏମାନଙ୍କ ଖାସ୍ ଥିଲେ ସେମାନେ ଛାଡ଼ିଗଲେ, ଆଉ ଯେଉଁମାନଙ୍କୁ ଏମାନେ ଖାସ୍ ଭାବୁନଥିଲେ, ସେମାନେ ଏବେବି ଦଳରେ ଅଛନ୍ତି। ପଞ୍ଜାବ ସ୍ଥିତି ଉପରେ ସିଧାସଳଖ କୌଣସି ଟିପ୍ପଣୀ ଦେଇନଥିଲେ ବି, ଏହା ପାକିସ୍ତାନ ଓ ଆଇଏସ୍ଆଇକୁ ଭାରତରେ ଅସ୍ଥିରତା ଆଣିବା ପାଇଁ ସୁହାଉଛି ବୋଲି କହିଛନ୍ତି। ଦାବି କରିଛନ୍ତି, ସଭାନେତ୍ରୀ ତୁରନ୍ତ କଂଗ୍ରେସ କାର୍ଯ୍ୟକାରିଣୀ ଡକାଇ ଆଲୋଚନା କରନ୍ତୁ ବୋଲି କହିଥିଲେ ସିବଲ। ତେବେ ସିବଲଙ୍କ ଏହି ମନ୍ତବ୍ୟ ପାଇଁ ଆଜି ଏପରି ସ୍ଥିତି ଉପୁଜିଥିବା କୁହାଯାଇଛି।