ଜହ୍ନ ରାଇଜରୁ ଆସିଲା ନୂଆ ଭିଡିଓ; ସ୍ପଷ୍ଟ ଦିଶୁଛି ଚନ୍ଦ୍ରପୃଷ୍ଠର ଅସଂଖ୍ୟ ଗହ୍ୱର

ଚନ୍ଦ୍ରପୃଷ୍ଠର ୨ଟି ଭିଡିଓ ପଠାଇଲା ଚନ୍ଦ୍ରାୟନ-୩ । ଭିଡିଓ କଏଦ କରିଛି ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା । ସେଥିରେ ସ୍ପଷ୍ଟ ଦିଶୁଛି ଯେ ଚନ୍ଦ୍ରପୃଷ୍ଠର ଅସଂଖ୍ୟ ଗହ୍ୱର ରହିଛି ।

Chandrayaan 3

ସଫଳତାର ଆଉ ଏକ ସୋପାନ ଅତିକ୍ରମ କଲା ଭାରତର ମୁନ ମିଶନ୍ । ଲୋୟର ଅର୍ବିଟରେ ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡରର ଡିବୁଷ୍ଟିଂ ସଫଳ ହୋଇଛି । ଗତି ହ୍ରାସ ସହ ଦୂରତ୍ୱ କମାଇବା ପାଇଁ ଡିବୁଷ୍ଟିଂ କରାଯାଇଛି । ଏହାପରେ ସର୍ବନିମ୍ନ ୧୧୩ କି.ମି. ଏବଂ ସର୍ବାଧିକ ୧୫୭ କି.ମି.କୁ ଏହାର କକ୍ଷପଥ ହ୍ରାସ କରାଯାଇଛି । ଆସନ୍ତା ଅଗଷ୍ଟ ୨୦ରେ ଦ୍ୱିତୀୟ ଥର ପାଇଁ ଚନ୍ଦ୍ରଯାନର ଡିବୁଷ୍ଟିଂ ହେବ ବୋଲି ISRO ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଚନ୍ଦ୍ରପୃଷ୍ଠର ୨ଟି ନୂଆ ଭିଡିଓ ଉତ୍ତୋଳନ କରି ପଠାଇଛି ଚନ୍ଦ୍ରାୟନ-୩ର ଲ୍ୟାଣ୍ଡର୍ । ଏହି ଭିଡିଓ ଅଗଷ୍ଟ ୧୫ର । ଏହାକୁ ଲ୍ୟାଣ୍ଡର ପଜିସନ୍ ଡିଟେକ୍ସନ କ୍ୟାମେପା ବା LPDC କଏଦ କରିଛି । ଏହି କ୍ୟାମେରାକୁ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ ବେଳେ ଅବତରଣ ସ୍ଥଳ ନିରୂପଣ କରିବା ପାଇଁ ବ୍ୟବହାର କରିବ ଲ୍ୟାଣ୍ଡର ।

ଦ୍ୱିତୀୟ ଭିଡିଓଟି ଅଗଷ୍ଟ ୧୭ ତାରିଖର । ଲ୍ୟାଣ୍ଡର ଏବଂ ପ୍ରପଲ୍ସନ ମଡ୍ୟୁଲ ଅଲଗା ହେବା ଠିକ୍ ପରର ଏହି ଭିଡିଓ । ଏହାକୁ ଲ୍ୟାଣ୍ଡର ଇମେଜ୍ କ୍ୟାମେରା-୧ ସହାୟତାରେ ରେକର୍ଡ କରାଯାଇଛି । ଉଭୟ ଭିଡିଓରେ ଚନ୍ଦ୍ରପୃଷ୍ଠକୁ ସ୍ପଷ୍ଟ ଦେଖିହେଉଛି । ସେଥିରେ ନଜର ଆସୁଛି ଚନ୍ଦ୍ରପୃଷ୍ଠରେ ଥିବା ଅସଂଖ୍ୟ ବିରାଟ ବିରାଟ ଗହ୍ୱର । ଗୋଟିଏ ଭିଡିଓରେ ପୃଥିବୀର କିଛି ଅଂଶ ମଧ୍ୟ ଦୂରରୁ ଏକ ବିନ୍ଦୁ ଭଳି ଦୃଶ୍ୟମାନ ହେଉଛି ।

ଆଉ ମାତ୍ର ୫ ଦିନ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରୟାନ-୩ । ଚନ୍ଦ୍ରୟାନର ଲ୍ୟାଣ୍ଡର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବା ପରେ, ତା ଭିତରୁ ରୋଭର୍ ବାହାରି ୧୪ ଦିନ ଲାଗି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ ।