ଆଇଟି ହବ୍ ଭାବରେ ଜଣାଶୁଣା ବେଙ୍ଗାଲୁରୁ ଆଜି ଗୋଟିଏ ବୁନ୍ଦା ପାଣି ପାଇଁ ବ୍ୟାକୁଳ । ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ହିଁ ସହରରେ ଗଭୀର ଜଳ ସଙ୍କଟ ଦେଖାଦେଇଛି । ଏହା କେବଳ ବେଙ୍ଗାଲୁରୁ ନୁହେଁ ସମଗ୍ର ଦେଶ ପାଇଁ ଚିନ୍ତାର ବିଷୟ । ଏଠାକାର କେତେକ ଅଞ୍ଚଳରେ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ଏଠାରେ ଥିବା କୋଚିଂ ସେଣ୍ଟର ଓ ସ୍କୁଲ୍ଗୁଡ଼ିକ ପିଲାମାନଙ୍କୁ ଘରେ ରହି ଅନଲାଇନ୍ରେ କ୍ଲାସ କରିବାକୁ କହୁଛନ୍ତି ।
ଏହାରି ଭିତରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । କାରଣ ପାଣି ସଙ୍କଟ ପାଇଁ ବିବାହ କରିବାକୁ ମିଳୁ ନାହିଁନ୍ତି ଝିଅ । ଏହାକୁ ନେଇ ସୋସିଆଲ ମିଡ଼ିଆ ‘X’ରେ ଜଣେ ବ୍ୟକ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି । ଏହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ମଧ୍ୟ ଲାଗିଛି ।
Also Read
ଭାଇରାଲ୍ ପୋଷ୍ଟରେ କଣ ଲେଖାଅଛି ?
ସୋସିଆଲ ମିଡ଼ିଆ ‘X’ରେ ନରେନ୍ଦ୍ର ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି, "ରାହୁଲ ଗାନ୍ଧି, ଦୟାକରି ବେଙ୍ଗାଲୁରୁର ଜଳ ସଙ୍କଟ ଦୂର କରିବା ପାଇଁ ପଦକ୍ଷେପ ନିଅନ୍ତୁ । ବେଙ୍ଗାଲୁରୁର ଆଇଟି ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରୁଥିବା ମୋର ଜଣେ ବନ୍ଧୁ ଅଛନ୍ତି । ଯିଏ ବିବାହ ପାଇଁ ଝିଅ ଖୋଜୁଛନ୍ତି, କିନ୍ତୁ ବେଙ୍ଗାଲୁରୁରେ ଜଳ ସଙ୍କଟ ଥିବାରୁ କେହି ତାଙ୍କୁ ବିବାହ କରିବାକୁ ପ୍ରସ୍ତୁତ ନୁହଁନ୍ତି । "
ହାଇଟେକ ସହର ବେଙ୍ଗାଲୁରୁ ଏବେ ଜଳ ସଙ୍କଟ ଦେଇ ଗତି କରୁଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ଜଳ ସମସ୍ୟା ଦେଖାଦେଇଛି । ଏଠାରେ ଫେବୃଆରୀ ୫ରୁ ୱାଟର ଟ୍ୟାଙ୍କର ଆସୁଥିବା-ଯାଉଥିବା ଦେଖିବାକୁ ମିଳିଛି । ସୋସାଇଟି ଏବଂ କଲୋନୀ ଗୁଡ଼ିକରେ ଜଳ ସଙ୍କଟ ଅଧିକ ହୋଇଛି । ଟ୍ୟାଙ୍କର ଦ୍ୱାରା ପାଣି ମଗାଯାଉଛି । ହେଲେ ଜଳର ଅଭାବ ପୂରଣ ହେଉ ନାହିଁ ।
ବେଙ୍ଗାଲୁରୁରେ ଜଳ ସଙ୍କଟ ଦୂର କରିବା ପାଇଁ ରାଜ୍ୟ ସରକାର ୫୫୬ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି । ଏନେଇ ଉପମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାର ସୂଚନା ଦେଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି,‘‘ବେଙ୍ଗାଲୁରୁ ସହରର ପ୍ରତି ବିଧାୟକ ତାଙ୍କ ନିର୍ବାଚନ ମଣ୍ଡଳୀରେ ଜଳ ସଙ୍କଟ ଦୂର କରିବା ପାଇଁ ୧୦ କୋଟି ଟଙ୍କା ଦିଆଯାଇଛି । ’’
ଏସବୁ ସତ୍ତ୍ୱେ ଜଳସଂକଟ ଦୂର ହେଉନଥିବାରୁ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।