medical student
ମୁଁ ଚାହୁଁଛି ସେମାନେ ଜେଲ୍ ଯାଆନ୍ତୁ । ସେମାନେ ମୋତେ ନିର୍ଯାତନା ଦେଇଛନ୍ତି । ମାନସିକ ଯନ୍ତ୍ରଣା ଦେଇଛନ୍ତି । ଅପମାନିତ କରିଛନ୍ତି । ମୁଁ ଦୀର୍ଘ ଦିନ ଧରି ଚାପରେ ଅଛି । ମୁଁ ଚାହୁଁଛି ଏବେ ସେମାନେ ବି ସେଇଆ ଭୋଗନ୍ତୁ । ଏମିତି ଜୀବନ ବଞ୍ଚିବାକୁ ଇଚ୍ଛା ନାହିଁ । ସୁଇସାଇଡ୍ ନୋଟରେ ଏମିତି ଲେଖି ଜୀବନ ହାରି ଦେଇଛନ୍ତି ଦିଲ୍ଲୀର ଜଣେ ବିଡିଏସ୍ ଛାତ୍ରୀ ।
ଗ୍ରେଟର ନଏଡାର ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଜ୍ୟୋତି ଶର୍ମା ନାମ୍ନୀ ଏହି ଛାତ୍ରୀ ଦ୍ୱିତୀୟ ବର୍ଷରେ ପଢୁଥିଲେ । ଜଣେ ଡାକ୍ତର ହେବା ସ୍ୱପ୍ନ ଦେଖି ବିଡିଏସ (ବ୍ୟାଚେଲର ଅଫ ଡେଣ୍ଟାଲ ସର୍ଜରୀ)ରେ ସେ ଗତ ବର୍ଷ ଆଡମିଶନ ନେଇଥିଲେ । ଗତ ରାତିରେ ସେ ତାଙ୍କ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଘର ଗୁରୁଗ୍ରାମରେ । ଏହି ଆତ୍ମହତ୍ୟା ପାଇଁ ସେ ତାଙ୍କର ଦୁଇ ଜଣ ପ୍ରଫେସର ଓ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ଦାୟୀ କରିଛନ୍ତି । ଏହି ଘଟଣାରେ ଦିଲ୍ଲୀରେ ପ୍ରତିବାଦର ସ୍ୱର ଉଠିଛି ।
ଜ୍ୟୋତି ଶର୍ମାଙ୍କ ହଷ୍ଟେଲ ରୁମରୁ ମିଳିଥିବା ସୁଇସାଇଡ ନୋଟରେ ସେ ସିଧାସଳଖ ଦୁଇ ଶିକ୍ଷକଙ୍କୁ ଦାୟୀ କରିଛନ୍ତି । ଏହି ମାନସିକ ଚାପ ଯୋଗୁଁ ଦୀର୍ଘଦିନ ଧରି ସେ ଅତ୍ୟଧିକ ଡିପ୍ରେସନରେ ଥିଲେ ଏବଂ ଆଉ ବଞ୍ଚିବାର ଇଚ୍ଛା ତାଙ୍କର ନଥିଲା। ଏହା ସେ ସେଥିରେ ଉଲ୍ଲେଖ କରିଛନ୍ତି ।
ଜ୍ୟୋତିଙ୍କ ପରିବାରର ଅଭିଯୋଗ ଆଧାରରେ ପୋଲିସ ଦୁଇ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି।
ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଦୁଇ ଶିକ୍ଷକଙ୍କୁ ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଲମ୍ବନ କରିଛି । ବିଶ୍ୱବିଦ୍ୟାଳୟର ପବ୍ଲିକ ରିଲେସନ ଅଫିସର ଡକ୍ଟର ଅଜିତ କୁମାର କହିଛନ୍ତି ଯେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ, ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ଏହି କାରଣରୁ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି।
ଜ୍ୟୋତିଙ୍କ ମା’ ଏହି ଘଟଣାକୁ ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ଏବଂ ବିଶ୍ୱବିଦ୍ୟାଳୟ ପ୍ରଶାସନ ଉପରେ ଦୋଷାରୋପ କରିଛନ୍ତି। ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752923470.jpg)