ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲା : ସିବିଆଇ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାର ପର୍ଦ୍ଦାଫାଶ ହେବ କି ? କାହିଁକି ଓ କିପରି ଜୀବନ ହରାଇଲେ ମହନ୍ତ ? କିଏ ଉସକାଇଥିଲା ନା ସେ ବିଷାଦଗ୍ରସ୍ତ ଥାଇ ଏପରି ନିଷ୍ପତ୍ତି ନେଇଛନ୍ତି ? ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ କଡ଼ିକୁ କଡ଼ି ଯୋଡ଼ି ଛାନଭିନ୍ କରୁଛି ସିବିଆଇ ।

Mahant Narendra Giri (File Photo)

News Summary

ଆଖଡ଼ା ପରିଷଦ ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁରେ ସିବିଆଇ ହାତରେ ଗୁରୁତ୍ୱପୂର୍ଣ୍ଣ ସୁରାକ୍

ନରେନ୍ଦ୍ର ଗିରି ମୃତ୍ୟୁ ମାମଲାରେ କଡ଼ିକୁ କଡ଼ି ଯୋଡ଼ୁଛି ସିବିଆଇ

ମହନ୍ତ ନରେନ୍ଦ୍ର ଗିରିଙ୍କ ପାଖଲୋକଙ୍କୁ ପଚରାଉଚରା ବେଳେ ସିବିଆଇ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ପ୍ରୟାଗରାଜ : ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାର ପର୍ଦ୍ଦାଫାଶ ହେବ କି ? କାହିଁକି ଓ କିପରି ଜୀବନ ହରାଇଲେ ମହନ୍ତ ? କିଏ ଉସକାଇଥିଲା ନା ସେ ବିଷାଦଗ୍ରସ୍ତ ଥାଇ ଏପରି ନିଷ୍ପତ୍ତି ନେଇଛନ୍ତି ? ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ କଡ଼ିକୁ କଡ଼ି ଯୋଡ଼ି ଛାନଭିନ୍ କରୁଛି ସିବିଆଇ । ବର୍ତ୍ତମାନ ସିବିଆଇ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି ବୋଲି କୁହାଯାଉଛି । ଘନିଷ୍ଠ ସହଯୋଗୀଙ୍କୁ ପଚରାଉଚରା କରିବା ପରେ ସିବିଆଇ ଖୁବ୍ ଶୀଘ୍ର ମୃତ୍ୟୁ ରହସ୍ୟରୁ ପରଦା ଉଠାଇବ ବୋଲି ଆଶା କରାଯାଉଛି । ତେବେ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଶନିବାର ପ୍ରାୟ ସାତ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା।

ସିବିଆଇ ସୂତ୍ର ଅନୁସାରେ, ନରେନ୍ଦ୍ର ଗିରିଙ୍କ ସୁଇସାଇଡ୍ ନୋଟରେ ଥିବା ଦସ୍ତଖତ ‌ଓ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଦସ୍ତଖତ ମେଳ ଖାଉଛି । ସୁଇସାଇଡ୍ ନୋଟରେ ମିଳିଥିବା ନରେନ୍ଦ୍ର ଗିରିଙ୍କ ଫିଙ୍ଗର ପ୍ରିଣ୍ଟ ମଧ୍ୟ ତାଙ୍କ ଫିଙ୍ଗର ପ୍ରିଣ୍ଟ ସହିତ ମେଳ ହୋଇଛି । ନରେନ୍ଦ୍ର ଗିରିଙ୍କ ସୁଇସାଇଡ୍ ନୋଟର ଫରେନସିକ୍ ତଦନ୍ତ ଜାରି ରହିଛି । ତେବେ ସିବିଆଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦେଇନାହିଁ । ଏହାସହ ମହନ୍ତଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ କରିବା ପାଇଁ ପ୍ରସ୍ତୁତି କରୁଛି ସିବିଆଇ । କୋର୍ଟଙ୍କ ଅନୁମତି ମିଳିବା ପରେ ଆନନ୍ଦ ଗିରିଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ କରାଯିବ ।

ବର୍ତ୍ତମାନ ମହନ୍ତଙ୍କ ଘନିଷ୍ଠ ସହଯୋଗୀ ଏବଂ ତାଙ୍କ ସହ ନିରନ୍ତର ଯୋଗାଯୋଗରେ ଥିବା ଲୋକଙ୍କ ଏକ ତାଲିବା ପ୍ରସ୍ତୁତ କରି ପଚରାଉଚରା କରୁଛି ସିବିଆଇ । ଏଥିମଧ୍ୟରେ କିଛି ରାଜନୈତିକ ବ୍ୟକ୍ତି ଏବଂ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ସାମିଲ ଅଛନ୍ତି । କିଛି ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରିପାରେ ସିବିଆଇ । ଏହା ସହିତ ମହନ୍ତଙ୍କ ସୁରକ୍ଷା ସହିତ ଜଡ଼ିତ ପୋଲିସ କର୍ମଚାରୀ ଏବଂ ଅତୀତରେ ସୁରକ୍ଷାକର୍ମୀ ଥିବା ପୋଲିସ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।

ସେପଟେ ଆଖଡ଼ା ପରିଷଦ ନିଜ ସ୍ତରରେ ମଧ୍ୟ ଘଟଣାର ଯାଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ଅଖିଲ ଭାରତୀୟ ଆଖଡ଼ା ପରିଷଦର ସଚିବ ମହନ୍ତ ହରି ଗିରି । ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ପାଇଁ ପାଞ୍ଚ ଜଣ ଅବସରପ୍ରାପ୍ତ ହାଇକୋର୍ଟର ବିଚାରପତିଙ୍କୁ ନେଇ ଏକ ପୃଥକ ତଦନ୍ତ ପ୍ୟାନେଲ ନିଯୁକ୍ତ କରିବାକୁ ଦାବି କରାଯିବ ବୋଲି ସେ କହିଛନ୍ତି । କାରଣ ଏହି ସମସ୍ୟା ସମସ୍ତ ସାଧୁଙ୍କ ସୁରକ୍ଷା ସହିତ ଜଡିତ,ତେଣୁ ଏହାକୁ ଗୁରୁତ୍ୱ ବହନ କରୁଛି ।