ଚନ୍ଦ୍ରପୃଷ୍ଠରେ ପାଦ ଥାପିଲା ଭାରତ; ସଫଳତା ପଛରେ ରହିଛି କେଉଁ ମହିଳାଙ୍କ ହାତ, ଜାଣନ୍ତୁ..

ଇତିହାସ ରଚିଛି ଭାରତ। ଜହ୍ନ ରାଇଜରେ ଦେଶ ନାଁ ଲେଖିଛି। ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା। ଇସ୍ରୋର ମିଶନ ଚନ୍ଦ୍ର ସଫଳ ହେବା ପରେ ପ୍ରତି ଭାରତୀୟ ଗର୍ବରେ କୁଣ୍ଡେ ମୋଟ ହୋଇଯାଉଛନ୍ତି। ୪ ବର୍ଷ ତଳେ ଇସ୍ରୋ ସଫଳତାର ଅତି ନିକଟରେ ପହଞ୍ଚି ଫେଲ ମାରିଥିଲା। କିନ୍ତୁ ଏବେ ସଂସ୍ଥା ବେଶ୍ ସଫଳତାର ସହ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରର ଦକ୍ଷିଣ ମେରୁରରେ ସଫଳତାର ସହ ଅବତରଣ କରାଇପାରିଛି।

Chandrayaan 3

ଜହ୍ନରେ ଭାରତ ଲେଖିଲା ନାଁ । ଇତିହାସ ରଚିଲା ଚନ୍ଦ୍ରୟାନ-୩ । ସାରା ଦେଶର ନଜର ଥିଲା ଇସ୍ରୋର ତୃତୀୟ ମୁନ୍ ମିଶନ ଉପରେ । ଆଉ ସମସ୍ତଙ୍କ ଆଶା, ଅପେକ୍ଷା ଓ ଉତ୍କଣ୍ଠାକୁ ଚରିତାର୍ଥ କରି ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର୍ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାରେ ପ୍ରଥମ ଦେଶ ଭାବେ ଗୌରବ ଅର୍ଜନ କରିଛି ଭାରତ । ଇସ୍ରୋ ପକ୍ଷରୁ ପୂର୍ବରୁ ଯେଉଁ ଯୋଜନା କରାଯାଇଥିଲା, ଠିକ୍ ସେହି ଅନୁସାରେ ସ୍ୱୟଂକ୍ରିୟ ଭାବେ ଅବତରଣ କରିଥିଲା ଲ୍ୟାଣ୍ଡର୍ ।

(Chandrayaan-3)

ଚନ୍ଦ୍ରର ଦକ୍ଷିଣ ଭାଗରେ ପହଞ୍ଚିବାରେ ଭାରତ ପ୍ରଥମ ଦେଶ

କୌଣସି ବି ଦେଶ ଚନ୍ଦ୍ରର ଦକ୍ଷିଣ ଭାଗରେ ପହଞ୍ଚି ନାହାନ୍ତି ସେଥିପାଇଁ ଭାରତ ସେଠାରେ ପହଞ୍ଚିବାକୁ ଚେଷ୍ଟା କରିଥିଲା । ଆଉ ସେଠାରେ ଚନ୍ଦ୍ରୟାନ୍‌-୩ର ସଫଳ ଅବତରଣ କରି ଭାରତ ଇତିହାସ ରଚିଛି । ଭାରତ ନାଁରେ ଏବେ ଏହି ବିରଳ ରେକର୍ଡ ରହିବ । ଭାରତ ହିଁ ପ୍ରଥମ ଦେଶ ଯିଏ କି ଚନ୍ଦ୍ର ଦକ୍ଷିଣ ଭାଗରେ ପହଞ୍ଚିଛି ।

ଅଧିକ ପଢ଼ନ୍ତୁ: ମିଶନ ଚନ୍ଦ୍ରୟାନ-୩ ସଫଳତା ପଛର ସୁପର୍‌ ହିରୋ

(Chandrayaan-3)

କେବେଠୁ ଆରମ୍ଭ ହୋଇଥିଲା ମୁନ୍‌ ମିଶନ ?

ଭାରତର ମୁନ୍ ମିଶନ ଆରମ୍ଭ ହୋଇଥିଲା ୨୦୦୮ ମସିହାରେ । ୨୦୦୮ ଅଗଷ୍ଟ ୨୮ରେ ଜହ୍ନକୁ ଯାଇଥିଲା ଚନ୍ଦ୍ରୟାନ-୧। ଖର୍ଚ୍ଚ ହୋଇଥିଲା ୩୮୬ କୋଟି ଟଙ୍କା । ଅଗଷ୍ଟ ୨୦୦୯ ଯାଏଁ ଚନ୍ଦ୍ର ଚାରିପଟେ ବୁଲିଥିଲା ଅର୍ବିଟର୍ । ଚନ୍ଦ୍ରର ମେରୁ ଅଞ୍ଚଳରେ ଜଳର ସନ୍ଧାନ କରି ସାରା ଦୁନିଆକୁ ଚମକାଇ ଦେଇଥିଲା ପ୍ରଥମ ଚନ୍ଦ୍ରୟାନ । ପ୍ରଥମ ଥର ପାଇଁ ଜହ୍ନରେ ଜଳ ଥିବା ନେଇ ଏଭଳି ସ୍ପଷ୍ଟ ତଥ୍ୟ ଦେଇଥିଲା ଯେ, ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା ଭାରତର ସ୍ପେଶ୍ ମିଶନ୍ । 

ଚନ୍ଦ୍ରର ଦକ୍ଷିଣ ଭାଗରେ ଫ୍ରୋଜେନ୍ ୱାଟରର ସନ୍ଧାନ ମିଳିଛି । ତେଣୁ ଭାରତ ଦକ୍ଷିଣ ଭାଗରେ ପହଞ୍ଚିବାର ନିଷ୍ପତ୍ତି ନେବା ପଛରେ ଏହା ମଧ୍ୟ ଏକ ପ୍ରମୁଖ କାରଣ । ଫ୍ରୋଜେନ୍‌ ୱାଟର ରହିଛି, ଅର୍ଥାତ୍‌ ସେଠାରେ ବରଫ ଏବଂ ଜଳ ରହିବାର ସୂଚନା ରହିଛି । ତେଣୁ ଜୀବଜଗତଙ୍କ ପାଇଁ ଏଠାରେ ଅନୁକୂଳ ପରିବେଶ ଥାଇପାରେ ବୋଲି ମଧ୍ୟ କୁହାଯାଇପାରେ । ଏହି ଆଶଙ୍କା ଥିବାରୁ ଭାରତ ଦକ୍ଷିଣ ଭାଗରେ ଚନ୍ଦ୍ରୟାନ-୩ ଲ୍ୟାଣ୍ଡ କରିବାର ନିଷ୍ପତ୍ତି ନେଇଛି ।

 

ବିଫଳତା ପରେ ସଫଳତା

୨୦୧୯ ମସିହା ଜୁଲାଇ ୨୨ରେ ଇସ୍ରୋର ବାହୁବଳୀ ରକେଟ୍ ଜିଏସ୍ଏଲ୍‌ଭି ମାର୍କ-ଥ୍ରୀ ସହାୟତାରେ ଉତକ୍ଷେପଣ ହୋଇଥିଲା ଦ୍ୱିତୀୟ ଚନ୍ଦ୍ରୟାନ । ସେପ୍ଟେମ୍ବର ୨ରେ ଯୋଜନା ମୁତାବକ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ ହୋଇଥିଲା, ଚନ୍ଦ୍ରୟାନ-୨ର ଅର୍ବିଟର । ଯାହାକି ଏବେବି କାର୍ଯ୍ୟକ୍ଷମ ଅଛି ଏବଂ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ସହିତ ଇସ୍ରୋର ଯୋଗାଯୋଗ ମାଧ୍ୟମ ସାଜିଛି ।

ତେବେ ସେପ୍ଟେମ୍ବର ୬ରେ ଅଧୁରା ରହିଯାଇଥିଲା ଭାରତର ସଫ୍ଟଲ୍ୟାଣ୍ଡିଂ ସ୍ୱପ୍ନ । ଅବତରଣର ଶେଷ ମୁହୂର୍ତ୍ତରେ ଠିକ୍ ଚନ୍ଦ୍ରପୃଷ୍ଠକୁ ଛୁଇଁବାର ୨ କିଲୋମିଟର ପୂର୍ବରୁ ନିର୍ଦ୍ଧାରିତ ଗତିପଥରୁ ବିଚ୍ୟୁତ ହୋଇ କ୍ରାଶ୍ ଲ୍ୟାଣ୍ଡ୍ କରିଥିଲା ଲ୍ୟାଣ୍ଡର ବିକ୍ରମ । ସଫଳତା ହାତରେ ଲାଗିଲାନି ସିନା, ହେଲେ ଇସ୍ରୋକୁ ଦ୍ୱିତୀୟ ମୁନ୍ ମିଶନରୁ ମିଳିଲା ବଡ଼ ଉପଲବ୍ଧି । ବିଫଳତାରୁ ଶିଖି ପୁଣି ଅଣ୍ଟା ସଳଖି ଛିଡ଼ା ହେଲେ ଭାରତୀୟ ମହାକାଶ ବିଜ୍ଞାନୀମାନେ ।

୪ ବର୍ଷର କଠିନ ପରିଶ୍ରମ, ଆମୂଳଚୂଳ ତ୍ରୁଟି ସମୀକ୍ଷା ଏବଂ ସେଥିରେ ସୁଧାର ଆଣିବା ସହ ଅନେକ ଉନ୍ନତ ଜ୍ଞାନ କୌଶଳକୁ ସାମିଲ କରାଗଲା ଚନ୍ଦ୍ରୟାନ-୩ରେ । ସଫ୍ଟଲ୍ୟାଣ୍ଡିଂ ବେଳେ ଯେକୌଣସି ତ୍ରୁଟିର ଯେପରି ଆପେଆପେ ତତ୍କାଳ ସମାଧାନ କରିପାରିବ ଲ୍ୟାଣ୍ଡର୍, ସେଦିଗରେ ଶହ ଶହ ଥର ସବୁ ପ୍ରକାର ପୂର୍ବାଭ୍ୟାସ କରାଯାଇଥିଲା ଲଞ୍ଚିଂ ପୂର୍ବରୁ । ଯାହାର ପରିଣାମ ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ସଫ୍ଟ ଲ୍ୟାଣ୍ଡିଂ କରିପାରିଛି ଭାରତ । ଚନ୍ଦ୍ରୟାନ ୩ର ସଫଳତା ପାଇଁ ଖଚ୍ଚ ହୋଇଛି ୬୧୫ କୋଟି ଟଙ୍କା । 

(Chandrayaan-3)

କେମିତି କଲା ଲ୍ୟାଣ୍ତିଂ

ସମସ୍ତଙ୍କ ଆଶା, ଅପେକ୍ଷା ଓ ଉତ୍କଣ୍ଠାକୁ ଚରିତାର୍ଥ କରି ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର୍ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବାରେ ପ୍ରଥମ ଦେଶ ଭାବେ ଗୌରବ ଅର୍ଜନ କରିଛି ଭାରତ । ଇସ୍ରୋ ପକ୍ଷରୁ ପୂର୍ବରୁ ଯେଉଁ ଯୋଜନା କରାଯାଇଥିଲା, ଠିକ୍ ସେହି ଅନୁସାରେ ସ୍ୱୟଂକ୍ରିୟ ଭାବେ ଅବତରଣ କରିଥିଲା ଲ୍ୟାଣ୍ଡର୍ ।

ଠିକ୍ ୫ଟା ୪୫ରେ ପ୍ରାୟ ୩୦ କିଲୋମିଟର ଉଚ୍ଚତାରୁ ନିଜ ବେଗ କମ୍ କରି ତଳକୁ ଖସିବା ଆରମ୍ଭ କରିଥିଲା । ଆରମ୍ଭ ହୋଇଥିଲା ଆହ୍ୱାନପୂର୍ଣ୍ଣ ୧୭ ମିନିଟ । ତେବେ ଚନ୍ଦ୍ରୟାନ-୨ ତୁଳନାରେ ଚନ୍ଦ୍ରୟାନ-୩ର ସବୁଠୁ ବଡ଼ ଫରକ ଏୟା ଥିଲା ଯେ, ଏଥର ସଫ୍ଟଲ୍ୟାଣ୍ଡିଂ ଆରମ୍ଭରୁ ଶେଷ ଯାଏଁ ସବୁକିଛି ଲ୍ୟାଣ୍ଡର୍ ନିଜେ  କରିଥିଲା । ଇସ୍ରୋର ମିଶନ ଅପରେସନ୍ କଂପ୍ଲେକ୍ସରେ ବୈଜ୍ଞାନିକ ମାନେ କେବଳ ପୂରା ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିଥିଲେ। 

(Chandrayaan-3)

ଲ୍ୟାଣ୍ତିଂ ବେଳର ଐତିହାସିକ ମୁହୂର୍ତ୍ତ

୧ ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ବିକ୍ରମ ମାତ୍ର ୧୯ ମିନିଟ୍ ଭିତରେ ୩୦ କିଲୋମିଟର ଉଚ୍ଚତାରୁ ଖସି ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇବାକୁ ସକ୍ଷମ ହୋଇଛି। ନିଜର ବେଗ କମ୍ କରିବା, ଲ୍ୟାଣ୍ଡିଂ ପାଇଁ ଉପଯୁକ୍ତ ସ୍ଥାନ ଖୋଜିବା ଓ ସୁରକ୍ଷିତ ଭାବେ ସଫ୍ଟଲ୍ୟାଣ୍ଡିଂ କରିବା ଆଦି ସବୁ କିଛି ସ୍ୱଂୟଚାଳିତ ଢଙ୍ଗରେ ଶେଷ ହୋଇଛି।

(Chandrayaan-3)

ଚନ୍ଦ୍ରରେ ଚାଲିଲା ‘ରୋଭର’

ଲ୍ୟାଣ୍ଡର ‘ବିକ୍ରମ’ରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହୋଇଛି। ଅଲଗା ହେବା ପରେ ଚନ୍ଦ୍ରରେ ବୁଲୁଛି ‘ପ୍ରଜ୍ଞାନ’। ସେହିପରି ଚନ୍ଦ୍ର ପୃଷ୍ଠରେ ତଥ୍ୟ ସଂଗ୍ରହ କରିବ ‘ରୋଭର’ । ରୋଭର ପ୍ରଜ୍ଞାନ ଓ ବିକ୍ରମ ମିଳିତ ଭାବେ ୧୪ ଦିନ ଯାଏ ଚନ୍ଦ୍ରରୁ ଇସ୍ରୋକୁ ତଥ୍ୟ ଦେବେ। ତେବେ ଏହାର ଓଜନ କେତେ ଓ ଏଥିରେ କ’ଣ ସବୁ ଖଞ୍ଜା ଯାଇଛି, ତା’ର ତଥ୍ୟ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।  

(Chandrayaan-3)

ଚନ୍ଦ୍ରୟାନ ସଫଳତା ପଛରେ ରହିଛି ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ସବୁ କ୍ଷେତ୍ରରେ ମହିଳା ଆଗରେ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ISRO ର ମହିଳା ବୈଜ୍ଞାନିକ । ଚନ୍ଦ୍ରୟାନ ୩ ପାଇଁ ମୋଟ ୫୪ ଜଣ ଇଞ୍ଜିନିୟର/ବୈଜ୍ଞାନିକ ନିୟୋଜିତ ହୋଇଥିଲେ । ତାଙ୍କର ଅକ୍ଲାନ୍ତ ପରିଶ୍ରମ ବଳରେ ଆଜି ଭାରତ ଇତିହାସ ରଚିପାରିଛି ।

ଭାରତ ତଥା ISROର ଏତେ ବଡ଼ ସଫଳତା ପଛରେ ଯେଉଁ ୪ ଜଣଙ୍କର ମୁଖ୍ୟ ହାତ ରହିଛି ସେମାନଙ୍କୁ ମଞ୍ଚକୁ ଡାକି ଅଭିନନ୍ଦନ ଜଣାଇଛନ୍ତି ISRO ମୁଖ୍ୟ । ସେମାନେ ହେଲେ ପ୍ରୋଜେକ୍ଟ ଡାଇରେକ୍ଟର ଇସିଆର୍, ଆସୋସିଏଟ୍ ପ୍ରୋଜେକ୍ଟ ଡାଇରେକ୍ଟର କଳ୍ପନା, ମିଶନ ଅପରେସନ୍‌ ଡାଇରେକ୍ଟର ଶ୍ରୀକାନ୍ତ ଓ ସାଟେଲାଇଟ୍‌ କୋଣ୍ଟ୍ରୋଲ ଡାଇରେକ୍ଟର । ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେଇଛନ୍ତି ଇସ୍ରୋ ମୁଖ୍ୟ । ଏହାସହ ସାରା ଦେଶବାସୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ଇସ୍ରୋ ମୁଖ୍ୟ ସୋମନାଥ । 

(Chandrayaan-3)

ଏହି ମୁହୂର୍ତ୍ତ ଅବିସ୍ମରଣୀୟ କହିଲେ ପ୍ରଧାନମନ୍ତ୍ରୀ

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ ୩ ର ସଫ୍ଟ ଲ୍ୟାଣ୍ଡିଂର ଐତିହାସିକ ମୁହୂର୍ତ୍ତକୁ ଅବିସ୍ମରଣୀୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ତ୍ତମାନ ବ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ରହିଛନ୍ତି । ସେଠାରୁ ସେ ଭିଡିଓ କନଫରେନ୍ସିଂ ଜରିଆରେ ଲ୍ୟାଣ୍ଡିଂର ଲାଇଭ ଚିତ୍ର ଦେଖିଥିଲେ । ବିକ୍ରିମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବା ମାତ୍ରେ ମୋଦି ତ୍ରିରଙ୍ଗା ଉଡ଼ାଇବା ସହ ତାଳି ମାରି ଇସ୍ରୋ ଓ ଦେଶବାସୀଙ୍କ ଉତ୍ସାହକୁ ବଢ଼ାଇଥିଲେ। 

(Chandrayaan-3)

ସାରା ବିଶ୍ୱ କହୁଛି ଚନ୍ଦ୍ରୟାନ ୩ ସଫଳତାର ଗାଥା

ଭାରତର ଏହି ଐତିହାସିକ ସଫଳତାରେ ସାରା ବିଶ୍ୱରୁ ଛୁଟିଛି ଶୁଭେଚ୍ଛାର ସୁଅ । ନାଶାର ପୂର୍ବତନ ଅଧିକାରୀ ମାଇକ୍ ଗୋଲ୍ଡ କହିଛନ୍ତି, ଦକ୍ଷିଣ ଗୋଲାର୍ଦ୍ଧରେ ସଫ୍ଟ ଲ୍ୟାଣ୍ଡିଂ କରି ଭାରତ ନୂଆ ଯୁଗ ଆରମ୍ଭ କରିଛି । ଏହାଛଡ଼ା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସାରା ବିଶ୍ୱରୁ ISRO କୁ ଛୁଟୁଛି ପ୍ରଶଂସାର ସୁଅ ।

(Chandrayaan-3)