ରାୱତଙ୍କୁ ତିନି ସେନାର ମିଳିତ ବ୍ୟାଣ୍ଡ ଓ ତୋପ ସଲାମୀ ସହ ଅନ୍ତିମ ବିଦାୟ

ତାମିଲନାଡ଼ୁର କୁନୁରରେ ଆକସ୍ମିକ ଚପର କ୍ରାସରେ ପ୍ରାଣ ହରାଇ ଅସମୟରେ ଦେଶବାସୀଙ୍କ ହୃଦ୍ କମ୍ପନ ବଢାଇ ଦେଇଥିବା ଜେନରାଲ ବିପିନ ରାଓ୍ୱତ ଓ ପତ୍ନୀ ମଧୁଲିକା ରାଓ୍ୱତଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି ।

CDS Bipin Rawat

ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବ୍ରାର ସ୍କୋୟାର ଶ୍ମଶାନରେ ଚିର ନିଦ୍ରାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାଓ୍ୱତ । ତିନି ସେନାର ମିଳିତ ବ୍ୟାଣ୍ଡ ଓ ତୋପ ସଲାମୀ ସାଙ୍ଗକୁ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ । ତାମିଲନାଡ଼ୁର କୁନୁରରେ ଆକସ୍ମିକ ଚପର କ୍ରାସରେ ପ୍ରାଣ ହରାଇ ଅସମୟରେ ଦେଶବାସୀଙ୍କ ହୃଦ୍ କମ୍ପନ ବଢାଇ ଦେଇଥିବା ଜେନରାଲ ବିପିନ ରାଓ୍ୱତ ଓ ପତ୍ନୀ ମଧୁଲିକା ରାଓ୍ୱତଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି । ବାପା ଓ ମାଆଙ୍କ ଚିତାରେ ମୁଖାଗ୍ନି ଦେଇଥିଲେ ଦୁଇ ଝିଅ କ୍ରିତିକା ଓ ତାରିଣୀ ।

ଏହା ପୂର୍ବରୁ ବିଶ୍ୱର ଅନ୍ୟତମ ବିଶାଳ ସେନାର ସର୍ବୋଚ୍ଚ ସେନାଧିକାରୀଙ୍କୁ ବିଦାୟ ବେଳାରେ ମିଳିଥିଲା ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବ୍ରାର ସ୍କୋୟାରରେ ଏକାଠି ହୋଇଥିଲେ ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି । ଜେନରାଲ ରାଓ୍ୱତଙ୍କ ଶେଷ ଦର୍ଶନ ସହ ତାଙ୍କୁ ହୃଦୟଭରା ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଜଣକ ପରେ ଜଣେ ।

ଏପଟେ ବ୍ରାର ସ୍କୋୟାର ସ୍ମଶାନକୁ ପାର୍ଥୀବ ଶରୀର ଆସିବା ପୂର୍ବରୁ ଦିଲ୍ଲୀ କାମରାଜ ମାର୍ଗସ୍ଥିତ ସିଡିଏସ୍‌ଙ୍କ ବାସଭବନରେ ସୃଷ୍ଟି ହୋଇଥିଲା ଲୋକାରଣ୍ୟ ପରିବେଶ । ଦିନ ୧୧ଟା ପରେ ରାଓ୍ୱତ ଦମ୍ପତ୍ତିଙ୍କ ଶେଷ ଦର୍ଶନ କରିଥିଲେ ସର୍ବସାଧରଣ । ଦିନ ସାଢ଼େ ୧୧ଟା ପରଠୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେବାକୁ ଏକାଠି ହୋଇଥିବା ବିଶିଷ୍ଟ ଓ ମାନ୍ୟଗଣ୍ୟ ବ୍ୟକ୍ତି ରାଓ୍ୱତ ଦମ୍ପତ୍ତିଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇବା ବେଳେ ଭାଙ୍ଗି ପଡୁଥିଲେ ବହୁ ଆବାଳ ବୃଦ୍ଧ ବନିତା । ତେବେ ଜେନରାଲ ରାଓ୍ୱତଙ୍କ ଦୁଇ ଝିଅ, ଜ୍ୱାଇଁ ଓ ଅନ୍ୟ ପରିବାର ଲୋକେ ତାଙ୍କ ଅନ୍ତିମ ଦର୍ଶନ ବେଳେ ସୃଷ୍ଟି ହୋଇଥିଲା ଭାବବିହ୍ୱଳ ପରିବେଶ ।

ଏଠାରୁ କାର୍ଯ୍ୟକ୍ରମ ଶେଷ ହେବା ପରେ ଦିଲ୍ଲୀ କାଣ୍ଟନମେଣ୍ଟର ବ୍ରାର ସ୍କୋୟାର ଶ୍ମଶାନ ଆଡ଼କୁ ବିଶାଳ ଶୋଭାଯାତ୍ରାରେ ଯାଇଥିଲା ରାଓ୍ୱତ ଦମ୍ପତ୍ତିଙ୍କ ପାର୍ଥୀବ ଶରୀର । ଏତିକି ବେଳେ ଅସମ୍ଭବ ଗହଳି ହୋଇସାରିଥିଲା । ରାସ୍ତାର ଦୁଇ ପାର୍ଶ୍ୱ ଭାରତ ମାତା କି ଜୟ, ଜେନେରାଲ ରାଓ୍ୱତ ଅମର ରେହ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ପରିବେଶ ।

ଏପଟେ ଜେନରାଲ ରାଓ୍ୱତଙ୍କ ଶେଷକୃତ୍ୟ ପୂର୍ବରୁ ସେହି ବ୍ରାର ସ୍କୋୟାର ଶ୍ମଶାନରେ ପଞ୍ଚଭୂତରେ ବିଲୀନ ହୋଇଥିଲେ ବ୍ରିଗେଡିୟର ଲଖଓ୍ୱିନ୍ଦର ସିଂ ଲିଡର । ପ୍ରଥମେ ବାସଭବନ ଓ ପରେ ବ୍ରାର ସ୍କୋୟାର ଶ୍ମଶାନକୁ ଆସି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଥିଲେ ପ୍ରତିରକ୍ଷା ମନ୍ତ୍ରୀ, ୩ ସେନା ମୁଖ୍ୟ ଓ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତି ।

ଏପଟେ ଏତେବଡ଼ ଦୁର୍ଘଟଣା ପରେ ଅସମୟରେ ସ୍ୱାମୀଙ୍କୁ ହରାଇ ଭାଙ୍ଗିପଡ଼ିଥିଲେ ବି ବୀର ସୈନିକଙ୍କ ପତ୍ନୀ ଭାବେ ସ୍ୱାମୀଙ୍କୁ ହସି ହସି ବିଦାୟ ଜଣାଇଥିଲେ ବ୍ରିଗେଡିୟର ଏଲ.ଏସ୍. ଲିଡରଙ୍କ ପତ୍ନୀ ଗୀତିକା । ସେହିଭଳି ବାପାଙ୍କୁ ସବୁ ଦିନ ପାଇଁ ହରାଇ ନିଜ କୋହକୁ ମନ ଭିତରେ ଚାପି ମନୋବଳ ଦୃଢ଼ ରଖି ବୀର ପିତାଙ୍କୁ ମେଲାଣି ଦେଇଥିଲା ୧୭ ବର୍ଷର ଝିଅ ଆଶନା ।

ସିଡିଏସ ଜେନରାଲ ବିପିନ ରାଓ୍ୱତଙ୍କ ଶେଷକୃତ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବହୁ ବିଦେଶୀ ଅତିଥି ଓ ପ୍ରତିପକ୍ଷ । ଭାରତରେ ଥିବା ଫ୍ରାନ୍ସ ଆମ୍ବାସାଡର, ଇସ୍ରାଏଲ ରାଷ୍ଟ୍ରଦୂତ, ବ୍ରିଟିଶ ହାଇକମିଶନର, ଶ୍ରୀଲଙ୍କାର ସିଡିଏସ ଓ କମାଣ୍ଡର, ନେପାଳ, ଭୁଟାନ ଓ ବାଂଲାଦେଶର ସାମରିକ କମାଣ୍ଡର ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ସହିଦ ଓଡ଼ିଆ ଯବାନଙ୍କ ଘରେ ଶୋକାକୁଳ ପରିବେଶ । ଅନୁଗୋଳ ଜିଲ୍ଲା ତାଳଚେର କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁ ଆଜି ଝୁରୁଛି ସହିଦ ରାଣାପ୍ରତାପଙ୍କୁ । ତାଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ରାଣାପ୍ରତାପ ପଢ଼ିଥିବା ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ପୁରୁଣା ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଯୋଗଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆଜି ଅପରାହ୍ନରେ ଶହୀଦଙ୍କ ପତ୍ନୀ ଶିବାଙ୍ଗୀ ସିଂହ, ପୁଅ ସମରିତ, ଶ୍ୱଶୁର ଶିବଶଙ୍କର ସିଂହ, ଶାଶୁ ଦୀନା ଦୟାଲ ପ୍ରମୁଖ ତାଳଚେର କୃଷ୍ଣଚନ୍ଦ୍ରପୁରରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।