କଡ଼ା ନିର୍ଦ୍ଦେଶ ! ପ୍ରତି ୨ ଘଣ୍ଟାରେ ସବୁ ରାଜ୍ୟ ଦେବେ ଅପ୍‌ଡେଟ୍ ରିପୋର୍ଟ

ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସବିଶେଷ ତଥ୍ୟ ଜଣାଇବେ। ସବୁ ରାଜ୍ୟ ଗୃହ ମନ୍ତ୍ରାଳୟକୁ ଗୋଟି ଗୋଟି କରି ୨ ଘଣ୍ଟାକୁ ଥରେ ଅପଡେଟ୍ ଜଣାଇବେ। 

Amit Shah

କୋଲକାତା ଆର୍‌ଜି ମେଡିକାଲ କଲେଜ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସାରା ଦେଶରେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଡାକ୍ତରମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି । ଡାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ପାଇଁ ହଜାର ହଜାର ଡାକ୍ତର ଛାତ୍ରଛାତ୍ରୀ ରାଜରାସ୍ତାରେ ନାରା ଦେଉଛନ୍ତି । ସାଧାରଣ ଜନତା ବି ଏଥିରେ ସାମିଲ । ସମସ୍ତଙ୍କ ମନରେ କୋହ ଭରି ରହିଛି । ଦୋଷୀକୁ ଦଣ୍ଡ ମିଳୁ ବୋଲି ସମସ୍ତଙ୍କ ଦାବି । ଅନ୍ୟପଟେ ଏହି ଘଟଣାରେ ପଶ୍ଚିମବଙ୍ଗ ସରକାର ବି ପେଶି ହେଲେଣି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟକଳାପକୁ ନେଇ ଲୋକ ପ୍ରଶ୍ନ କଲେଣି ।

ତେବେ ଏହି ସବୁ ଘଟଣା ଭିତରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ଏକ କଡ଼ା ପଦକ୍ଷେପ ନେଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ନିଜ ନିୟମ କଡ଼ାକଡ଼ି କରିଛି। କୁହାଯାଇଛି ଏଣିକି ସବୁ ରାଜ୍ୟ ପ୍ରତି ୨ ଘଣ୍ଟାରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରିପୋର୍ଟ ଦେବେ। ନିଜ ନିଜ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସବିଶେଷ ତଥ୍ୟ ଜଣାଇବେ। ସବୁ ରାଜ୍ୟ ଗୃହ ମନ୍ତ୍ରାଳୟକୁ ଗୋଟି ଗୋଟି କରି ୨ ଘଣ୍ଟାକୁ ଥରେ ଅପଡେଟ୍ ଜଣାଇବେ। 

ଅନ୍ୟପଟେ ଦୁଷ୍କର୍ମ ଓ ହତ୍ୟା ପଛର ଅସଲ କାରଣ ଖୋଜୁଛି CBI। ଅଭିଯୁକ୍ତ ସଞ୍ଜୟ ରାୟର ସାଇକୋଲଜିକାଲ୍ ଟେଷ୍ଟ କରାଯିବାକୁ ସଜବାଜ ଚାଲିଛି। ଅଭିଯୁକ୍ତର ମାନସିକ ଅବସ୍ଥା ଯାଞ୍ଚ କରିବ ସିବିଆଇ । ତାସହ ସେମିନାର୍ ହଲର 3D ଲେଜର୍ ସ୍କାନ୍ କରାଯାଇଛି। ଘଟଣା ଦିନ କ୍ରାଇମ୍ ସିନ୍ ରିକ୍ରିଏସନ୍‌ ସହ ସେମିନାର୍ ହଲରେ କେତେ ଜଣ ବ୍ୟକ୍ତି ଥିଲେ ସେ ଦିଗରେ ତଦନ୍ତ କରିଛି।  

ଏହା କେବଳ ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ । ସେନେଇ ପରିବାର ଲୋକେ ଆଣିଥିବା ଅଭିଯୋଗ ଉପରେ ତଦନ୍ତ କରୁଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିକେସନ୍ । ପ୍ରତିଦିନ ନୂଆ ନୂଆ ତଥ୍ୟ ଅନେକ ଘଟଣା ଉପରୁ ପରଦା ହଟାଉଛି। ସେହିପରି କୋଲକାତା RG କର୍ ମେଡିକାଲ ସମ୍ମୁଖରେ ଡାକ୍ତର ଓ ସାଧାରଣ ଲୋକେ ଏବେ ବି ଧାରଣାରେ ବସିଛନ୍ତି। ଉପଯୁକ୍ତ ତଦନ୍ତ ସହ ଅସଲ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଛନ୍ତି ଲୋକେ।