କଅଁଳା ପିଲାକୁ କୋଳରୁ ଓହ୍ଲାଇ ପ୍ରଖର ସ୍ରୋତକୁ ଡେଇଁ ପଡ଼ି ଯୁବକଙ୍କ ଜୀବନ ବଞ୍ଚାଇଦେଲେ ରବିନା

ବୁଡ଼ି ଯାଉଥିବା ଯୁବକଙ୍କ ବଞ୍ଚାଇ ଦେଲେ ମହିଳା । ଦୁଃସାହସ ପାଇଁ ପୋଲିସ୍‌ ଏବେ ତାଙ୍କୁ ପ୍ରଶଂସା କରିବା ସହ ପୁରସ୍କୃତ କରିଛନ୍ତି ।

ସେ କୋମଳ କିନ୍ତୁ ଦୁର୍ବଳ ନୁହେଁ

ସେ କୋମଳ କିନ୍ତୁ ଦୁର୍ବଳ ନୁହେଁ । କେବେ ସେ ମା’ ପୁଣି କେବେ ସେ ଭଗିନୀ । ପୁଣି କେବେ ସେ ଶକ୍ତି ସ୍ୱରୂପିଣୀ  । ଏମିତି ଜଣେ ସାହସୀ ମହିଳା ହେଲେ ରବିନା କଞ୍ଜର । ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ କୋଳର ପିଲାଙ୍କୁ ତଳକୁ ଓହ୍ଲାଇ ଦେଇ ଡେଇଁ ପଡ଼ିଥିଲେ ପ୍ରଖର ସ୍ରୋତକୁ । ଦୁଇ ଯୁବକ ଭାସି ଯାଉଥିବା ବେଳେ ନିଜ ପିଲା କିମ୍ବା ନିଜ କଥା ଚିନ୍ତା କଲେନି । ତେବେ ସେ ଜଣଙ୍କୁ ନୂଆ ଜୀବନ ଦେଇଥିବା ବେଳେ ଆଉ ଜଣେ କିନ୍ତୁ ପାଣି ସୂଅରେ ଭାସି ଯାଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଭୋପାଳର ନାଜିରାବାଦରେ ଏଭଳି ଏକ ଘଟଣା ଘଟିଛି ।

ମଧ୍ୟପ୍ରଦେଶର ଭୋପାଳର ନାଜିରାବାଦ ଥାନା ଅନ୍ତର୍ଗତ ଦୁଇ ଯୁବକ ଜିତେନ୍ଦ୍ର ଅହିୱାର୍‌ ଏବଂ ରାଜୁ ଅହିର୍‌ୱାର୍‌ ସୋୟାବିନ୍‌ ଫସଲରେ କୀଟନାଶକ ସିଞ୍ଚନ କରିବାକୁ ନିକଟସ୍ଥ ଗାଁକୁ ଯାଇଥିଲେ । ଦୁଇ ଗାଁ ମଝିରେ ନାଳ ଟିଏ ବହିଯାଉଛି । ସନ୍ଧ୍ୟା ବେଳେ ପ୍ରବଳ ବର୍ଷା ଯୋଗୁଁ ପାଣିର ସ୍ରୋତ ବଢ଼ିଯାଇଥିଲା । ଘରକୁ ଫେରିବା ସମୟରେ ଲୋକ ତାଙ୍କୁ ନାଳ ପାରି କରିବାକୁ ବାରଣ ମଧ୍ୟ କରିଥିଲେ । ଜିତେନ୍ଦ୍ର ଓ ରାଜୁ କାହା କଥା ନମାନି ନାଳ ପାରି ହେବାକୁ ଉଦ୍ୟମ କରିଥିଲେ । ହେଲେ ପାଣିରେ ପାଦ ଦେଉ ଦେଉ ସେମାନଙ୍କୁ ଭସାଇ ନେଇଥିଲା ପ୍ରଖର ସ୍ରୋତ । ଆଉ ଏକଥା ଦେଖି ପାରିଥିଲେ ନିକଟରେ ଥିବା ବସ୍ତିରେ ବାସ କରୁଥିବା ରବିନା ।

କୋଳରେ ଧରିଥିବା ୧୦ ମାସର ପିଲାକୁ କୋଳରୁ ତଳେ ଥୋଇ ଦେଇ କରି ଉଭୟଙ୍କୁ ବଞ୍ଚାଇବା ପାଇଁ ଦଉଡ଼ି ଯାଇଥିଲେ ନାଳ ପାଖକୁ ଆଉ ପାଣିକୁ ଡେଇଁ ପଡିଥିଲେ । ରାଜୁଙ୍କ ହାତ ଧରି କୂଳକୁ ଟାଣି ଆଣିଥିଲେ ରବିନା । ହେଲେ ଜିତ୍ରେନ୍ଦ୍ର କିନ୍ତୁ ଭାସିଯାଇଥିଲେ । ତେବେ ଜଣକୁ ଉଦ୍ଧାର କରିବା ପରେ ତୁରନ୍ତ ଫୋନ୍‌ କରି ପୋଲିସ୍‌କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦ୍ୱିତୀୟ ଯୁବକଙ୍କୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର ପତ୍ତା ମିଳି ନଥିଲା । ଶୁକ୍ରବାର ସକାଳେ ଅନ୍ୟ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଅନ୍ୟପଟେ ରବିନାଙ୍କ ଦୁଃସାହସ ପାଇଁ ପୋଲିସ୍‌ ତାଙ୍କୁ ପ୍ରଶଂସା କରିବା ସହ ପୁରସ୍କୃତ କରିଛନ୍ତି । ତେବେ ରବିନା କହିଛନ୍ତି, ଦୁଇଜଣ ବୁଡ଼ି ଯାଉଥିବା ବେଳେ ଅନେକ ଲୋକ ଠିଆ ହୋଇ ଦେଖୁଥିଲେ , କିନ୍ତୁ କେହି ରକ୍ଷା କରିବାକୁ ଆସିଲେ ନାହିଁ । ଉପସ୍ଥିତ ଲୋକଙ୍କ ମଧ୍ୟରୁ ଜଣେ କେହି ସାହାଯ୍ୟ କରିଥିଲେ ୨ଜଣଙ୍କ ଜୀବନ ବଞ୍ଚି ଯାଇଥାଆନ୍ତା ।