ବାବା ସିଦ୍ଦିକି ଗୁଳିକାଣ୍ଡ ଘଟଣା: ପୋଲିସ୍‌ କବ୍‌ଜାରେ ମୁଖ୍ୟ ଅଭିଯୁକ୍ତ, ରହିଛି ୯ଟି ହତ୍ୟା ମାମଲା

ବାବା ସିଦ୍ଦିକି ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ୟାସିନ ଅଖତାର ଉପରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପଞ୍ଜାବ ପୋଲିସ ।

Baba Siddique Shooting Case

ମୁମ୍ବାଇର ଏନସିପି ବିଧାୟକ ବାବା ସିଦ୍ଦିକି ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ମହମ୍ମଦ ୟାସିନ ଅଖତାରଙ୍କୁ ୨୧ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ନେଇଛି । ମୁମ୍ବାଇର କୋର୍ଟରେ ଶୁଣାଣି ବେଳେ ପୋଲିସ ମହମ୍ମଦ ୟାସିନ ଅଖତରକୁ ହେଫାଜତକୁ ନେବା ଲାଗି ପକ୍ଷ ରଖିଥିଲା । ପୋଲିସ ଆବେଦନ ଅନୁସାରେ କୋର୍ଟ ଅଭିଯୁକ୍ତ ମହମଦ ୟାସିନ ଅଖତରକୁ ୨୧ ତାରିଖ ପର୍ଯ୍ୟନ୍ତ ହେଫାଜତକୁ ନେବା ଲାଗି ଅନୁମତି ଦେଇଛନ୍ତି ।

ସେପଟେ ହତ୍ୟାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ୟାସିନ ଅଖତାର ଉପରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପଞ୍ଜାବ ପୋଲିସ । ଅଭିଯୁକ୍ତ ନାମରେ ୯ଟି ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ମାମଲା ରହିଥିବା ପଞ୍ଜାବ ପୋଲିସ କହିଛି । ସେପଟେ ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ରହିଛି ।

ହତ୍ୟା ପାଇଁ ନିଜକୁ ଦାୟୀ କରି ସଲମାନ ଖାନଙ୍କୁ ବି ଦେଇଛି ଧମକ । 'ଯିଏ ବି ସଲମାନଙ୍କୁ ସହଯୋଗ କରିବ, ନିଜ ହିସାବ କିତାବ କରିକି ରଖିଥିବ' । ବରିଷ୍ଠ ଏନସିପି ନେତା, ତିନି ଥରର ବିଧାୟକ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ମର୍ଡର ପାଇଁ ନିଜକୁ ଦାୟୀ କରିଛି କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ।

ହତ୍ୟାକାଣ୍ଡର ୧୪ ଘଣ୍ଟା ପରେ ସୋସିଆଲ ମିଡିଆରେ ଗ୍ୟାଙ୍ଗ ପକ୍ଷରୁ ଏକ ପୋଷ୍ଟ କରାଯାଇଛି । ଶୁବୁ ଲୋଙ୍କର ନାଁରେ ଫେସବୁକ୍ ଆକାଉଣ୍ଟରୁ ସେୟାର ହୋଇଥିବା ଏହି ପୋଷ୍ଟରେ ଲେଖାଯାଇଛି ଯେ, ବାବା ସିଦ୍ଦିକିଙ୍କ ଚାପ୍ଟର ସରିଲା । ଦାଉଦ୍ ଇବ୍ରାହିମ୍ ସହ ତାଙ୍କର ସଂପୃକ୍ତି ରହିଥିଲା ।

ସଲମାନ ଖାନଙ୍କ ସହ ଆମେ କୌଣସି ଯୁଦ୍ଧ ଚାହୁଁନଥିଲୁ କିନ୍ତୁ ଆମ ଭାଇଙ୍କ ସେ ବହୁତ କ୍ଷତି ଘଟାଇଛି । ଯିଏ ବି ସଲମାନ ଖାନ୍ କିମ୍ବା ଦାଉଦ ଗ୍ୟାଙ୍ଗକୁ ସହଯୋଗ କରିବ, ସିଏ ତାର ହିସାବ କରିକି ରଖିଥିବ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ପୋଷ୍ଟର ଅଧିକ ତନାଘନା ଚଳାଇଛି ମୁମ୍ବାଇ ପୋଲିସ ।

ବାସଭବନରେ ଏକାଠି ହୋଇଥିଲେ ସଲମାନଙ୍କ ପୁରା ପରିବାର ସହ ଅନେକ ବଲିଉଡ୍ ସେଲିବ୍ରିଟି ଓ ବିଶିଷ୍ଟ ବ୍ୟକ୍ତି । ଧମକ ପରେ ସଲମାନ ଖାନଙ୍କ ଘର ଆଗରେ ମଧ୍ୟ ବଢ଼ିଛି ସୁରକ୍ଷା । ଗାଲାକ୍ସି ଆପାର୍ଟମେଣ୍ଟକୁ ଘେରି ରହିଛନ୍ତି ପୋଲିସ । ଚର୍ଚ୍ଚା ହେଉଛି, ସଲମାନ୍ ଖାନଙ୍କ ପାଇଁ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି ।

କାରଣ ସଲମାନଙ୍କ ଅତି ନିକଟତର ଏବଂ ପାରିବାରିକ ବନ୍ଧୁ ଭାବେ ଜଣାଶୁଣା ଥିଲେ ବାବା ସିଦ୍ଦିକି । ଏମିତିକି ସଲମାନ୍ ଆଉ ଶାହରୁଖଙ୍କ ମଧ୍ୟରେ ମତାନ୍ତର ଦୂର କରିବାରେ ସିଦ୍ଦିକିଙ୍କ ଥିଲା ସବୁଠୁ ବଡ଼ ଭୂମିକା । ଏବର୍ଷ ଜୁଲାଇରେ ସଲମାନଙ୍କ ଘର ଉପରେ ଗୁଳି ମାଡ଼ ହେଇଥିଲା । ତାର କିଛି ଦିନ ପୂର୍ବରୁ ବି ସଲମାନଙ୍କୁ ମିଳିଥିଲା ହତ୍ୟା ଧମକ ।

ତେଣୁ ସଲମାନ୍ ଖାନଙ୍କ ନିକଟତର ବାବା ସିଦ୍ଦିକିଙ୍କୁ ହତ୍ୟା କରି ତାଙ୍କୁ ସିଧାସଳଖ ଧମକ ଦିଆଯାଇଥିବା ସନ୍ଦେହ କରାଯାଉଛି । ଶନିବାର ରାତି ପ୍ରାୟ ୯ଟା ୩୦ । ମୁମ୍ବାଇର ବାନ୍ଦ୍ରା । ପୁଅ ଜିଶାନ ସିଦ୍ଦିକିଙ୍କ ଅଫିସ ବାହାରେ ବାଣ ଫୁଟାଉଥିଲେ ବାବା ସିଦ୍ଦିକି । ହଠାତ୍ ତିନି ଜଣ ମୁଖାପିନ୍ଧା ଯୁବକ ବାଇକରେ ଆସି ଅନ୍ଧାଧୁନ ଗୁଳି ଚଳାଇଥିଲେ ।

ସିଦ୍ଦିକିଙ୍କ ଦେହରେ ବାଜିଥିଲା ତିନିଟି ଗୁଳି । ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ । ତାଙ୍କୁ ତୁରନ୍ତ ଲୀଲାବତୀ ହସପିଟାଲ ନିଆଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ନିଜର ସମସ୍ତ ସୁଟିଂ ବାତିଲ କରି ସିଦ୍ଦିକିଙ୍କୁ ଦେଖିବାକୁ ହସପିଟାଲରେ ପହଁଚିଥିଲେ ସଲମାନ୍ । ପରେ ଆରମ୍ଭ ହୋଇଯାଇଥିଲା ତନାଘନା, ତଦନ୍ତ ।