ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ବିବେକ ଦେବରୟଙ୍କ ପରଲୋକ । ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ବିବେକ ଦେବରୟ ପୂର୍ବରୁ ପୁଣେସ୍ଥିତ ଗୋଖଲେ ଇନଷ୍ଟିଚ୍ୟୁଟ ଅଫ୍ ପଲିଟିକ୍ସ ଆଣ୍ଡ ଇକୋନମିକ୍ସର ଚାନସେଲର ଭାବେ କାମ କରିଥିଲେ । ବିବେକ ଦେବରୟଙ୍କ ଆଜି ସକାଳୁ ପରଲୋକ ହୋଇଥିବା ନେଇ ଏମସ ଦିଲ୍ଲୀ ପକ୍ଷରୁ ସୂଚନା ଦିଆଯାଇଛି ।
୨୦୧୯ ମସିହା ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ସେ ନୀତି ଆୟୋଗର ସଦସ୍ୟ ଥିଲେ । ନିଜ ଜୀବନକାଳ ଭିତରେ ସେ ଅନେକ ପୁସ୍ତକ ଲେଖିବା ସହ କିଛି ପୁସ୍ତକର ସମ୍ପାଦନା ମଧ୍ୟ କରିଛନ୍ତି । ଦେଶର ଆର୍ଥିକ ବ୍ୟବସ୍ଥାବୁ ସୁଦୃଢ କରିବା ନିମନ୍ତେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ ।
Also Read
ଦେବରୟଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ସୋସିଆଲ୍ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ଦେବରୟଙ୍କ ସହ ତାଙ୍କର ଏକ ପୁରୁଣା ଫଟୋ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଲେଖିଛନ୍ତି, ବିବେକ ଦେବରୟ ଜଣେ ବିଶିଷ୍ଟ ବିଦ୍ବାନ ଥିଲେ । ଅର୍ଥନୀତି, ଇତିହାସ, ସଂସ୍କୃତି, ରାଜନୀତି, ଆଧ୍ୟାତ୍ମିକତା ସହ ଅନ୍ୟ ବହୁ ପ୍ରସଙ୍ଗରେ ତାଙ୍କର ପ୍ରଖର ଜ୍ଞାନ ଥିଲା । ନିଜ କାମ ଜରିଆରେ ଭାରତର ବୌଦ୍ଧିକ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ଛାପ ଛାଡିଯାଇଛନ୍ତି । ବିବେକଙ୍କ ମୃତ୍ୟୁରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିବେକଙ୍କ ମୃତ୍ୟୁରେ ଭାରତ ଜଣେ ବିଶିଷ୍ଟ ବିଦ୍ବାନଙ୍କୁ ହରାଇଲା ବୋଲି ରାଷ୍ଟ୍ରପତି ଏକ୍ସରେ ଉଲ୍ଲେଖ କରିଛନ୍ତି ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଏକ୍ସରେ ବିବେକଙ୍କ ଏକ ପୁରୁଣା ଫଟୋ ପୋଷ୍ଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅର୍ଥନୈତିକ ସୁପରପାୱାର ଭାବେ ନୂଆ ଭାରତର ଉଭା ହେବା ଦିଗରେ ବିବେକ ଦେବରୟଙ୍କ ଭୂମିକା ମଧ୍ୟ ଥିଲା । ତାଙ୍କୁ ସେ ଦୀର୍ଘ ବର୍ଷରୁ ବ୍ୟକ୍ତିଗତ ଏବଂ ପେଶାଦାର ଭାବେ ଜାଣିଛନ୍ତି ବୋଲି ବୈଜୟନ୍ତ ଏକ୍ସରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ।
କଂଗ୍ରେସର ପୁରୁଖା ନେତା ଜୟରାମ ରମେଶ ମଧ୍ୟ ଡା. ଦେବରାୟଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ସେ ଜଣେ ମହାନୁଭବୀ ବିଦ୍ୱାନ ଓ ଅର୍ଥଶାସ୍ତ୍ରୀ ଥିଲେ ବୋଲି ଉଲ୍ଲେଖ କରିଛନ୍ତି। ସେ ଅର୍ଥଶାସ୍ତ୍ରର ଜଟିଳ ପାଠକୁ ମଧ୍ୟ ବହୁ ସହଜ ଭାଷାରେ ସାଧାରଣ ଲୋକଙ୍କୁ ବୁଝାଇ ପାରୁଥିଲେ ବୋଲି କହିଛନ୍ତି ଜୟରାମ ରମେଶ ।