ଶ୍ୟାମଳ ରଙ୍ଗ ପାଇଁ ବର ଶିଶୁପାଳ! ରୋକ୍‌ଠୋକ୍‌ ଶୁଣାଇଦେଲେ କନ୍ୟା.. ‘ମୁଁ ବାହା ହେବିନି’

ଅଧା ରହିଗଲା ବାହାଘର. . . ଘରୁ ବରଯାତ୍ରୀ ଫେରାଇଲେ କନ୍ୟା

ଆଶ୍ଚର୍ଯ୍ୟଜନକ ଘଟଣା .. .

ବର ପାଇଁ କାଳ ହେଲା ଶ୍ୟାମଳ ରଙ୍ଗ । ପୂର୍ବରୁ ଝିଅମାନଙ୍କ ରଙ୍ଗରୂପକୁ ଦେଖି କନ୍ୟା ବାଛୁଥିଲେ ବରଘର ଲୋକ । ହେଲେ ଏବେ ବରର ରଙ୍ଗ ପାଇଁ ବାହାଘର ଭାଙ୍ଗିବା ପରି ଏକ ଘଟଣା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର କସୌମ୍ବି ଜିଲ୍ଳାରେ ଏଭଳି ଘଟଣା ଘଟିଛି । ବରର ରଙ୍ଗ ଦେଖି କନ୍ୟା ଜଣକ ବାହାଘର ଭାଙ୍ଗି ଘର ଦୁଆରେ ଛିଡ଼ା ହୋଇଥିବା ବରଯାତ୍ରୀଙ୍କୁ ଫେରାଇ ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଲେ କନ୍ୟା ଜଣକ ବରଣମାଳା ଧରି ମଞ୍ଚ ଉପକୁ ପହଞ୍ଚି ସାରିଥିଲେ । ହେଲେ ବରଙ୍କୁ ଦେଖି ତାଙ୍କର ସବୁ ଖୁସି ପାଣିରେ ପଡ଼ିଯାଇଥିଲା । ଶ୍ୟାମଳ ରଙ୍ଗ ବରଙ୍କ ବେକରେ ବରଣମାଳା ପିନ୍ଧାଇବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ ।

କନ୍ୟାର ଏପରି ନିଷ୍ପତ୍ତିରେ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ବିବ୍ରତ ହୋଇପଡ଼ିଲେ । ହେଲେ କନ୍ୟା ଜଣକ ନିଜ୍‌ ଜିଦ୍‌ରେ ଅଟଳ ଥିଲେ । ଶ୍ୟାମଳ ରଙ୍ଗର ବରକୁ ବିବାହ କରିବି ନାହିଁ ବୋଲି ଅଡ଼ି ବସିଥିଲେ । କେବଳ ଏତିକି ନୁହେଁ ବରର ବୟସକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ । ଦରବୁଢ଼ା ବୟସର ବର ମୋର ପସନ୍ଦ ନୁହେଁ ବୋଲି କହିଥିଲେ । ଏହାପରେ ବାହାମଣ୍ଡପରେ ଜୋରଦାର ହଙ୍ଗାମା ହୋଇଥିଲା । ହେଲେ ଅନେକ ବୁଝାଇବା ସତ୍ତ୍ୱେ ନବୁଝିବାରୁ କନ୍ୟାଘରୁ କାନ ମୁଣ୍ଡ ଆଉଁସି ଘରକୁ ଫେରିଛି ବର ।

ପୂରା ଘଟଣାବଳୀ . .

ମେ ୨୯ରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ପିପରି ଥାନା ଅନ୍ତର୍ଗତ ଶେରପୁରରେ ରହୁଥିବା ଜଣେ ଯୁବକଙ୍କର ଚାରବା ଥାନା ଅନ୍ତର୍ଗତ ଏକ ଗାଁର ଝିଅ ସହିତ ବିବାହ ସ୍ଥିର ହୋଇଥିଲା । ବିବାହ ଦିନ ବ୍ୟାଣ୍ଡବାଜ୍‌ ଓ ବରଯାତ୍ରୀ ସହ ଝିଅ ଘରେ ପହଞ୍ଚିଥିଲେ ବର । କନ୍ୟା ଘର ପକ୍ଷରୁ ମଧ୍ୟ ବରଯାତ୍ରୀଙ୍କୁ ଖୁସି ମନରେ ସ୍ୱାଗତ କରିଥିଲେ । ଏହାପରେ ରୀତିନୀତି ଅନୁସାରେ ବିବାହ ଆରମ୍ଭ ହୋଇଥିଲା ।

କିଛି ସମୟ ପରେ କନ୍ୟା ଫୁଲମାଳ ସହିତ ବାହା ମଣ୍ଡପ ଉପରକୁ ଆସିଥିଲେ । ହେଲା ବରକୁ ଦେଖିବା ମାତ୍ରେ ସେ ବରଣମାଳା ଦେବାକୁ ମନା କରି ଦେଇଥିଲେ । ଏହାଦେଖି ଉଭୟ ପକ୍ଷ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ । ଏପଟେ କନ୍ୟାର କଥା ଶୁଣି  ବର ମୁଣ୍ଡରେ ଚଡ଼କ ପଡ଼ିଯାଇଥିଲା । ଶହ ଶହ ବରଯାତ୍ରୀ ଧରି ଆସିଥିବା ବର ମଧ୍ୟ ଅନେକ ବୁଝାଇଥିଲେ । ହେଲେ ଶ୍ୟାମଳ ରଙ୍ଗ ଓ ବୟସ ଅଧିକ କହି ବିବାହ କରିବା ପାଇଁ ମନା କରିଦେଇଥିଲେ କନ୍ୟା ଜଣକ । ବାହା ମଣ୍ଡପ ଉପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ହାଇଭୋଲଟେଜ୍‌ ଡ୍ରାମା ।

ତେବେ କୌଣସି ନିସ୍କର୍ଷ ନବାହାରିବା ପରେ ପଞ୍ଚାୟତ ଡକାଯାଇଥିଲା । ସେଠାରେ ମଧ୍ୟ କନ୍ୟାକୁ ବିବାହ କରିବା ପାଇଁ ରାଜି କରାଯାଇଥିଲା । ହେଲେ କନ୍ୟାର ଏକା ଜିଦ୍‌ ଏପରି ବରକୁ ମୁଁ ବାହାହେବିନି । ଶେଷରେ ବରଯାତ୍ରୀଙ୍କୁ ଧରି ମନଦୁଃଖରେ ଘରକୁ ଫେରି ଯାଇଛନ୍ତି ବର ।