Advertisment

ଯୁଦ୍ଧରେ ଧୁରନ୍ଧର ଥିଲେ ରାୱତ, ଉଗ୍ରବାଦୀଙ୍କ ମୂଳପୋଛ କରିଥିଲେ; ପରିବାରର ପରମ୍ପରା ଯୁଦ୍ଧ !

ତିନି ସେନା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଲାଗି ସୃଷ୍ଟି କରାଯାଇଥିବା ସିଡିଏସ୍ ପଦରେ ବସିବାର ଗୌରବ ମିଳିଥିଲା ଜେନେରାଲ ବିପିନ୍ ରାଓ୍ୱତଙ୍କୁ । ୨୦୧୯ ଡିସେମ୍ବର ୩୦ରେ ତାଙ୍କୁ ଏହି ପଦ ମିଳିଥିବା ବେଳେ ୨୦୨୦ ଜାନୁଆରୀ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ ।

CDS Bipin Rawat

CDS Bipin Rawat

Advertisment

ସିଡିଏସ୍ ଜେନେରାଲ ବିପିନ ଲକ୍ଷ୍ମଣ ସିଂହ ରାଓ୍ୱତ୍ । ଉତ୍ତରାଖଣ୍ଡର ପୌରିରେ ଜନ୍ମ ହୋଇଥିଲେ ଭାରତୀୟ ସେନାର ଏହି ଫୋର୍ ଷ୍ଟାର ଜେନେରାଲ । ପିଢି ପିଢି ଧରି ରାଓ୍ୱତଙ୍କ ପରିବାର ଭାରତୀୟ ସେନା ପାଇଁ ବଳିଦାନ ଦେଇଥିବା ବେଳେ ସେ ମଧ୍ୟ ପରମ୍ପରାକୁ ବଜାୟ ରଖିଥିଲେ । ବାପା ଲକ୍ଷ୍ମଣ ସିଂହ ରାଓ୍ୱତ୍ ମଧ୍ୟ ଲେଫଟନାଣ୍ଟ ଜେନେରାଲ ପଦ ପର୍ଯ୍ୟନ୍ତ ପଦୋନ୍ନତି ପାଇଥିଲେ ।

Advertisment

ଡେରାଡୁନ୍‌ର କ୍ୟାମ୍ବ୍ରିଆନ ସ୍କୁଲ ଓ ସିମ୍‌ଲାର ସେଣ୍ଟ ଏଡଓ୍ୱାର୍ଡ ସ୍କୁଲରେ ଶିକ୍ଷା ଲାଭ ପରେ ଜେନେରାଲ ରାଓ୍ୱତ୍ ଖଡକଭସ୍‌ଲାସ୍ଥିତ ନ୍ୟାସନାଲ ଡିଫେନ୍ସ ଏକାଡେମୀ ଓ ଡେରାଡୁନ୍‌ରେ ଥିବା ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ଯୋଗ ଦେଇଥିଲେ । ଏଠାରେ ସେ ସୋର୍ଡ ଅଫ୍ ଅନର ହାସଲ କରିଥିଲେ । ୱେଲିଙ୍ଗଟନ ଡିପେନ୍ସ ସର୍ଭିସ ଷ୍ଟାଫ୍ କଲେଜରୁ ଡିଫେନ୍ସ ଷ୍ଟଡିଜ୍‌ରେ ସେ ଏମ୍ଫିଲ୍ କରିବା ସହ ଆମେରିକାର କାନ୍‌ସାସ୍‌ରେ ଥିବା ଆର୍ମି କମାଣ୍ଡ ଆଣ୍ଡ ଜେନେରାଲ ଷ୍ଟାଫ୍ କେଲଜ୍‌ରେ ମଧ୍ୟ ପ୍ରଶିକ୍ଷଣ ନେଇଥିଲେ । ମିରଟ୍ ଚୌଧୁରୀ ଚରଣସିଂହ ୟୁନିଭରସିଟି ପକ୍ଷରୁ ତାଙ୍କୁ ଡକ୍ଟରେଟ୍ ଅଫ୍ ଫିଲୋସଫି ଉପାଧି ଦିଆଯାଇଥିଲା ।

ସେ ୧୯୭୮ରେ, ତାଙ୍କ ବାପା କାମ କରିଥିବା ୧୧ ଗୋରଖା ରାଇଫଲ୍ସର ପଞ୍ଚମ ବାଟାଲିୟନରେ ଯୋଗ ଦେଇଥିଲେ । ପାହାଡି ରଣକୌଶଳରେ ସେ ବେଶ ଦକ୍ଷ ଥିବା ବେଳେ ଉଗ୍ରବାଦ ଦମନ କାର୍ଯ୍ୟରେ ୧୦ ବର୍ଷ ଲାଗି ନିୟୋଜିତ ଥିଲେ ।

Advertisment

ମେଜର ପଦବୀରେ ଥିବା ବେଳେ ସେ ଜମ୍ମୁ ଓ କାଶ୍ମୀରର ଉରିରେ ଏକ କଂପାନିର କମାଣ୍ଡର ଥିଲେ । କର୍ଣ୍ଣେଲ ପଦୋନ୍ନତି ପାଇବା ପରେ ସେ ଏଲ୍ଏସିର କିବିଥୁରେ ଗୋରଖା ରାଇଫଲ୍ସର ପଞ୍ଚମ ବାଟାଲିୟନକୁ କମାଣ୍ଡ କରିଥିଲେ । ବ୍ରିଗେଡିୟର ଭାବେ ସେ ସୋପୋରରେ ରାଷ୍ଟ୍ରୀୟ ରାଇଫଲ୍ସର କମାଣ୍ଡିଂ ଅଫିସର ଥିଲେ । ଆଫ୍ରିକୀୟ ଦେଶ କଙ୍ଗୋରେ ମୁତୟନ ଅନ୍ତର୍ଜାତୀୟ ସେନାର ବି ସେ ନେତୃତ୍ୱ ନେବା ସହ ଦୁଇ ଦୁଇ ଥର ସମ୍ମାନିତ ହୋଇଥିଲେ ।

ମେଜର ଜେନେରାଲ ପଦକୁ ପଦୋନ୍ନତି ପରେ ଜେନେରାଲ ରାଓ୍ୱତ ଉରିରେ ଥିବା ୧୯-ଇନଫାଣ୍ଟ୍ରି ଡିଭିଜନର ଜେନେରାଲ ଅଫିସର କମାଣ୍ଡିଂ ପଦରେ କାର୍ଯ୍ୟ କରିଥିଲେ । ପରେ ଲେଫ୍ଟନାଣ୍ଟ ଜେନେରାଲ ଭାବେ ସେ ଥାର୍ଡ-କୋର ଦିମାପୁର ଓ ପୁନେ ସ୍ଥିତ ସଦର୍ଣ୍ଣ ଆର୍ମି କମାଣ୍ଡର ନେତୃତ୍ୱ ନେଇଥିଲେ । ଏହାପରେ ସେ ସେନାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିଲେ । ଆର୍ମି କମାଣ୍ଡର ଗ୍ରେଡ୍‌କୁ ପଦୋନ୍ନତି ପରେ ସେ ସର୍ଦଣ୍ଣ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ ଇନ ଚିଫ୍ ପଦରେ ଅବସ୍ଥାପିତ ହୋଇଥିଲେ ।

Advertisment

୧୭ ଡିସେମ୍ବର ୨୦୧୭ରେ ଦୁଇ ଜଣ ସିନିୟରଙ୍କୁ ପଛରେ ପକାଇ ସେ ଭାରତୀୟ ସ୍ଥଳସେନାର ସବୋର୍ଚ୍ଚ ପଦବୀ ଅର୍ଥାତ୍ ୨୭ତମ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ । ସ୍ଥଳ ସେନା ମୁଖ୍ୟ ପଦରେ ଅଧିଷ୍ଠିତ ହେବାରେ ସେ ଥିଲେ ଗୋରଖା ବ୍ରିଗେଡ୍‌ର ତୃତୀୟ ଅଫିସର । 

ନିଜର ସଫଳ ସେନା କ୍ୟାରିୟରରେ ଜେନେରାଲ ରାଓ୍ୱତ୍ ଜଣେ ନିର୍ଭିକ ଯୋଦ୍ଧା ଭାବେ କାର୍ଯ୍ୟ କରିଥିଲେ । ୧୯୮୭ରେ ସମଦୋରଙ୍ଗ ଚୁ ଉପତ୍ୟକାରେ ଭାରତ-ଚୀନ ମୁହାଁମୁହିଁ ହୋଇଥିବା ବେଳେ ରାଓ୍ୱତଙ୍କ ବାଟାଲିୟନ ପିଏଲଏର ମୁକାବିଲା କରିଥିଲା । ୨୦୧୫ରେ ଉଗ୍ରବାଦୀଙ୍କ ଆକ୍ରମଣରେ ୧୮ ଭାରତୀୟ ଯବାନ ସହିଦ ହେବା ପରେ ରାଓ୍ୱତଙ୍କ ନେତୃତ୍ୱରେ ହିଁ ଭାରତୀୟ ସୈନ୍ୟ ମିଆଁମାର ଭିତରେ ପଶି ଅପରେସନ କରିଥିଲେ ।

ତିନି ସେନା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଲାଗି ସୃଷ୍ଟି କରାଯାଇଥିବା ସିଡିଏସ୍ ପଦରେ ବସିବାର ଗୌରବ ମିଳିଥିଲା ଜେନେରାଲ ବିପିନ୍ ରାଓ୍ୱତଙ୍କୁ । ୨୦୧୯ ଡିସେମ୍ବର ୩୦ରେ ତାଙ୍କୁ ଏହି ପଦ ମିଳିଥିବା ବେଳେ ୨୦୨୦ ଜାନୁଆରୀ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ଏହି ପଦ ଗ୍ରହଣ କରିବା ପୂର୍ବରୁ ସେ ୫୭ ତମ ତଥା ଶେଷ ଚିଫ୍ ଅଫ୍ ଷ୍ଟାଫ କମିଟିର ଅଧ୍ୟକ୍ଷ ମଧ୍ୟ ଥିଲେ ।

୪ ଦଶକରୁ ଅଧିକ ସମୟ ଧରି ଭାରତୀୟ ସେନାକୁ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ଉତ୍ତମ ୟୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ବିଶିଷ୍ଟ ସେବା ମେଡାଲ  ଭଳି ବହୁ ସେନା ସମ୍ମାନରେ ସମ୍ମାନିତ କରାଯାଇଥିଲା ।

CDS Bipin Rawat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ