• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦରବୃଦ୍ଧି, ବେରୋଜଗାର ଓ ଜିଏସଟି ବୃଦ୍ଧି ପ୍ରତିବାଦରେ ଦେଶବ୍ୟାପୀ ଆଜି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ସାରା ଦେଶରେ ପ୍ରମୁଖ ସ୍ଥାନରେ କଂଗ୍ରେସ, ନେତା ଓ କର୍ମୀ କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସବୁ ରାଜ୍ୟର ରାଜଧାନୀ, ଜିଲ୍ଲା ହେଡକ୍ୱାର୍ଟରରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି । ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି, ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଇବା ସହ ଯୁବଗୋଷ୍ଠୀଙ୍କ ମଧ୍ୟରେ ନିରାଶା ଦେଖାଦେବାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କ ବିରୋଧରେ ଏ ଆନ୍ଦୋଳନ କରୁଛି ।

ଏହାସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଚୁଡ଼ାମୁଢ଼ି ଭଳି ଖାଦ୍ୟ ଉପରେ ଜିଏସଟି ବୃଦ୍ଧି କରାଯିବାକୁ ଦଳ ବିରୋଧ କରି ରାସ୍ତାକୁ ଓହ୍ଲାଇଛି । ନୂଆଦିଲ୍ଲୀରେ ଆନ୍ଦୋଳନ ପାଇଁ କଂଗ୍ରେସକୁ ଦିଲ୍ଲୀ ପୋଲିସ ଅନୁମତି ନ ଦେବାରୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧି । ଗଣତନ୍ତ୍ର ହତ୍ୟା କିଭଳି କରାଯାଉଛି, ତାହା ଦେଶ ଏବେ ଦେଖୁଛି ବୋଲି ରାହୁଲ କହିଛନ୍ତି । ଏହାସହ ସେ କହିଛନ୍ତି ଯେଉଁ ଦେଶକୁ ଇଟା ପରେ ଇଟା ରଖି ଗଢ଼ିବା ଲାଗି ଶହ ଶହ ବର୍ଷ ଲାଗିଥିଲା, ତାହା ଏବେ ଏଇ କେଇ ବର୍ଷ ଭିତରେ ଆଖି ଆଗରେ ଧ୍ୱଂସ କରି ଦିଆଯାଉଛି । ଯଦି କେହି ଏକଛତ୍ରବାଦ ଉପରେ ସ୍ୱର ଉଠାଉଛି, ତାକୁ ଗିରଫ କରି ଜେଲରେ ଭର୍ତ୍ତି କରି ଦିଆଯାଉଛି, ନ ହେଲେ ତାକୁ ଆକ୍ରମଣ କରାଯାଉଛି ବୋଲି ରାହୁଲ କହିଛନ୍ତି । ଏହାସହ କଂଗ୍ରେସ କାର୍ଯ୍ୟକାରୀ କମିଟି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ଆବାସ ଘେରାଉ କାର୍ଯ୍ୟକ୍ରମ ରହିଛି ।

ଅନ୍ୟପକ୍ଷରେ କଂଗ୍ରେସର ରାଜ୍ୟସଭା ଓ ଲୋକସଭା ସଦସ୍ୟ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିବେ । ଏହାକୁ ଦୃଷ୍ଟିରେ ରଖି ସାରା ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କୌଣସି ସ୍ଥାନରେ ଜନଗହଳି କରିବା ଉପରେ ଦିଲ୍ଲୀ ପୋଲିସ ପ୍ରତିବନ୍ଧକ ଲଗାଇଛି । ଏହାସହ କଂଗ୍ରେସ ଦଳ ମୁଖ୍ୟାଳୟ ୨୪ ଆକବର ରୋଡ଼କୁ ପୋଲିସ ଛାଉଣିରେ ପରିଣତ କରି ଦିଆଯାଇଛି ଏକାଧିକ ବ୍ୟାରିକେଡ ଲଗାଯାଇଛି ।