ସହିଦ ସ୍ୱାମୀର ଜୁଇ ଉପରେ ଶୋଇ ପଡ଼ିଲେ ସ୍ତ୍ରୀ । ସ୍ୱାମୀର ମୃତ୍ୟୁରେ ସ୍ତ୍ରୀ ଏତେ ମ୍ରିୟମାଣ ହୋଇ ପଡ଼ିଥିଲେ ଯେ, ସେ ନିଜ ଜୀବନ ହାରିବାକୁ ବସିଥିଲେ । ପରେ ଅବଶ୍ୟ ତାଙ୍କୁ ଜୁଇରୁ ଉଠାଇ ଆଣିଥିଲେ ସଂପର୍କୀୟ ଓ ସ୍ଥାନୀୟ ଲୋକେ ।
ଛତିଶଗଡ଼ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଦନ୍ତେୱାଡ଼ାର ରାଜୁ କରତାମଙ୍କ ଆଜି ଶେଷକୃତ୍ୟ କରାଯାଉଥିଲା । ପାର୍ଥିବ ଶରୀରର ଦାହ ସଂସ୍କାର ପାଇଁ ଯେତେବେଳେ ଜୁଇ ସଜାଡ଼ି ସେଥିରେ ମୁଖାଗ୍ନି ଦେବାକୁ ସମୟ ହେଲା, ସେତେବେଳେ ହଠାତ ସହିଦଙ୍କ ପତ୍ନୀ ଜୁଇ ଉପରେ ଶୋଇ ପଡ଼ିଥିବାର ଦେଖିବାକୁ ମିଳିଥିଲା ।
Also Read
ଦୁଃଖରେ ମ୍ରିୟମାଣ ହୋଇ ସହିଦ ରାଜୁ କରତାମଙ୍କ ପତ୍ନୀ କହିଛନ୍ତି ଯେ, ‘ସ୍ୱାମୀ ନାହାନ୍ତି, ଆଉ ଏ ଜୀବନ ରଖି ଲାଭ କ’ଣ । ମତେ ବି ସାଙ୍ଗରେ ନେଇଯାଅ’ । ଏହା କହି ସେ ଜୋରରେ କାନ୍ଦିବାକୁ ଲାଗିଲେ । ସେଠାରେ ସୃଷ୍ଟି ହୋଇଥିଲା ଏକ କରୁଣ ଭାବବିହ୍ୱଳ ପରିବେଶ । ଏହି ଦୃଶ୍ୟ ଦେଖି ସମସ୍ତେ କାନ୍ଦି ପକାଇଥିଲେ । ଶେଷରେ ବହୁ ସୁଝା ସୁଝା ପରେ କୌଣସି ପ୍ରକାରେ ଯବାନଙ୍କ ପତ୍ନୀଙ୍କୁ ଜୁଇରୁ ହଟାଯାଇଥିଲା। ଏହା ପରେ ହିଁ ରାଜୁଙ୍କ ଦାହ ସଂସ୍କାର ହୋଇପାରିଥିଲା ।
ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ଛତିଶଗଡ଼ର ଦନ୍ତେୱାଡାରେ ନକ୍ସଲଙ୍କ ଭୟଙ୍କର ଆଇଇଡି ବିସ୍ଫୋରଣରେ ୧୦ ପୁଲିସ୍ କର୍ମଚାରୀ ଓ ସେମାନେ ଯାଉଥିବା ଭଡ଼ା ଗାଡ଼ିର ଡ୍ରାଇଭର ପ୍ରାଣ ହରାଇଥିଲେ। ରାଜ୍ୟର ରାଜଧାନୀ ରାୟପୁରଠାରୁ ୪୫୦ କିମି ଦୂରରେ ଏହି ହମଲା ହୋଇଥିଲା। ନକ୍ସଲ ଦମନ ଅଭିଯାନରୁ ଡିଆରଜି ଯବାନମାନେ ଫେରୁଥିବା ବେଳେ ଏପରି ହମଲାରେ ବଳିଦାନ ଦେଇଥିଲେ।