ସାମ୍ନାକୁ ଆସିଲା ଜାମ୍ମୁ ଓ କାଶ୍ମୀରର ସୁଞ୍ଜଓ୍ୱାନା କ୍ୟାଣ୍ଟନମେଣ୍ଟ ରାସ୍ତାରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡର ଭିଜୁଆଲ । ରାତି ଅଧରେ କିଭଳି ଆତଙ୍କବାଦୀମାନେ ସିଆଇଏସ୍ଏଫ୍ ଯବାନଙ୍କ ଗାଡ଼ିକୁ ଅଟକାଇ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କଲେ ସେହି ଆକ୍ରମଣର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ କ୍ଲିପରେ ପାଖ ଘରୁ ମଧ୍ୟ ଆକ୍ରମଣ କରାଯାଉଥିବା ଜଣାପଡ଼ିଛି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିଲେ । ଆହତଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି ତାଙ୍କ ନାଁ ପ୍ରମୋଦ ପାତ୍ର ବୋଲି ଜଣାପଡ଼ିଛି । ସେ ସିଆଇଏସ୍ଏଫ୍ର ୫୦୭ ବାଟାଲିୟନରେ ହେଡ୍ କନେଷ୍ଟବଳ ଭାବେ କାର୍ଯ୍ୟରତ ।
Also Read
ଏନେଇ କାଶ୍ମୀର ଡିଜିପି ଦିଲବାଗ୍ ସିଂ କହିଛନ୍ତି, ଶାନ୍ତି ଭଙ୍ଗ କରିବା ପାଇଁ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଏହି ଷଡଯନ୍ତ୍ରକୁ ସଂପୂର୍ଣ୍ଣ ଭାବେ ବିଫଳ କରିଦିଆଯାଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଗତକାଲି ୨ ଜୈସ ଇ ମହମ୍ମଦ ସଦସ୍ୟଙ୍କ ନିହତ ପରେ ଆତଙ୍କୀ ସଂଗଠନ ପକ୍ଷରୁ ଏହି ହାମଲା କରାଯାଇଥିବା ଜଣାପଡ଼ିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପତ୍ୟାକା ଗସ୍ତ ପୂର୍ବରୁ ଏଭଳି କାଣ୍ଡ ଘଟିଥିବାରୁ ଏବେ ସୁରକ୍ଷାବାହିନୀ ଆଲର୍ଟରେ ରହିଛି ।
ସୂଚନା ଅନୁସାରେ, ଜାମ୍ମୁ ଓ କାଶ୍ମୀର ସୁଞ୍ଜଓ୍ୱାନା କ୍ୟାଣ୍ଟନମେଣ୍ଟ ପାଖରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ୨ ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ସୁଞ୍ଜଓ୍ୱାନା କ୍ୟାଣ୍ଟନମେଣ୍ଟ ପାଖରେ CISF ଯବାନଙ୍କ ଗାଡ଼ିକୁ ଆତଙ୍କବାଦୀମାନେ ଟାର୍ଗେଟ୍ କରି ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରକେ ଆତଙ୍କବାଦୀମାନେ ଗ୍ରେନେଡ ଓ ଗୁଳିମାଡ଼ କରିଥିଲେ। ଯାହାର ଜବାବରେ ସୁରକ୍ଷାକର୍ମୀ ଏନ୍କାଉଣ୍ଟର କରିଥିଲେ।
ଏନ୍କାଉଣ୍ଟର ଫଳରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇ ଥିବାବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ଜଣକ CISFର ଏଏସ୍ଆଇ ରାଙ୍କର ଅଫିସର। ଏଥିରେ ଆଉ ୫ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଓଡ଼ିଆ ରହିଥିଲେ । ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଭିଯାନ ଜାରି ରହିଛି।