ଦେଶର ସବୁଠାରୁ ମହଙ୍ଗା ଡିଲ୍‌ :୨୫୨ କୋଟିରେ ବିକ୍ରି ହେଲା ତିନି ମହଲା କୋଠା

ମାୟାନଗରୀ ମୁମ୍ବାଇରେ ୨୫୨ କୋଟିରେ ତିନି ମହଲା କୋଠାର ଡିଲ୍‌ । ସ୍କୋୟାର ଫୁଟ୍‌ ପିଛା ମୂଲ୍ୟ ୧.୪ ଲକ୍ଷ ।

Triplex

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଘର କିଣିବାର ସ୍ୱପ୍ନ ସମସ୍ତେ ଦେଖନ୍ତି । ହେଲେ ସମସ୍ତଙ୍କ ସ୍ୱପ୍ନ ସାକାର ହୋଇପାରେନି । ଏଠାରେ ଲୋକମାନେ କୋଟି କୋଟି ଟଙ୍କା ଦେଇ କିଣନ୍ତି ଘର । ମୁମ୍ବାଇ ସହରରେ ଗୋଟିଏରୁ ଗୋଟିଏ ମହଙ୍ଗା ଡିଲ୍‌ ସମ୍ପର୍କରେ ଆପଣ ନିଶ୍ଚୟ ଶୁଣିଥିବେ । ହେଲେ ଏବେ ଏମିତି କିଛି ହୋଇଛି, ଦେଶର ସବୁ ରେକର୍ଡ ଭାଙ୍ଗିଯାଇଛି । ବର୍ଗ ଫୁଟ ପିଛା ୧.୪ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ଘର । ଦକ୍ଷିଣ ମୁମ୍ବାଇରେ ଥିବା ଗୋଟିଏ ୩ ମହଲା କୋଠା ୨୫୨ କୋଟି ଟଙ୍କାରେ ବିକ୍ରି କରାଯାଇଛି । ଏହି କୋଠାଟି ୧୮ ହଜାର ବର୍ଗ ଫୁଟରେ ଅବସ୍ଥିତ ।

ଦକ୍ଷିଣ ମୁମ୍ବାଇର ୱାଲକେଶ୍ୱର ଠାରେ ଥିବା ଗୋଟିଏ ନିର୍ମାଣାଧୀନ ଟାୱାରରେ ଏହି କୋଠା ରହିଛି । ବିଲଡିଂ କିଣିବା ପାଇଁ ଶିଳ୍ପପତି ନୀରଜ ବଜାଜ ଓ ମାର୍କୋଟେକ ଡେଭଲପର୍ସ (ଲୋଧା ଗ୍ରୁପ) ମଧ୍ୟରେ ଡିଲ୍‌ ହୋଇଛି ।

ସେହିପରି ଗତମାସରେ ୱର୍ଲି ଲଗଜୁରୀ ଟାୱାରରେ ଥିବା ୩୦ ହଜାର ବର୍ଗ ଫୁଟର ପେଣ୍ଟ ହାଉସକୁ ୨୪୦ କୋଟି ଟଙ୍କାରେ କିଣିଥିଲେ ଶିଳ୍ପପତି ବିକେ ଗୋଏଙ୍କା । ତାହାକୁ ଭାରତର ସବୁଠାରୁ ଦାମୀ ଡିଲ୍‌ ଭାବେ ପରିଗଣିତ ହୋଇଥିଲା । କିନ୍ତୁ ମାସକ ମଧ୍ୟରେ ବଜାଜ-ଲୋଧା ଗ୍ରୁପ୍‌ ଡିଲ୍‌ ଏହି ରେକର୍ଡକୁ କାଟି ଦେଇଛି ।

ବଜାଜ ଗ୍ରୁପର ନିର୍ଦ୍ଦେଶକ ଲୋଧା ମାଲାବାର ଟାୱାରର ସବୁ ଠାରୁ ଉପରେ ଥିବା ତିନି ମହଲା ବୁକ୍ କରିଛନ୍ତି । ଏହି ଭବନ ରାଜ ଭବନ ନିକଟରେ ରହିଛି । ଏହି ଫ୍ଲାଟର ମୂଲ୍ୟ ବର୍ଗଫୁଟ ପ୍ରତି ୧.୪ ଲକ୍ଷ ଟଙ୍କା । ବଜାଜ ଏହି ଫ୍ଲାଟ ପାଇଁ ଟୋକେନ୍ ମନି ଦେଇଥିବାବେଳେ ବାକି ଟଙ୍କା ବୃତ୍ତିଗତ ପ୍ରମାଣପତ୍ର (ଓସି) ପାଇବା ପରେ ଦିଆଯିବ ।