ଜମ୍ମୁ ସୀମା ନିକଟରେ ସୁଡ଼ଙ୍ଗ : ପାଟ୍ରୋଲିଂ ବେଳେ ଠାବ କଲା ବିଏସ୍ଏଫ୍

ଭାରତୀୟ ସୀମା ନିକଟରେ ପାକିସ୍ତାନୀ ସୁଡଙ୍ଗ ଠାବ ହୋଇଛି ।

ଜମ୍ମୁ ସାମ୍ବା ସେକ୍ଟର ନିକଟରେ ୧୫୦ ମିଟରର ସୁଡ଼ଙ୍ଗ

ପୁଣି ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ । ଭାରତକୁ ଆତଙ୍କବାଦୀ ପଠାଇବାର ଉଦ୍ୟମ ଜାରି ରଖିଛି । ଏହିକ୍ରମରେ ଜମ୍ମୁ ଓ କାଶ୍ମୀରର ସାମ୍ବା ଜିଲ୍ଲାରେ ଗୋଟିଏ ସୁଡ଼ଙ୍ଗ ଠାବ କରିଛି ସୀମା ସୁରକ୍ଷା ବଳ । ଆଜି ଭୋରରୁ ସୁଡ଼ଙ୍ଗଟିକୁ ଏଲ୍ଓସିରେ ପାକିସ୍ତାନର ଚମନ ଖୁର୍ଦ ନିକଟରେ ଥିବା ଜଣାପଡ଼ିଛି । ପାଟ୍ରୋଲିଂ ବେଳେ ବିଏସ୍ଏଫ୍ ଏହି ସୁଡ଼ଙ୍ଗଟି ଠାବ କରିଛି ।

୧୫୦ ମିଟର ଲମ୍ବର ଏହି ସୁଡ଼ଙ୍ଗର ଅଧାରୁ ଅଧିକ ଭାଗ ଭାରତ ପଟକୁ ରହିଛି । ତେବେ ପାକିସ୍ତାନ ପଟକୁ ୫୦ ମିଟର ଲମ୍ବିଥିବା ପ୍ରାଥମିକ ଅନୁଧ୍ୟାନରୁ ଜଣାପଡ଼ିଛି । ଏହା ଅଳ୍ପଦିନ ତଳେ ଖୋଳାଯାଇଥିଲା ବୋଲି ଜାମ୍ମୁ ଓ କାଶ୍ମୀରର ଆଇଜି ଡି. କେ. ବୁରା କହିଛନ୍ତି । ତେବେ ଏହି ସୁଡ଼ଙ୍ଗ ବାଟେ ଆତଙ୍କବାଦୀ ଆସିଛନ୍ତି କି ନାହିଁ, ଯଦି ଆସିଛନ୍ତି, କେତେଜଣ ଆସିଛନ୍ତି ସେନେଇ ତନାଘନା ଜାରି ରହିଛି ବୋଲି ସେ କହିଛନ୍ତି ।

ଭାରତୀୟ ସୀମାରେ ଥିବା ଶେଷ ଗାଁଠାରୁ ୭୦୦ ମିଟର ଦୂରରେ ଏହି ସୁଡ଼ଙ୍ଗଟି ନିର୍ମାଣ ହୋଇଥିବା କୁହାଯାଇଛି । ଏପ୍ରିଲ ୨୨ର ସୁଞ୍ଜଓ୍ୱାନା ଏନକାଉଣ୍ଟର ପରେ ସୀମାରେ ସୁଡ଼ଙ୍ଗ ଠାବ କରିବା ଲାଗି ବିଏସ୍ଏଫ୍ ପକ୍ଷରୁ ଜୋରଦାର ଅପରେସନ ଚାଲିଥିଲା । ସେହି ଅପରେସନରେ ଏହି ସୁଡ଼ଙ୍ଗ ଠାବ ହୋଇଥିବା ଜଣାଯାଇଛି ।