Sentenced
ମୁମ୍ବାଇର ମଲାଡ଼ ଅଞ୍ଚଳରେ ରହୁଥିବା ୫୪ ବର୍ଷୀୟ ବ୍ୟବସାୟୀ ନରେନ୍ଦ୍ର ସାଗବେକରଙ୍କୁ ଜଣେ ମହିଳା ବ୍ୟାଙ୍କ ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି । ମୁମ୍ବାଇର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏକ ବର୍ଷର ସଶ୍ରମ କାରାଦଣ୍ଡ ସହ ଏକ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଘଟଣା ୨୦୨୦ ମସିହା ନଭେମ୍ବର ମାସରେ ଘଟିଥିଲା ଏହି ମହିଳା ଗୋଟିଏ ବ୍ୟାଙ୍କରେ ଡେପୁଟି ମ୍ୟାନେଜର ଭାବେ କାମ କରୁଥିଲେ । ସାଗବେକରଙ୍କ ଘରକୁ ସେ ଠିକଣା ଯାଞ୍ଚ (ଆଡ୍ରେସ ଭେରିଫିକେସନ) ପାଇଁ ଯାଇଥିଲେ।
ଘଟଣା ଘଟିବାର ପୂର୍ବଦିନ ସାଗବେକର ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲିବା ପାଇଁ ଯାଇଥିଲେ। ବ୍ୟାଙ୍କର ନିୟମ ଅନୁସାରେ, ମହିଳା ଅଧିକାରୀ ତାଙ୍କ ଘରକୁ ଠିକଣା ଯାଞ୍ଚ ପାଇଁ ଯାଇଥିଲେ।
ମହିଳା ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ, ସେହି ସମୟରେ ସାଗବେକର ତାଙ୍କ ଘରେ ଏକୁଟିଆ ଥିଲେ । ଠିକଣା ଯାଞ୍ଚ ଶେଷ ହେବା ପରେ ଯିବା ସମୟରେ ସାଗବେକର ତାଙ୍କୁ ବଳପୂର୍ବକ ଜାବୁଡି ଧରିଥିଲେ ଓ କିସ୍ ଦେଇଥିଲେ । ମହିଳା ଅଧିକାରୀ ଜଣକ ତାଙ୍କୁ ଠେଲି ଦେଇ ଖସି ଚାଲିଆସିଥିଲେ । ଏ କଥା ସେ ବ୍ୟାଙ୍କକୁ ଆସି ତାଙ୍କ ମ୍ୟାନେଜର୍ ଓ ସହକର୍ମୀଙ୍କୁ ଜଣାଇଥିଲେ । କିଛି ଦିନ ପରେ ସେ ମଲାଡ ଥାନାରେ ଏସଂପର୍କରେ ଏତଲା ଦେଇଥିଲେ ।
କୋର୍ଟ ମହିଳାଙ୍କ ସାକ୍ଷ୍ୟକୁ ବିଶ୍ବାସଯୋଗ୍ୟ ବୋଲି ଗ୍ରହଣ କରିଥିଲେ। କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ଯେ ଘଟଣାଟି ଏକ ବନ୍ଦ କୋଠରୀ ଭିତରେ ଘଟିଥିଲା । ସେଠାରେ କେହି ପ୍ରତ୍ୟକ୍ଷଦର୍ଶୀ ନଥିଲେ। ଅଭିଯୋଗକାରିଣୀ ସାମାଜିକ ନିନ୍ଦା ଭୟରେ ଘଟଣାସ୍ଥଳରେ ପାଟି କରି ନଥିଲେ। ତଥାପି ତାଙ୍କ ସାକ୍ଷ୍ୟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ କୋର୍ଟ ସାଗବେକରଙ୍କୁ ଦୋଷୀ ସାବ୍ୟସ୍ତ କରି ଏକ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି।
ସାଗବେକରଙ୍କ ପକ୍ଷରୁ ତାଙ୍କ ଓକିଲ ଯୁକ୍ତି କରିଥିଲେ ଯେ ଅଭିଯୋଗଟି ମିଥ୍ୟା ଏବଂ ଏହା ବ୍ୟାଙ୍କ ଅଧିକାରୀଙ୍କ ଦ୍ୱାରା ପ୍ରତିହିଂସାମୂଳକ ଭାବେ କରାଯାଇଛି। ସେ ବ୍ୟାଙ୍କରେ ମୋଟା ଅଙ୍କର ସେଭିଙ୍ଗ୍ସ କରିବାକୁ ସାଗବେକରଙ୍କୁ କହିଥିଲେ । କିନ୍ତୁ କୋର୍ଟ ଏହି ଯୁକ୍ତିକୁ ଅନ୍ୟ ପ୍ରମାଣ ଆଧାରରେ ଖାରଜ କରି ମହିଳାଙ୍କ ସାକ୍ଷ୍ୟକୁ ଗ୍ରହଣ କରିଥିଲେ। ବିଳମ୍ୱରେ ଏତଲା ଦିଆଯିବା କଥା ଉପରେ କୋର୍ଟ କହିଛନ୍ତି ଯେ ଜଣେ ଭାରତୀୟ ମହିଳା ଏଭଳି ଅଭିଯୋଗ କରିବା ପୂର୍ବରୁ ଶହେ ଥର ଭାବିଥାଏ । ସମାଜର ନିନ୍ଦା ଅପବାଦ କଥା ବି ଚିନ୍ତା କରିଥାଏ । ବିଳମ୍ୱ ସେପର୍କରେ ମହିଳା ଅଧିକାରୀ ଜଣକ ଯାହା କହିଛନ୍ତି ତାହା ଯୁକ୍ତିଯୁକ୍ତ । ନିଜ ଡ୍ୟୁଟିରେ ଥିବା ସମୟରେ ଏହି ଅସଦାଚରଣ ଘଟଣା ଘଟିଛି । ଏହି ବ୍ୟବସାୟୀଜଣକ ନୈତିକତାରୁ ଦୂରେଇ ଯାଇଛନ୍ତି । ତେଣୁ କୋର୍ଟ ଏହି ବ୍ୟବସାୟୀଙ୍କୁ ବଣ୍ଡରେ ଛାଡିବାକୁ ମନା କରିଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Sentenced__1753617396.jpg)