• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

 ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କଲା ଏନ୍‌ଡି । ଜଗଦୀପ ଧନକର ହେଲେ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ । ପଶ୍ଚିମବଙ୍ଗ ରାଜ୍ୟପାଳ ଥିବା ଜଗଦୀପ ଧନକଡ଼ଙ୍କୁ ବିଜେପି ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୟନ କରାଯାଇଛି । ଆଜି ସଂଧ୍ୟାରେ ଦିଲ୍ଲୀ ମୁଖ୍ୟାଳୟରେ ବସିଥିବା ବିଜେପିର ସଂସଦୀୟ ବୋର୍ଡ ବୈଠକରେ ଜଗଦୀପଙ୍କ ନାଁରେ ମୋହର ବାଜିଛି ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପ. ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବରିଷ୍ଠ ନେତାମାନେ ଏଥିରେ ଯୋଗ ଦେଇଥିଲେ । ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଜଗଦୀପ ଧନକରଙ୍କ ନାମ ଘୋଷଣା କରିଛନ୍ତି । ଅପରାହ୍ନରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଅନ୍ୟପକ୍ଷରେ ଧନକର ଶୁକ୍ରବାର ଦିନ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ ।

୨୦୧୭ରେ ବିଜେପି ପକ୍ଷରୁ ତତ୍କାଳୀନ କ୍ୟାବିନେଟ ମନ୍ତ୍ରୀ ଏମ୍. ଭେଙ୍କେୟା ନାଇଡୁଙ୍କୁ ପ୍ରାର୍ଥୀ କରାଯାଇଥିଲା ଅଗଷ୍ଟରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତା ପୂର୍ବରୁ ଉପରାଷ୍ଟ୍ରପତି ଚୟନ କରାଯିବ । ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବାବେଳେ ବିରୋଧୀଙ୍କ ପକ୍ଷରୁ ଯଶୋବନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି । ତେବେ ଦ୍ରୌପଦୀଙ୍କ ପଲ୍ଲା ଭାରି ରହିଛି ।

୧୯୫୧ ମସିହା ମେ ୧୮ ତାରିଖରେ ରାଜସ୍ଥାନର ଝୁନଝୁନୁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଜଗଦୀପ ଧନଖର ରାଜନୀତିରେ ପାଦ ଦେବା ଆଗରୁ ଜଣେ ପ୍ରତିଷ୍ଠିତ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ।୧୯୭୯ରୁ ୧୯୮୯ ମଧ୍ୟରେ ସୁପ୍ରିମକୋର୍ଟ ଓ ବିଭିନ୍ନ ରାଜ୍ୟର ହାଇକୋର୍ଟରେ ସେ ଓକିଲାତି କରିଛନ୍ତି । ତେବେ ୧୯୮୯ରେ ସେ ଝୁନଝୁନୁ ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ଏହାପରେ ୧୯୯୦ରେ ପାର୍ଲାମେଣ୍ଟାରି କମିଟି ଚେୟାରମ୍ୟାନ୍ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ ଜଗଦୀପ ଧନଖର । ୧୯୯୩ରୁ ୧୯୯୮ ଯାଏଁ ସେ ରାଜସ୍ଥାନ କିଶନଗଡ଼ ଆସନରୁ ବିଧାୟକ ଥିଲେ । ୨୦୧୯ ଜୁଲାଇ ୨୦ରେ ସେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଦାୟିତ୍ୱଗ୍ରହଣ କରିଥିଲେ । ତେବେ ୨୦୨୧ ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଘଟିଥିବା ରାଜନୈତିକ ହିଂସାକାଣ୍ଡକୁ ନେଇ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ମଧ୍ୟରେ ବିବାଦ ଉପୁଜିଥିଲା ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଅଗଷ୍ଟ ୬ରେ ଭୋଟିଂ

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଜୁଲାଇ ୧୯ ପର୍ଯ୍ୟନ୍ତ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିପାରିବେ । ଜୁଲାଇ ୨୦ରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀମାନେ ଜୁଲାଇ ୨୨ ପର୍ଯ୍ୟନ୍ତ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ । ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ବାଛିବା ପାଇଁ ଅଗଷ୍ଟ ୬ରେ ମତଦାନ ଅନୁଷ୍ଠିତ ହେବ ।