କର୍ମଚାରୀଙ୍କ ପାଇଁ ବଡ଼ ଖବର : ବଢ଼ିଲା EPFO ସୁଧହାର

ଚଳିତ ଆର୍ଥିକ ବର୍ଷ ପାଇଁ ବୃଦ୍ଧି ପାଇଲା EPFO ସୁଧହାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଅନୁମୋଦନ ମିଳିଛି ।

EPFO

କର୍ମଚାରୀଙ୍କ ପାଇଁ ଖୁସି ଖବର । ବଢ଼ିଲା EPFO ସୁଧହାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଅନୁମୋଦନ ମିଳିଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ EPFO ସୁଧହାର ବଢ଼ିଛି । ଫଳରେ କର୍ମଚାରୀମାନେ ଲାଭ ପାଇପାରିବେ । ଗତବର୍ଷ EPFO ସୁଧହାର ୮.୧ ପ୍ରତିଶତକୁ ହ୍ରାସ ପାଇଥିଲା । ବର୍ତ୍ତମାନ ଏହାକୁ ୮.୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଜୁଲାଇ ୨୪ରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ଧାରା ୬୦(୧) ଆଧାରରେ ଗୃହୀତ ହୋଇଛି । କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ ବା (EPFO)ର ସର୍ବୋଚ୍ଚ ନିଷ୍ପତ୍ତି ନେଉଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ୨୦୨୨-୨୩ ପାଇଁ କର୍ମଚାରୀମାନଙ୍କୁ ୮.୧୫ ପ୍ରତିଶତ ସୁଧ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ମାର୍ଚ୍ଚ ୨୮ରେ EPFO ସୁଧହାର ୮.୫ ପ୍ରତିଶତ ବଢ଼ାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ବର୍ଷ ୨୦୨୧-୨୨ ପାଇଁ EPFO ଉପରେ ସୁଧହାର ୮.୧ ପ୍ରତିଶତ ରହିଥିଲା । ସରକାରଙ୍କ ଅନୁମୋଦନ ମିଳିବା ପରେ କର୍ମଚାରୀଙ୍କ EPFO ଖାତାରେ ସୁଧ ରାଶି ଜମାହେବ । ୨୦୨୨-୨୩ ବର୍ଷ ପାଇଁ ଲାଗୁ ହୋଇଥିବା ଏହି ସୁଧ ୫ କୋଟିରୁ ଅଧିକ କର୍ମଚାରୀ ଲାଭ ପାଇବେ ବୋଲି ଜଣାପଡିଛି ।

ଜଣେ କର୍ମଚାରୀଙ୍କ ଚାକିରି ସମୟର ବଡ଼ ପୁଞ୍ଜି ହେଉଛି EPFO । ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟ ହେଉଛି ଜଣେ ଚାକିରି କରୁଥିବା ବ୍ୟକ୍ତିଙ୍କ ସଞ୍ଚୟ କରିବାର ଏକ ବଡ଼ ପଦ୍ଧତି । EPFO ମାଧ୍ୟମରେ ସଞ୍ଚୟ କରାଯାଇଥିବା ଅର୍ଥ ଲୋକଙ୍କ ଅତ୍ୟନ୍ତ ଦରକାରୀ ସମୟରେ ଆସିଥାଏ । ଯାହା କି ବିପଦ ସମୟରେ ମଧ୍ୟ ସାହାଯ୍ୟ କରିଥାଏ । ପ୍ରତିବର୍ଷ PF ପାଣ୍ଠିରେ ରଖାଯାଥିବା ଟଙ୍କା ଉପରେ ସୁଧ ମଧ୍ୟ ଆସିଥାଏ ।